ଭୁବନେଶ୍ୱର: ମିଛ କାଗଜରେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେପି ଭୟଙ୍କର ଷଡ଼ଯନ୍ତ୍ର ରଚିଛି । କର୍ଣ୍ଣାଟକରେ ଯେଉଁ ଷ୍ଟ୍ରାଟେଜି କରିଥିଲା ତାହାକୁ ଓଡ଼ିଶାରେ ପ୍ରୟୋଗ କରିବା ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ପରେ ଭୟଭୀତ ବିଜେପି ଗୁଇନ୍ଦା ରିପୋର୍ଟ ନାଁରେ ଜାଲ୍ ଦସ୍ତାବିତ୍ ପ୍ରସ୍ତୁତ କରି ବୁଲାଉଛି । କର୍ଣ୍ଣାଟକ ଭଳି ଓଡ଼ିଶାରେ ସମାନ ଫର୍ମାଟ୍ କରାଯାଇଛି । ଏଭଳି ଜାଲ୍ କାରବାର ଜରିଆରେ ବିଜେପି ଜନମତକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ । କର୍ଣ୍ଣାଟକରେ ବୁଲିଥିବା ନକଲି ଗୁଇନ୍ଦା ରିପୋର୍ଟ ଓ ଓଡ଼ିଶାରେ ବୁଲୁଥିବା ନକଲି ଗୁଇନ୍ଦା ରିପୋର୍ଟ ସାମ୍ବାଦିକଙ୍କୁ ଦେଖାଇଛନ୍ତି । ଦୁଇଟିଯାକର ଫର୍ମାଟ୍ ପ୍ରାୟ ଏକା । ଗୁଇନ୍ଦା ବିଭାଗରେ ‘ଏସଆଇବି ପଲିଟିକାଲ ଡେକ୍ସ’ ବୋଲି କିଛି ନାହିଁ । ମାତ୍ର ଦୁଇଟିଯାକରେ ଏହି ସମାନ ନାମକରଣ ରହିଛି । କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପାଇଁ ଯେମିତି ୪ ଟି ବିକଳ୍ପ ଆସନ ଉଲ୍ଲେଖ ରହିଥିଲା ଏଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବା ପାଇଁ ୪ଟି ବିକଳ୍ପ ଆସନର କଥା ଲେଖାଯାଇଛି । ସୁତରାଂ ଭୋଟରଙ୍କୁ ବିଭ୍ରାନ୍ତ କରାଇବା ପାଇଁ ବିଜେପି ଜାଲ୍ ଦସ୍ତାବିଜ୍ କରିଥିବା ସ୍ପଷ୍ଟ ହେଉଛି ବୋଲି ଶ୍ରୀ ଦେବ କହିଛନ୍ତି । ଏହା ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଅଣାଯିବ ବୋଲି କହିଛନ୍ତି ।
ସେପଟେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ପ୍ରେସମିଟ୍ କରି କହିଛନ୍ତି ଆମେ ଏହା କରିନାହୁୁଁ । ସୋସିଆଲ୍ ମିଡ଼ିଆରେ ବୁଲୁଥିଲା, ଦେଖାଇଲୁ । ସେ ପୁଣି କହିଛନ୍ତି, ବିଜେଡ଼ି ବ୍ୟାକଫୁଟରେ ଥିବାରୁ ନାଟକ କରୁଛି । ଚିଠିର ସତ୍ୟାସତ୍ୟ ଜାଣିବା ପାଇଁ ସିବିଆଇକୁ ଦିଆଯାଉ ।
ଟଙ୍କ ସିଲଟ ଧରିବେ ତ?
ପ୍ରେସମିଟ୍ ରେ ବିଜେପି ଦେଖାଇଥିବା କାଗଜଟି ଜାଲ୍ ବୋଲି ଗତକାଲି ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ସ୍ପଷ୍ଟୀକରଣ ଦେଇସାରିଛନ୍ତି । ଗୁଇନ୍ଦା ବିଭାଗ ପକ୍ଷରୁ ସେଭଳି କୌଣସି ରିପୋର୍ଟ ପ୍ରସ୍ତୁତ ହୋଇ ନ ଥିବା କହିଥିଲେ । ସ୍ପେଶାଲ୍ ବ୍ରାଞ୍ଚ ଏସପି କାର୍ତ୍ତିକେଶ୍ୱର ସାମଲଙ୍କ ରିପୋର୍ଟ ଆଧାରରେ ଖାରବେଳ ନଗର ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଆଇପିସିର ୪୬୫, ୪୬୮,୪୬୯, ୪୭୧ ଧାରାରେ ପୁଲିସ ଦଫା ଲଗାଇଛି । ତେବେ ଗୁଇନ୍ଦା ରିପୋର୍ଟ ନାଁରେ ନକଲି କାଗଜ ଦେଖାଇ ପ୍ରେସମିଟ୍ କରିଥିବା ଟଙ୍କଧର ତ୍ରିପାଠୀଙ୍କୁ ପୁଲିସ ସିଲଟ୍ ଧରେଇବ ନା ନାଇଁ ସୋସିଆଲ୍ ମିଡ଼ିଆରେ ଅନେକ ପ୍ରଶ୍ନ କଲେଣି । ନିକଟରେ ସହିଦନଗର ଥାନା ଗଣ୍ଡଗୋଳ ମାମଲାରେ ପୁଲିସ ପ୍ରକାଶ ତ୍ରିପାଠୀଙ୍କୁ ଗିରଫ କରି ତାଙ୍କର ପ୍ୟାଣ୍ଟସାର୍ଟ ଖୋଲି ଦେଇଥିଲା । ଦେହରେ ଗଂଜି ଓ ହାତରେ ସିଲଟ ଧରାଇ ଗଣମାଧ୍ୟମରେ ଫଟୋ ଉଠାଇଥିଲା । ଭୁବନେଶ୍ୱରର ଏଭଳି ଦକ୍ଷ ପୁଲିସ ନକଲି ଗୁଇନ୍ଦାଗିରି କରୁଥିବା ବ୍ୟକ୍ତିଙ୍କୁ ସିଲଟ୍ ଧରାଇବନି କାହିଁକି ବୋଲି ସେମାନଙ୍କ ପ୍ରଶ୍ନ ।
ଚର୍ଚ୍ଚା ହେଉଛି, ଆଇଟି ଲୋକ ଲଗାଇ ଏହି ଜାଲ୍ ଚିଠିଟି ପ୍ରସ୍ତୁତ କରାଯାଇଥିଲା । ଟିଭି ପ୍ରାଇମ୍ ଟାଇମ୍ ବୁଲେଟିନ୍ ବେଳେ ଏହାକୁ ମୁଖ୍ୟ ଖବର କରି ପ୍ରେସମିଟ୍ ଲାଇଭ୍ କଲେ ଖବରର ଗୁରୁତ୍ୱ ବଢ଼ିଯିବ ଏବଂ ଲୋକଙ୍କୁ ପ୍ରଭାବିତ କରିବ । ପଛରେ ତାହାକୁ ମିଛ କହି କାଉଣ୍ଟର କଲାବେଳକୁ କିଛି ନ ଥିବ । ଲୋକେ ପଛକଥାକୁ ଗୁରୁତ୍ୱ ଦେବେ ନାହିଁ । ଲୋକଙ୍କ ମାନସିକତା ପରଖି ଏଭଳି କୌଶଳ କରାଯାଇଥିବା କୁହାଯାଉଛି ।