ଭୁବନେଶ୍ୱର: ପଞ୍ଚମ ପାଳି ସରକାର ଗଠନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ପରିଷଦ ବୈଠକରେ ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ ସଂକଳ୍ପ ନେଇଥିଲେ । ଦଳର ଇସ୍ତାହାରକୁ ନୀତିଗତ ଭାବେ ସରକାରଙ୍କ ପ୍ରାଥମିକତା କ୍ଷେତ୍ର ଭାବେ ଅନୁମୋଦନ କରାଇ ମନ୍ତ୍ରୀମାନଙ୍କୁ କାମରେ ଲଗାଇ ଦେଇଥିଲେ । ତେବେ ଖାଲି କଥାରେ ନୁହେଁ, ଆଗାମୀ ଆର୍ଥିକ ବର୍ଷର ବଜେଟ୍ ରେ ଏଥିପାଇଁ ଅଧିକ ଅର୍ଥବରାଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଧାନସଭାର ବଜେଟ୍ ଅଧିବେଶନ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଆସନ୍ତା ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ପ୍ରସ୍ତାବ ଉପରେ ମୋହର ଲଗାଯାଇଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍ ଆକାର ୧.୩୮ ଲକ୍ଷ କୋଟି ଛୁଇଁବାକୁ ଯାଉଛି । ପୂର୍ବଥର ଏହି ବଜେଟ୍ ଆକାର ଥିଲା ୧.୨୦ ଲକ୍ଷ କୋଟି । ତା ପୂର୍ବବର୍ଷ ଅର୍ଥାତ୍ ୨୦୧୭-୧୮ ଆର୍ଥିକ ବର୍ଷ ବଜେଟ୍ ଆକାରଠାରୁ ତାହା ୧୨.୩ ପ୍ରତିଶତ ଅଧିକ ଥିଲା ।
ଆଜିର ମନ୍ତ୍ରୀ ପରିଷଦ ବୈଠକରେ ବଜେଟ୍ ର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ ଏବଂ କେତେ ଅର୍ଥ ବରାଦ କରାଯିବ ତାହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଇ ଆସୁଥିବା ମହିଳା ଓ ଚାଷୀଙ୍କ ପାଇଁ ବଜେଟ୍ ରେ ସର୍ବାଧିକ ଗୁରୁତ୍ୱ ଦିଆଯିବ । ‘ମିଶନ ଶକ୍ତି’ ଓ ‘କାଳିଆ’ ଯୋଜନା ପାଇଁ ଅଧିକ ଅର୍ଥ ବରାଦ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଛଡ଼ା ଭିତ୍ତିଭୂମି ଓ ସାମାଜିକ କ୍ଷେତ୍ର କୁ ଗୁରୁତ୍ୱ ଦିଆଯାଇ ଅଧିକ ଅର୍ଥ ବରାଦ ପାଇଁ ନିଷ୍ପତ୍ତି ହୋଇଛି । ନିର୍ବାଚନ ପ୍ରତିଶ୍ରୁତି ପାଳନ ଦିଗରେ ଅର୍ଥ ଯେଭଳି ବାଧକ ସୃଷ୍ଟି ନ କରେ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଜୁନ୍ ୨୫ ତାରିଖରୁ ଆରମ୍ଭ ହେବ । ଲଗାତର ପଞ୍ଚମ ଥର ପାଇଁ ଶାସନ କ୍ଷମତାକୁ ଆସିଥିବା ବିଜେଡ଼ି ସରକାର ତାଙ୍କ ପଞ୍ଚମ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ କୁ ବିଧାନସଭାରେ ଉପସ୍ଥାନ କରିବେ । ଅର୍ଥମନ୍ତ୍ରୀ ଭାବେ ନିରଞ୍ଜନ ପୂଜାରୀ ପ୍ରଥମ ଥର ପାଇଁ ଜୁନ୍ ୨୮ ତାରିଖରେ ବଜେଟ୍ ଆଗତ କରିବେ ।