ଧୈର୍ଯ୍ୟ ରଖ, ସମ୍ବେଦନଶୀଳ ହୁଅ: ମୁଖ୍ୟମନ୍ତ୍ରୀ
ଭୁୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୭ରେ କୃତିତ୍ୱ ହାସଲ କରିଥିବା ୧୦୨ ଜଣ ମେଧାବୀଙ୍କୁ ଆଜି ନିଯୁକ୍ତିପତ୍ର ମିଳିଛି । ଜୟଦେବ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ନିଯୁକ୍ତିପତ୍ର ପାଇଥିବା ୧୦୬ ଜଣ ଅଧିକାରୀଙ୍କ ମଧ୍ୟରେ ୪୨ ଜଣ ମହିଳା ଏବଂ ୪ ଜଣ ଭିନ୍ନକ୍ଷମ ଅଛନ୍ତି । ୩୬ ଜଣ ଓଏଏସ୍ ରେ ଯୋଗଦେଇଥିଲା ବେଳେ ୯ ଜଣ ଓପିଏସ୍, ୨୪ ଜଣ ଓଏଫଏସ୍, ୩ ଜଣ ସମବାୟ ସେବା, ୨୦ ଜଣ ରାଜସ୍ୱ ସେବା ଏବଂ ୧୪ ଜଣ ଟିକସ ଓ ଆକାଉଣ୍ଟସ୍ ସେବାରେ ଯୋଗ ଦେଇଛନ୍ତି ।
ଧୈର୍ଯ୍ୟ ଓ ସମ୍ବେଦନଶୀଳତା ସହିତ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ନବନିଯୁକ୍ତ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ପରାମର୍ଶ ଦେଇଥିଲେ । ପ୍ରଶାସନିକ ଅଧିକାରୀ ଭାବେ ସେମାନଙ୍କୁ ଲୋକଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କରେ ରହିବାକୁ ହେବ । ଲୋକଙ୍କ କଲ୍ୟାଣ ପାଇଁ ନିଷ୍ପତ୍ତି ନେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସରକାରର ଆଭିମୁଖ୍ୟ ସମ୍ପର୍କରେ ନବାଗତଙ୍କୁ ଅବଗତ କରାଇବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ କଲ୍ୟାଣ ତାଙ୍କର ସବୁ ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ୍ । ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି ।
ସରକାରଙ୍କ ଟି-୫ ମନ୍ତ୍ରକୁ ଆଧାର କରି ସମସ୍ତେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ସହିତ ସଫଳ ଭାବେ ନିଜ ଦାୟିତ୍ୱ ନିର୍ବାହ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁଦାମ ମାରାଣ୍ଡି, ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଅସିତ୍ ତ୍ରିପାଠୀ ଏବଂ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଏସ.ଏନ.ଗିରିଶ ପ୍ରମୁଖ ଯୋଗ ଦେଇଥିଲେ ।