ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । କଳାରେ ୬୫.୮୯% ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ବାଣିଜ୍ୟରେ ୭୦.୨୬% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । କଳାରେ ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଲେଖାଏଁ କଲେଜରେ ଶୂନ ରେଜଲ୍ଟ ହୋଇଥିବା ବେଳେ ବାଣିଜ୍ୟରେ ୪ ଟି କଲେଜର ଶୂନ୍ ରେଜଲ୍ଟ ହୋଇଛି । ଅର୍ଥାତ୍ ଏହିସବୁ କଲେଜରେ କୌଣସି ଛାତ୍ରଛାତ୍ରୀ ପାସ୍ କରିନାହାନ୍ତି । ଆଜି ଭୁବନେଶ୍ୱରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ରେଜଲ୍ଟ ଘୋଷଣା କରିଛନ୍ତି ।
କଳାରେ ସମୁଦାୟ ୨ ଲକ୍ଷ ୩୧ ହଜାର ୧୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୫୨ ହଜାର ୩୨୩ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପାସ୍ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୫୭,୪୪୨ ଛାତ୍ର ଥିବା ବେଳେ ୯୪,୮୮୧ ଛାତ୍ରୀ ଅଛନ୍ତି । କଳାରେ ପ୍ରଥମ ଶ୍ରେଣୀରେ ୧୮,୭୭୩, ଦ୍ୱିତୀୟ ଶ୍ରେଣୀରେ ୨୨,୯୪୪ ଏବଂ ତୃତୀୟ ଶ୍ରେଣୀରେ ୧,୧୦,୪୫୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୭୫.୬୭% ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ୪୭.୪୬% ରହିଛି ।
ବାଣିଜ୍ୟରେ ସମୁଦାୟ ୨୬,୭୯୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୮,୮୨୬ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୧୧,୭୩୮ ଛାତ୍ର ପାସ୍ କରିଥିବା ବେଳେ ୭,୦୮୮ ଜଣ ଛାତ୍ରୀ ପାସ୍ କରିଛନ୍ତି । ପ୍ରଥମ ଶ୍ରେଣୀରେ ୫,୬୨୯, ଦ୍ୱିତୀୟ ଶ୍ରେଣୀରେ ୩,୭୪୬ ଏବଂ ତୃତୀୟ ଶ୍ରେଣୀରେ ୯,୪୨୨ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବାଣିଜ୍ୟରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଭଲ ରେଜଲ୍ଟ କରିଥିବା ବେଳେ ଦେବଗଡ଼ ସବୁଠାରୁ ଖରାପ ରେଜଲ୍ଟ କରିଛି ।
ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେଇଥିଲେ ୭,୮୪୦ ଛାତ୍ରଛାତ୍ରୀ । ପାସ୍ କରିଛନ୍ତି ୪,୧୨୬ ଛାତ୍ରଛାତ୍ରୀ । ୧,୯୮୨ ଛାତ୍ର ଏବଂ ୨,୧୪୪ ଛାତ୍ରୀ ପାସ୍ କରିଛନ୍ତି । ୫୪୪ ଜଣ ପ୍ରଥମ ଶ୍ରେଣୀ, ୧୭୦୭ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୧୭୧୪ ଜଣ ତୃତୀୟ ଶ୍ରେଣୀ ରେ ପାସ୍ କରିଛନ୍ତି ।