ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀ ଘୋଷଣାରେ ପୁଣି ଚମକେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ସଂଧ୍ୟାରେ ୩ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ସେମାନେ ହେଲେ, ବିଜେଡ଼ି ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ, ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଏବଂ ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ । ଅମର ପଟ୍ଟନାୟକ ଏବଂ ସସ୍ମିତ୍ ପାତ୍ରଙ୍କ ନାଁ ରାଜ୍ୟସଭା ପାଇଁ ଚର୍ଚ୍ଚା ହେଉଥିଲା । ମାତ୍ର ଗଣମାଧ୍ୟମ ଚର୍ଚ୍ଚାରେ ନ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅବଶ୍ୟ ରାଜ୍ୟସଭା ଚର୍ଚ୍ଚାରେ ସେ ନୂଆ ନୁହଁନ୍ତି । ଗତଥର ରାଜ୍ୟସଭା ପାଇଁ ତାଙ୍କ ନାଁ ଚର୍ଚ୍ଚା ହୋଇଥିଲା । ମାତ୍ର ଏଥର ଚର୍ଚ୍ଚାରେ ନ ଥିଲେ ସେ ।
ଓଡ଼ିଶା କ୍ୟାଡରର ଆଇଏଏସ ଥିଲେ ଶ୍ରୀ ବୈଷ୍ଣବ । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ତାଙ୍କର ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ପାଇଁ ବହୁ ବର୍ଷ କାର୍ଯ୍ୟ କରିଛନ୍ତି ଏବଂ ଜଣେ ଦକ୍ଷ ଅଫିସର ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ନାଁ ଘୋଷଣା ବେଳେ ପ୍ରଶଂସା କରିଥିଲେ ।
ଡ. ଅଚ୍ୟୁତ ସାମନ୍ତ, ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପ୍ରତାପ ଦେବଙ୍କ ଇସ୍ତଫା ପରେ ରାଜ୍ୟସଭାର ତିନୋଟି ଆସନ ଖାଲି ପଡ଼ିଥିଲା । ଡ. ସାମନ୍ତ କନ୍ଧମାଳରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଶ୍ରୀ ପଟ୍ଟନାୟକ ଖଣ୍ଡପଡ଼ା ଏବଂ ଶ୍ରୀ ଦେବ ଆଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି । ଏହି ତିନୋଟି ଆସନ ପାଇଁ ଆଶାୟୀଙ୍କ ତାଲିକା ବେଶ୍ ଲମ୍ବା ଥିଲା । ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଅମର ପଟ୍ଟନାୟକ, ଅରୂପ ପଟ୍ଟନାୟକ, ଡ. ସସ୍ମିତ୍ ପାତ୍ର, ସଞ୍ଜୟ ଦାସବର୍ମା, ମହେଶ୍ୱର ମହାନ୍ତି, ନଳିନୀ ପ୍ରଧାନ ଥିଲେ ଚର୍ଚ୍ଚାର ସର୍ବାଗ୍ରେ । ତେବେ ଅମର ପଟ୍ଟନାୟକ ଏବଂ ଡ. ସସ୍ମିତ୍ ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନିରାଶ କରିନାହାନ୍ତି । ନିର୍ବାଚନ ସମୟରେ ଦଳ ପାଇଁ ସେମାନଙ୍କର ପରିଶ୍ରମ ଓ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି ।
ସୂଚନାଯୋଗ୍ୟ, ଇସ୍ତଫା ଦେଇଥିବା ଡ. ଅଚୁ୍ୟତ ସାମନ୍ତ ଏବଂ ସୌମ୍ୟରଂଜନ ପଟ୍ଟନାୟକ ଏପ୍ରିଲ୍ ୨୦୨୪ ପର୍ଯ୍ୟନ୍ତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଦେବଙ୍କ କାର୍ଯ୍ୟକାଳ ୨୦୨୨ ଜୁଲାଇରେ ସରିଥାଆନ୍ତା ।