ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ ବିଜେଡ଼ି ନା ବିଜେପିର ରାଜ୍ୟସଭା ପ୍ରାର୍ଥୀ? ପ୍ରଶ୍ନ ଏଇଥିପାଇଁ ଉଠିଲା କି ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବାର ୨୦ ମିନିଟ୍ ପୂର୍ବରୁ(ସଂଧ୍ୟା ୬.୧୫ ମିନିଟ୍ ରେ) ବିଜେପିର ଅଫିସିଆଲ୍ ଟୁଇଟରରେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ବୈଷ୍ଣବଙ୍କୁ ବିଜେଡ଼ି ପ୍ରାର୍ଥୀ ବୋଲି ଘୋଷଣା କରିବା ପରେ ସସପେନ୍ସ ବଢ଼ିଯାଇଥିଲା । କେହି କିଛି ବୁଝିପାରି ନ ଥିଲେ । କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ଗଣମାଧ୍ୟମକୁ ଡାକି ଏକ ସ୍ପଷ୍ଟୀକରଣ ଦେଇଥିଲେ । କହିଥିଲେ, ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ବିଜେଡ଼ି ସମର୍ଥନ କରୁଛି । ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଶାହାଙ୍କ ସହ ସେ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ପଷ୍ଟୀକରଣ ପରେ ଅଶ୍ୱିନୀଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ ସସପେନ୍ସ ଦୂର ହୋଇଛି ।
ଯାହା ସୂଚନା ମିଳୁଛି, ମୁଖ୍ୟମନ୍ତ୍ରୀ ତାଙ୍କ ଦିଲ୍ଲୀ ଗସ୍ତ କାଳରେ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଏବଂ ଅମିତ୍ ଶାହାଙ୍କ ସହ କାଳେ କଥା ହୋଇଥିଲେ । ସଂଖ୍ୟା ଦୃଷ୍ଟିରୁ ବିଜେଡ଼ି ଆରାମଦାୟକ ସ୍ଥିତିରେ ଥିଲେ ମଧ୍ୟ ତାଙ୍କ ପ୍ରାର୍ଥୀତ୍ୱ ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇଥିଲା । ଅର୍ଥାତ୍ ମୋଦିଙ୍କ ପ୍ରସ୍ତାବିତ ପ୍ରାର୍ଥୀଙ୍କୁ ନବୀନ ମାନିନେଲେ । ତେବେ ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ବେଳେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରଥମେ ଘୋଷଣା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ଜାଣିଶୁଣି ନା ଭୁଲବଶତଃ ତାହା ସ୍ପଷ୍ଟ ଜଣାପଡୁନାହିଁ । ତେବେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ନିଜର ପ୍ରାର୍ଥୀ ଭାବେ ପୂର୍ବରୁ ଘୋଷଣା କରିଥିବା ଖବର ଗଣମାଧ୍ୟମରେ ପ୍ରସାର ହେବା ପରେ ମୁଖ୍ୟମନ୍ତ୍ରୀ ଭୁଲ୍ ସୁଧାରି ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଥିଲେ । ଯାହା ବି ହେଉ, ଏହି ପ୍ରସଙ୍ଗଟି ବିଜେପି ଓ ବିଜେଡ଼ି ମଧ୍ୟରେ ରହିଥିବା ବୁଝାମଣାକୁ ଆହୁରି ଖୋଲିଦେଇଛି ।