ଭୁୁବନେଶ୍ୱର: ନିଜ କର୍ମଚାରୀମାନଙ୍କୁ ମାସିକିଆ ଛୁଟି ଉପହାର ଦେଇଛନ୍ତି ରାଜ୍ୟ ସରକାର । ପ୍ରତିମାସର ଚତୁର୍ଥ ଶନିବାରକୁ ସରକାରୀ ଛୁଟି ଘୋଷଣା କରାଯାଇଛି । ସେଦିନ ପୂର୍ବାହ୍ନରେ କର୍ମଚାରୀମାନେ ଅଫିସ ଆସି କେବଳ ଟି-୫ ପାଠ ପଢ଼ିବେ । ଦପ୍ତର ମୁଖ୍ୟମାନେ ଏହି ପାଠ ପଢ଼ାଇବେ । କର୍ମଚାରୀମାନଙ୍କ ପ୍ରଶାସନିକ ଦକ୍ଷତା ବୃଦ୍ଧି ସହ ଅଧିକ ଲୋକାଭିମୁଖୀ କରିବାକୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏଥିସହ ସରକାରୀ କାର୍ଯ୍ୟ ସମୟର ଆଜି ପୁନଃ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର । ସରକାରୀ ଅଫିସ୍ ଗୁଡ଼ିକ ପ୍ରତିଦିନ ୧୦ଟାରୁ ଅଫିସ ଆରମ୍ଭ ହୋଇ ଅପରାହ୍ନ ୫.୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ୧.୩୦ ରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବିରତି ରହିବ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।