ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିବା, ବିଜେଡ଼ି ତାଙ୍କୁ ସମର୍ଥନ ଦେବା ଘଟଣା ଉଭୟ ଦଳର ତଳିଆ ନେତା, କର୍ମୀ ଏବଂ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ମନରେ ଭୟଙ୍କର ଦ୍ୱନ୍ଦ ସୃଷ୍ଟି କରିଛି । ଏଭଳି କେମିତି ହେଲା, ଆଗକୁ ଆଉ କ’ଣ ହେବ କେହି ଠଉରେଇ ପାରୁନାହାନ୍ତି । ସାଧାରଣ କର୍ମୀ କି ନେତାମାନଙ୍କ କଥା ଛାଡ଼ନ୍ତୁ, ବିଜେପି ଓ ବିଜେଡ଼ିର ତଥାକଥିତ ମୁଣ୍ଡିଆଳମାନେ ମଧ୍ୟ ଉପର ହାବଭାବର ଟେର୍ ପାଉନାହାନ୍ତି । ଅଶ୍ୱିନୀ ବୈଷ୍ଣବ କିଏ, ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ମୋଦି ଏବଂ ଶାହା କାହିଁକି ବ୍ୟଗ୍ର ହେଲେ ଏବଂ ସେମାନଙ୍କ ଆଗ୍ରହକୁ ସମ୍ମାନ ଜଣାଇ ନବୀନ ନିଜର ଗୋଟିଏ ଆସନକୁ କାହିଁକି ଟେକିଦେଲେ ତାହା ସମସ୍ତଙ୍କୁ ଅବୁଝା ହୋଇଛି ।
ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କ ନାଁ କିଛି ଗଣମାଧ୍ୟମରେ ଅତୀତରେ ଚର୍ଚ୍ଚା ହୋଇଥିଲା । ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବା ଲକ୍ଷ୍ୟରେ ବିଷ୍ଣୁ ଦାସଙ୍କୁ ନବୀନ ରାଜ୍ୟସଭାରୁ କୁଆଡ଼େ ହଟାଇ ଦେଇଥିଲେ । ମାତ୍ର କୌଣସି କାରଣରୁ ଶେଷ ମୁହୁର୍ତ୍ତରେ ନିଷ୍ପତ୍ତି ବଦଳାଇ ପ୍ରତାପ ଦେବଙ୍କୁ ପ୍ରାର୍ଥୀ କରିଥିଲେ । ଏହା ହେଉଛି ୨୦୧୭ ମସିହାର କଥା । ଏହାକୁ ଏବେ ବିଶ୍ୱାସ କରାଗଲେ, ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବା ପାଇଁ ନବୀନଙ୍କ ଉପରେ ନରେନ୍ଦ୍ର ମୋଦି ଓ ଅମିତ୍ ଶାହାଙ୍କ ଚାପ ଥିଲା ବୋଲି କୁହାଯାଇପାରିବ । ତେବେ ବୈଷ୍ଣବଙ୍କ ପାଇଁ ମୋଦି ଓ ଶାହାଙ୍କ ବ୍ୟଗ୍ରତା କାହିଁକି ଏବଂ ଓଡ଼ିଶାରୁ ରାଜ୍ୟସଭା ପଠାଇବାର ଇଚ୍ଛା ପଛରେ କାରଣ କ’ଣ?
କୁହାଯାଉଛି, ବୈଷ୍ଣବ ମୂଳତଃ ଆରଏସଏସ୍ ଚିନ୍ତାଧାରା ବ୍ୟକ୍ତି । ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ସେ ଥିଲେ ପ୍ରାଇଭେଟ୍ ସେକ୍ରେଟାରୀ । ୨୦୦୨ ଗୁଜୁରାଟ ଦଙ୍ଗା ଘଟଣାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବଞ୍ଚାଇବା ପାଇଁ ଏହି ବ୍ୟୁରୋକ୍ରାଟ୍ ଙ୍କର କୁଆଡ଼େ ବିଶେଷ ଭୂମିକା ଥିଲା । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବୈଷ୍ଣବଙ୍କ ଋଣ ସୁଝିବାକୁ ମନସ୍ଥ କରିଥିଲେ । ତେବେ ମୋଦିଙ୍କ ପସନ୍ଦର ପ୍ରାର୍ଥୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବାକୁ ସେତେବେଳେ ନବୀନଙ୍କର ପଛଘୁଞ୍ଚା ପଛରେ ଦଳୀୟ ବାଧ୍ୟବାଧକତା ଥିଲା ।
ରାଜନୈତିକ ସମୀକ୍ଷକଙ୍କ ମତରେ, ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ନବୀନ ପଟ୍ଟନାୟକଙ୍କ ଉପରେ ଦଳୀୟ ଚାପ ନାହିଁ କି ବାଧ୍ୟବାଧକତା ନାହିଁ । ପଞ୍ଚମ ପାଳି ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମ ଥର ଦିଲ୍ଲୀଗସ୍ତରେ ଯାଇଥିବା ବେଳେ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ ସମ୍ପର୍କରେ ଆଲୋଚନା ହୋଇଥାଇପାରେ । ଫଳସ୍ୱରୂପ, ମୋଦି ଓ ଶାହାଙ୍କୁ ନିରାଶ କରିବାକୁ ନବୀନ ଉଚିତ୍ ମଣିନାହାନ୍ତି । କାରଣ କେନ୍ଦ୍ରରେ ନିରଙ୍କୁଶ ମୋଦିଙ୍କୁ ହଲାଇ ପାରିବାର ଦମ୍ଭ ତାଙ୍କର ନାହିଁ । ବରଂ ମୋଦି ଚାହିଁଲେ ତାଙ୍କର ଅଶେଷ କ୍ଷତି କରିଦେଇପାରିବେ । ବିଭିନ୍ନ କାର୍ଯ୍ୟରେ ରାଜ୍ୟ ସରକାରଙ୍କୁ ପାଣି ପିଆଇଦେବେ । ଚିଟଫଣ୍ଡ ଭଳି ବିଭିନ୍ନ ମାମଲାରେ ତାଙ୍କ ନେତାଙ୍କୁ ଛନ୍ଦି ଦେଇପାରିବେ । ପଡ଼ୋଶୀ ପଶ୍ଚିମବଙ୍ଗର ଅବସ୍ଥା ଦେଖୁଥିବା ନବୀନ ଝାମେଲାରେ ନପଶି ମୋଦି ଓ ଶାହାଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଆଖିବୁଜା ସମର୍ଥନ ଦେଇଛନ୍ତି । ରାଜ୍ୟ ରାଜନୀତିରେ ନୂଆ ସମୀକରଣର ନିନ୍ଦା, ଅପବାଦକୁ ଖାତିର କରିନାହାନ୍ତି ।
ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ହେଲା ପରେ ଖଣି ବ୍ୟବସାୟୀ ପ୍ରଭାକରନ୍ ଙ୍କ ସହ ତାଙ୍କର ବ୍ୟବସାୟିକ ସମ୍ପର୍କ ନେଇ ଚର୍ଚ୍ଚା ବଢ଼ିଛି । ପ୍ରଭାକରନ୍ ଙ୍କ ତ୍ରିବେଣୀ ଆର୍ଥ ମୁଭର୍ସର ମୂଳ କମ୍ପାନୀ ତ୍ରିବେଣୀ ପେଲେଟ୍ସ ପ୍ରାଇଭେଟ ଲିମିଟେଡ଼ର ନିଦେ୍ର୍ଦଶକ ଅଛନ୍ତି ବୈଷ୍ଣବ । ଏହି କମ୍ପାନୀର ସେୟାର ରହିଥିବା ଅନ୍ୟ ଏକ କମ୍ପାନୀ ବ୍ରାହ୍ମଣୀ ରିଭର ପେଲେଟ୍ସ ଲିମିଟେଡ ଏବଂ ଆଡଲର ଇଣ୍ଡଷ୍ଟ୍ରିଆଲ୍ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ଼ର ମଧ୍ୟ ସେ ନିଦେ୍ର୍ଦଶକ ଅଛନ୍ତି । ବ୍ରାହ୍ମଣୀ ରିଭର ପେଲେଟ୍ସ ଲିମିଟେଡର ଅଫିସ ରହିଛି ଭୁବନେଶ୍ୱର ଇପିକଲ୍ ହାଉସ୍ ରେ । ଓଡ଼ିଶା କ୍ୟାଡରର ଏହି ଦକ୍ଷ ପୂର୍ବତନ ଆଇଏଏସ୍ ଅଫିସରଙ୍କ ବ୍ୟବସାୟିକ କାରବାରର ଚେର ତେଣୁ ବହୁତ ଲମ୍ବା । ଓଡ଼ିଶା ପ୍ରତି ତାଙ୍କର ବିଶେଷ ଦୁର୍ବଳତା ଥିବାରୁ ଏଠାରୁ ହିଁ ରାଜ୍ୟସଭା ଯିବାକୁ ଚାହିଁଛନ୍ତି । ତେଣୁ ଗତକାଲି ଆଗ ରାଜ୍ୟସଭା ପ୍ରାର୍ଥୀ ଘୋଷିତ ହେଲା ପରେ ଆଜି ରାଜ୍ୟ ବିଜେପି ଅଫିସକୁ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି ।
ରୋଚକ କଥାଟି ହେଉଛି, ପ୍ରଭାକରନ୍ ଙ୍କ ତ୍ରିବେଣୀ ଆର୍ଥ ମୁଭର୍ସ ରାଜ୍ୟ ବିଜେପି ଟାର୍ଗେଟ୍ ରେ ମୂଳରୁ ରହି ଆସିଛି । ବିଜେଡ଼ି ସହ ପ୍ରଭାକରନ୍ ଙ୍କ ସମ୍ପର୍କ ଓ ତାଙ୍କଠାରୁ ଦଳୀୟ ପାଣ୍ଠି ସଂଗ୍ରହକୁ ନେଇ ଅତୀତରେ ବିଜେପି ନେତାମାନେ ତମ୍ବିତୋଫାନ କରିଛନ୍ତି । ବିଧାନସଭାକୁ ବାରମ୍ବାର ହଲାଇ ଦେଇଛନ୍ତି । ସେହି ପ୍ରଭାକରନ୍ ଙ୍କ ବ୍ୟବସାୟିକ ସହଯୋଗୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କ ସମ୍ପର୍କ ଏବେ ସାମନାକୁ ଆସିଲାଣି । ଏହି ବୈଷ୍ଣବ ପୁଣି ଆଉ କେହି ନୁହଁନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପସନ୍ଦର ବ୍ୟକ୍ତି । ତେଣୁ ରାଜ୍ୟ ବିଜେପି ନେତାମାନଙ୍କ ପାଟି ଏବେ ବନ୍ଦ ହୋଇଯାଇଛି ।
ସେ ଯାହା ବି ହୁଅନ୍ତୁ, ଚଳିତ ନିର୍ବାଚନ ସମୟରେ ବିଜେଡ଼ି ଓ ବିଜେପି ନେତାଙ୍କ ତୀବ୍ର ଲଢ଼େଇ ଏବଂ ପରଷ୍ପର ପ୍ରତି ଆକ୍ଷେପୋକ୍ତି ବୋଧହୁଏ ଓଡ଼ିଶାର ନିର୍ବାଚନ ଇତିହାସରେ ଆଗରୁ ଦେଖିବାକୁ ମିଳିନାହିଁ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ନବୀନ ପଟ୍ଟନାୟକଙ୍କୁ ପୋଡ଼ା ଟ୍ରାନସଫରମର କହି ବଙ୍ଗୋପସାଗରରେ ଫିଙ୍ଗିଦେବାକୁ ଆହ୍ୱାନ ଦେଇଥିଲେ । ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ବି ନବୀନ ସରକାରଙ୍କୁ ଭ୍ରଷ୍ଟାଚାରୀ ସରକାର କହି ବଦଳେଇବାକୁ ଆହ୍ୱାନ ଦେଇଥିଲେ । ଉଭୟ ଓଡ଼ିଶାରେ ଡବଲ୍ ଇଂଜିନ୍ ର ନାରା ଦେଇଥିଲେ ।
ତେବେ ନିର୍ବାଚନ ସରିବା ପରେ ଉଭୟ ନେତାଙ୍କ ସୌଜନ୍ୟତା ନାଁରେ କୋଳାକୋଳି ଓଡ଼ିଶାବାସୀ ଦେଖୁଛନ୍ତି । ରାଜ୍ୟର ସ୍ୱାର୍ଥ ପାଇଁ କୌଣସି ଘୃଣା ଏବଂ ହୀନମନ୍ୟତା ନ ରହିବା ଠିକ୍ ହେଲେ ମଧ୍ୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା କଥା କହି ଆସୁଥିବା ନବୀନ ଯେ କୌଣସି କାରଣରୁ ବିଜେପି ଆଡକୁ ଢ଼ଳି ରହିଛନ୍ତି ତାହା ସ୍ପଷ୍ଟ ହୋଇଯାଇଛି । ନିଜର ଗୋଟିଏ ରାଜ୍ୟସଭା ଆସନକୁ ବିଜେପି ହାତରେ ଟେକି ଦେବା ପରେ ନବୀନଙ୍କର ସମଦୂରତା ଆଭିମୁଖ୍ୟ ଲୋକଙ୍କ ବିଶ୍ୱାସ ହରାଇଛି ।
ଅନ୍ୟପକ୍ଷରେ ଏହି ବୁଝାମଣାରେ ରାଜ୍ୟ ବିଜେପି ଅଧିକ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି । ନବୀନ ପଟ୍ଟନାୟକ ପୁଣି ୫ ବର୍ଷ ପାଇଁ ନିରଙ୍କୁଶ କ୍ଷମତା ପାଇଛନ୍ତି । ତାଙ୍କ ସରକାର ବିରୋଧରେ ଟାଣପଣ ଦେଖାଇବାର ସାମର୍ଥ ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟ ବିଜେପି ନେତାଙ୍କର ଆଉ ରହିବ ନାହିଁ । ମାପଚୁପରେ କଥା କହିବାକୁ ପଡ଼ିବ । ମୋଦି ଓ ଶାହାଙ୍କ ଇଚ୍ଛାକୁ ବୁଝିସୁଝି ଚାଲିବାକୁ ପଡ଼ିବ । ଉପରସ୍ତରର ବୁଝାମଣା ଅଧିକ କ୍ଷତିଗ୍ରସ୍ତ କରିଛି ତଳିଆ ନେତା ଓ କର୍ମୀଙ୍କୁ । ବିଜେଡ଼ି ବିରୋଧରେ କହିଲେ ମଲେ, ନକହିଲେ ମଲେ । ପୂରା ହୀନିମାନିଆ ଅବସ୍ଥା । ରାଜ୍ୟରେ ୨୩ ଆସନ ପାଇଥିବା ବିଜେପି ବାସ୍ତବରେ ବିରୋଧୀ ଦଳର ଭୂମିକାରେ ରହିବ ବୋଲି ଲୋକେ ଆଉ ବିଶ୍ୱାସ କରୁନାହାନ୍ତି ।