ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଛି ବିଧାନସଭା । ବିଜେଡ଼ି ବିଧାୟକମାନେ ଆଜି ବିଧାନସଭା ରଣନୀତି ବୈଠକ କରିଥିବା ବେଳେ ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳ ଆସନ ପାଇଥିବା ବିଜେପି ବିଧାୟକ ଦଳ ସେମାନଙ୍କ ନେତା ବାଛି ପାରିନାହାନ୍ତି । ବିରୋଧୀ ଦଳ ନେତା ଚୟନ ପାଇଁ ଅନୁଷ୍ଠିତ ଆଜିର ବୈଠକ ଫେଲ୍ ମାରିଛି । ୨୩ ଜଣିଆ ବିଜେପି ବିଧାୟକଙ୍କ ବୈଠକ ବସିଥିଲେ ମଧ୍ୟ କାହାରି ନାଁ ଉପରେ ପ୍ରସ୍ତାବ କି ଆଲୋଚନା ହୋଇ ପାରିନାହିଁ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଉପରକୁ ନିଷ୍ପତ୍ତି ଛାଡ଼ି ଦେଇଛନ୍ତି ବିଧାୟକ । ଦିନେ ଦୁଇ ଦିନ ମଧ୍ୟରେ ଶାହା ତାଙ୍କ ନିଷ୍ପତ୍ତି ଘୋଷଣା କରିବେ ବୋଲି କୁହାଯାଇଛି ।
ନିର୍ବାଚନ ସରି ଫଳ ବାହାରିବାର ଠିକ୍ ମାସକ ପରେ ଆଜି ବିଜେପି ବିଧାୟକ ଦଳର ନେତା ଚୟନ ବୈଠକ ଡକାଯାଇଥିଲା । ପାର୍ଟି ଅଫିସରେ ଏଥିପାଇଁ ବହୁ ଆଡମ୍ବର ହୋଇଥିଲା । କେନ୍ଦ୍ରରୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ସରୋଜା ପାଣ୍ଡେ । ରାଜ୍ୟ ପ୍ରଭାରୀ ଅରୁଣ ସିଂ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ୍ ଓରାମ, ସୁରେଶ ପୂଜାରୀ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସଂଗଠନ ସମ୍ପାଦକ ମାନସ ମହାନ୍ତି ଉପସ୍ଥିତ ଥିଲେ । ମିଟିଂ ଆରମ୍ଭ ହେଲା ପରିଚୟ ପର୍ବରୁ । ତାପରେ ସମସ୍ତେ ସମସ୍ତଙ୍କ ମୁହଁ ଚାହାଁଚୁହିଁ ହେଲେ । ନେତା ନାଁ ଧରି କେହି ପ୍ରସ୍ତାବକ ବାହାରିଲେନି । ସ୍କୁଲ ହେଡମାଷ୍ଟରଙ୍କୁ ପିଲା ଡରିଲା ଭଳିଆ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗରେ ଅଧିକାଂଶ ବିଧାୟକଙ୍କୁ ଅନୁରୂପ ଅବସ୍ଥାରେ ଦେଖିବାକୁ ମିଳିଥିବା ଜଣେ ବିଧାୟକଙ୍କଠାରୁ ସୂଚନା ମିଳିଛି । ତେବେ ସେ ଯାହା ହେଉ, ଆଗରୁ ସ୍କ୍ରିପ୍ଟ ପ୍ରସ୍ତୁତ ହେଲା ଭଳି ବିଧାୟକମାନଙ୍କ ମତ ଆସିଥିଲା । କହିଥିଲେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଯାହା ନିଷ୍ପତ୍ତି ନେବେ ଆମେ ମାନିନେବୁ । ତାପରେ ବିଧାନସଭା ରଣକୌଶଳ ଉପରେ କିଛି ସମୟ ଆଲୋଚନା ହୋଇ ମିଟିଂ ସରିଲା ।
ସୂଚନାଯୋଗ୍ୟ, ବିିରୋଧୀ ଦଳ ନେତା ପଦ ପାଇଁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁ ସର୍ବାଗ୍ରେ ଚର୍ଚ୍ଚା ହେଉଛି । ମାତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ସମ୍ପର୍କ ଭଲ ନ ଥିବାରୁ ସେ ତାଙ୍କୁ ଚାହୁଁ ନ ଥିବା କୁହାଯାଉଛି । ଏହି ଦୌଡରେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ, କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ନାଁ ବି ଚର୍ଚ୍ଚା ହେଉଛି । ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଡାର୍କ ହର୍ସ ବୋଲି କେହି କେହି ବିଚାର କରୁଛନ୍ତି ।
କିଛି ମହଲର ବିଶ୍ୱାସ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଉପରକୁ ନିଷ୍ପତ୍ତି ଛଡ଼ାଯିବା ଅର୍ଥ ଧର୍ମେନ୍ଦ୍ର ପ୍ରଧାନ ହିଁ ସ୍ଥିର କରିବେ ବିରୋଧୀ ଦଳ ନେତା । ଧର୍ମେନ୍ଦ୍ରଙ୍କ ନିଷ୍ପତ୍ତି ଉପରେ ସେ କେବଳ ମୋହର ମାରିବେ । ଏମିତି ହୋଇପାରେ, ଏହି ପଦ ପାଇଁ ପ୍ରମୁଖ ହକଦାର ଜୟନାରାୟଣଙ୍କୁ କୌଣସି କାରଣରୁ ଧର୍ମେନ୍ଦ୍ର ନିରାଶ କରି ନ ପାରନ୍ତି । ତେବେ ବିଧାୟକ ଦଳ ବୈଠକ ଜରିଆରେ ତାଙ୍କ ନାଁକୁ ସର୍ବସମ୍ମତିକ୍ରମେ ନ ବାଛି ସେ ଏକ ବାର୍ତ୍ତା ଦେବାକୁ ଚାହିଁଛନ୍ତି । ତୁମେ ବିଧାୟକ ଦଳର ନେତା ହୁଅ, ମନା ନାହିଁ । ହେଲେ ନିଷ୍ପତ୍ତି ମୋ ହାତରେ ।