ଭୁବନେଶ୍ୱର: ବିଜେଡ଼ି ଓ ବିଜେପି ମିଳାମିଶାରେ ଆଜି ଦାଖଲ ହୋଇଛି ରାଜ୍ୟସଭା ନାମାଙ୍କନ ପତ୍ର । ବିଜେଡ଼ିରୁ ଡ. ଅମର ପଟ୍ଟନାୟକ ଏବଂ ଡ. ସସ୍ମିତ୍ ପାତ୍ର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପିରୁ ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡିର ଦୁଇ ପ୍ରାର୍ଥୀଙ୍କ ନାମାଙ୍କନ ବେଳେ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀ, ବିଧାୟକ ଟିମ୍ ଉପସ୍ଥିତ ଥିଲେ । ବିଜେଡ଼ି ସମର୍ଥିତ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ବେଳକୁ ମୁଖ୍ୟମନ୍ତ୍ରୀ ଚାଲିଯାଇଥିଲେ ମଧ୍ୟ ଅନ୍ୟମାନେ ରହିଥିଲେ । ବିଜେପି ବିଧାୟକମାନଙ୍କ ଗହଣରେ ଆସିଥିବା ଅଶ୍ୱିନୀ ବୈଷ୍ଣବଙ୍କ ନାମାଙ୍କନ ଶେଷ ପର୍ଯ୍ୟନ୍ତ ଅନେକ ଅପେକ୍ଷା କରିଥିଲେ ।
ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରାର୍ଥୀ ଅମର ପଟ୍ଟନାୟକ ଏବଂ ସସ୍ମିତ୍ ପାତ୍ର ପହଞ୍ଚଥିଲେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ଚାମ୍ବରରେ । ସାଙ୍ଗରେ ଥିଲେ ସବୁ ମନ୍ତ୍ରୀ ଓ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଥିଲେ । ଉଭୟ ତିନି ସେଟ୍ ଲେଖାଏଁ ନାମାଙ୍କନ ପତ୍ର ଦେଇଥିଲେ । ପ୍ରତି ସେଟ୍ ରେ ଥିଲେ ୧୦ ଜଣ ପ୍ରସ୍ତାବକ । ତାପରେ ମୁଖ୍ୟମନ୍ତ୍ରୀ ସେଠାରୁ ଚାଲି ଯାଇଥିଲେ ମଧ୍ୟ ଅନେକ ମନ୍ତ୍ରୀ ଓ ବିଧାୟକ ସ୍ଥାନ ଛାଡ଼ି ନ ଥିଲେ । ସେମାନଙ୍କ ଅପେକ୍ଷା ଥିଲା ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ଆଗମନକୁ । ପ୍ରାୟ ସାଢ଼େ ଦୁଇଟା ବେଳକୁ ବିଜେପି ବିଧାୟକମାନଙ୍କ ଗହଣରେ ଅଶ୍ୱିନୀ ଆସିଥିଲେ । ଅମର ଓ ସସ୍ମିତ୍ ଙ୍କ ପାଖରେ ବସି ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେ ଦୁଇ ସେଟ୍ ନାମାଙ୍କନ ପତ୍ର ଦେଇଥିଲେ ।
ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ୨୬ ତାରିଖରେ ପ୍ରାର୍ଥୀପତ୍ର ଗୁଡ଼ିକର ଯାଞ୍ଚ ହେବ । ଆବଶ୍ୟକ ପଡ଼ିଲେ, ଜୁଲାଇ ୫ ତାରିଖରେ ନିର୍ବାଚନ ହୋଇ ଅପରାହ୍ନରେ ଫଳ ଘୋଷଣା ହେବ ।
ଅମର-ଅଶ୍ୱିନୀ ୫ ବର୍ଷ, ସସ୍ମିତ୍ ୩ ବର୍ଷ
ଅମର ପଟ୍ଟନାୟକ ଓ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ୫ ବର୍ଷ ଏବଂ ଡ. ସସ୍ମିତ୍ ପାତ୍ରଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ । ୨୦୨୪ ଏପ୍ରିଲ୍ ରେ କାର୍ଯ୍ୟକାଳ ସରୁଥିବା ଡ. ଅଚ୍ୟୁତ ସାମନ୍ତଙ୍କ ଜାଗାରେ ଅମର ପଟ୍ଟନାୟକ ରାଜ୍ୟସଭା ଯାଉଥିବା ବେଳେ ସେହି ୨୦୨୪ ଏପ୍ରିଲ୍ ରେ କାର୍ଯ୍ୟକାଳ ସରୁଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜାଗାରେ ଅଶ୍ୱିନ ବୈଷ୍ଣବ ଯିବେ ରାଜ୍ୟସଭା । ୨୦୨୨ ଜୁଲାଇରେ କାର୍ଯ୍ୟକାଳ ସରୁଥିବା ପ୍ରତାପ ଦେବଙ୍କ ଜାଗାରେ ରାଜ୍ୟସଭା ଯିବେ ଡ. ସସ୍ମିତ୍ ପାତ୍ର ।
ତେବେ ରାଜ୍ୟସଭାର ଏହି ଗଣିତକୁ ନେଇ ଅନେକ ରୋଚକ ଆଲୋଚନା ହେଉଛି । ବିଜେଡ଼ି ୩ ବର୍ଷିଆ ସିଟ୍ କୁ ହାତରେ ରଖି ବିଜେପିକୁ ୫ ବର୍ଷିଆ ସିଟ୍ ବଢ଼ାଇ ଦେଲା । ତେଣୁ ବିଜେପିର ଖୁସି ପାଇଁ ବିଜେଡ଼ି କ୍ଷତିକୁ ଆବୋରିନେଲା ବୋଲି କୁହାଯାଉଛି । ସେହିଭଳି ସୌମ୍ୟଙ୍କ ଜାଗାରେ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ପରଫେକ୍ଟ ମ୍ୟାଚିଂ ବୋଲି ଅନେକ ଅଭିହିତ କରୁଛନ୍ତି । ଜଣେ ଖଣି ବେପାରୀଙ୍କ ଜାଗାରେ ଆଉ ଜଣେ ଖଣି ବେପାରୀ ଆସିଲେ ବୋଲି କଟାକ୍ଷ କରାଯାଉଛି ।