ଭୁୁବନେଶ୍ୱର: ବିରୋଧୀ ଦଳ ନେତା ପଦବୀ ପାଇଁ ଜୟନାରାୟଣ ମିଶ୍ରଙ୍କ ରାସ୍ତାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ୍ଟା । ଏକଥା ଆମେ(ମିଡ଼ ଡ଼େ ଓଡ଼ିଶା) ପୂର୍ବରୁ ଲେଖିଥିଲୁ । ବିଧାୟକ ଦଳ ବୈଠକରେ ନେତା ନିର୍ବାଚନ ନ ହୋଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଉପରକୁ ନିଷ୍ପତ୍ତି ଛଡ଼ାଯିବା ପରେ ଆମେ ଲେଖିଥିଲୁ ‘ଧର୍ମେନ୍ଦ୍ରଙ୍କ ନିଷ୍ପତ୍ତି ଶୁଣାଇବେ ଶାହା’ । ମୋଟାମୋଟି ସେୟା ହୋଇଛି । ବିରୋଧୀ ଦଳ ନେତା ଭାବେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକଙ୍କ ନାଁ ଘୋଷଣା ହୋଇଛି ।
ଜୟନାରାୟଣଙ୍କ ସହ ଧର୍ମେନ୍ଦ୍ରଙ୍କର ସମ୍ପର୍କ ଆଦୌ ଭଲ ନୁହେଁ । ଜୟନାରାୟଣଙ୍କୁ ଉପରକୁ ଉଠାଇବାକୁ ଧର୍ମେନ୍ଦ୍ର କେବେ ଚାହିଁବେନି । ଏକଥା ବିଜେପି ମହଲରେ ସମସ୍ତେ ଊଣା ଅଧିକ ବିଶ୍ୱାସ କରନ୍ତି । ଦିଲ୍ଲୀରୁ ସେଭଳି କୌଣସି ଚକମା ନହେଲେ ସେ ବିରୋଧୀ ଦଳ ନେତା ପଦ ପାଇବା ଅସମ୍ଭବ ବୋଲି ନିଜେ ଜୟନାରାୟଣ ମଧ୍ୟ ଭଲଭାବେ ଜାଣିଥିଲେ । ବିଧାୟକ ଦଳର ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଉପରକୁ ନିଷ୍ପତ୍ତି ଛଡ଼ାଯିବା ପରେ ଜୟନାରାୟଣ ମନରୁ ଆଶା ଛାଡ଼ି ଦେଇଥିଲେ । କାରଣ ଅମିତ୍ ଶାହାଙ୍କ ନାଁରେ ଧର୍ମେନ୍ଦ୍ରଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ ହେବ ବୋଲି ସ୍ପଷ୍ଟ ହୋଇଯାଇଥିଲା ।
ତେବେ ଧର୍ମେନ୍ଦ୍ର ଯେ ପ୍ରଦୀପ୍ତଙ୍କୁ ଚାହୁଁଥିଲେ ତାହା ବି ଦଳର ଅନେକ ନେତାଙ୍କୁ ବିଶ୍ୱାସ ହେଉନି । ସେମାନଙ୍କ କହିବା କଥା, ଧର୍ମେନ୍ଦ୍ର ସୁବାସ ପାଣିଗ୍ରାହୀ ନଚେତ ବିଷ୍ଣୁ ସେଠୀଙ୍କୁ ବିରୋଧୀ ଦଳ ନେତା କରିବାକୁ ମନସ୍ଥ କରିଥିଲେ । ମାତ୍ର ଶେଷ ମୁହୁର୍ତ୍ତରେ ପ୍ରଦୀପ୍ତ ନାୟକଙ୍କ ପାଇଁ କୌଣସି ଅଦୃଶ୍ୟ ଶକ୍ତିର ଇସାରା କାମ କରିଛି । ସମ୍ଭବତଃ ଧର୍ମେନ୍ଦ୍ର ଏହାକୁ ଟାଳି ପାରିନାହାନ୍ତି । ତେବେ ଏହି ଅଦୃଶ୍ୟ ଶକ୍ତି କିଏ ତାହାକୁ ନେଇ ବିଭିନ୍ନ ରକମର ଚର୍ଚ୍ଚା ହେଉଛି ।
ନୂଆ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏଥରକୁ ମିଶାଇ ଚାରି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ମେଣ୍ଟ ସରକାରଙ୍କ ସମୟରେ ସେ ମନ୍ତ୍ରୀ ଥିଲେ । ୨୦୧୪ରେ କଳାହାଣ୍ଡି ଲୋକସଭା ଆସନରୁ ଲଢ଼ି ହାରିଥିଲେ । ଚଳିତଥର ସେ ପୁନର୍ବାର ସେଠାରୁ ଲୋକସଭା ଲଢ଼ିବାକୁ ଆଗ୍ରହୀ ଥିଲେ । ମାତ୍ର ଟିକେଟ ମିଳିଲା ନାହିଁ । ଲୋକସଭା ପରିବର୍ତ୍ତେ ଭବାନୀପାଟଣା ବିଧାନସଭାରୁ ତାଙ୍କୁ ଟିକେଟ ଦିଆଯିବାରୁ ଅସନ୍ତୁଷ୍ଟ ଥିଲେ । ବିଜେପି ଟିକେଟ ଫେରାଇ ବିଜେଡ଼ିରେ ମିଶିଯିବେ ବୋଲି ଚର୍ଚ୍ଚା ହେଲା । ଖାଲି ଚର୍ଚ୍ଚା ନୁହେଁ, ସଂଧ୍ୟାରେ ଲୁଚିଛପି ନବୀନ ନିବାସକୁ ଯାଇଥିବା ବେଳେ କିଛି ଗଣମାଧ୍ୟମ ହାବୁଡ଼ରେ ପଡ଼ିଥିଲେ । ତେବେ ନବୀନ ନିବାସରୁ ବାହାରି ସେ ରହସ୍ୟଜନକ ଭାବେ ଅନ୍ତର୍ଦ୍ଧାନ ହୋଇଗଲେ ଏବଂ କିଛି ସମୟ ପରେ ତାଙ୍କୁ ବିଜେପି ଅଫିସରେ ସାମ୍ବାଦିକ ସମ୍ମିଳନୀ କରୁଥିବା ଦେଖାଯାଇଥିଲା । ବିଜେଡ଼ିରେ ମିଶିବା ଖବର ମିଛ ବୋଲି ସଫେଇ ଦେଇଥିଲେ । କୌଣସି ଚାପରେ ସତକୁ ମିଛ କହିବାକୁ ସେ ବାଧ୍ୟ ହୋଇଥିଲେ ।
ସେ ଯାହା ହେଉ, ଏବେ ସେ ବିରୋଧୀ ଦଳ ନେତା । ଜଣେ ସରଳ, ମିଷ୍ଟଭାଷୀ ନେତା ଭାବେ ତାଙ୍କର ପରିଚୟ ରହିଛି । ତାଙ୍କର ଉଚ୍ଚ ବ୍ୟକ୍ତିତ୍ୱ ଯୋଗୁଁ ସେ ସମସ୍ତଙ୍କ ଗ୍ରହଣୀୟ ହେବାରେ ଅସୁବିଧା ନାହିଁ । ତେବେ ବିରୋଧୀ ଦଳ ନେତା ଭାବେ ଶାସକ ଦଳକୁ ଅଡୁଆରେ ପକାଇଲା ଭଳି ସ୍ୱର ତାଙ୍କ ପାଖରେ ଅଭାବ ରହିଛି । ହୁଏତ ଶାସକ ଦଳ ପାଇଁ ଏହା ଆଶ୍ୱସ୍ତ ହୋଇପାରେ ।