ଇନ୍ଦୋର: ଓଡ଼ିଶାରେ ପାଟଣାଗଡ଼ର ବିଜେଡ଼ି ବିଧାୟକ ସରୋଜ ମେହେର ଜଣେ ଜେଇଙ୍କୁ ସମସ୍ତଙ୍କ ସାମନାରେ ବସଉଠ୍ କରି ଜେଲ୍ ଯାଇଛନ୍ତି । ଆଜି ମଧ୍ୟପ୍ରଦେଶ ଇନ୍ଦୋରର ବିଜେପି ବିଧାୟକ ଆକାଶ ବିଜୟଭର୍ଗିୟାଙ୍କ ଉତ୍ପାତ କିନ୍ତୁ ସୀମା ଟପିଯାଇଛି । ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ମ୍ୟୁନିସିପାଲ୍ କର୍ପୋରେସନ୍ ର ଜଣେ ଅଧିକାରୀଙ୍କୁ ସମସ୍ତଙ୍କ ସାମନାରେ ଏକ ବ୍ୟାଟ୍ ରେ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି । ଏହି ଯୁବ ବିଧାୟକ ପୁଣି ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ବିଜେପି ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟାଙ୍କ ସୁପୁତ୍ର । ବିଧାୟକଙ୍କ ପାଶବିକ ମାଡ଼ର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି । ଘଟଣାର ୬ ଘଣ୍ଟା ପରେ ବିଧାୟକଙ୍କୁ ପୁଲିସ ଗିରଫ କରିଛି ।
ଇନ୍ଦୋର ସହରର ଗଞ୍ଜି ଅଞ୍ଚଳରେ ବେଆଇନ ଜବରଦଖଲରେ ଥିବା ଏକ ଦଦରା କୋଠାକୁ ବର୍ଷା ପୂର୍ବରୁ ହଟେଇବା ପାଇଁ ଇନ୍ଦୋର ମ୍ୟୁନସିପାଲ୍ କର୍ପୋରେସନ୍ ର ଜବରଦଖଲ ଉଚ୍ଛେଦକାରୀ ଟିମ୍ ଆସିଥିଲେ । ସ୍ଥାନୀୟ ବାସିନ୍ଦାଙ୍କଠାରୁ ଏହି ଖବର ପାଇ ବିଧାୟକ ଆକାଶ ସେଠାକୁ ତୁରନ୍ତ ଆସି ପହଞ୍ଚିଥିଲେ । ହାତରେ ଧରି ଆସିଥିଲେ ଏକ କ୍ରିକେଟ୍ ବ୍ୟାଟ୍ । ଟିମ୍ ର ନେତୃତ୍ୱ ନେଉଥିବା ଅଧିକାରୀଙ୍କୁ ଜବରଦଖଲ କାର୍ଯ୍ୟରୁ ନିବୃତ କରାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସେ ଯୁକ୍ତିତର୍କ କରିବାରୁ ବିଧାୟକ ସେହି ଅଫିସରଙ୍କୁ ସିଧାସଳଖ ବ୍ୟାଟ୍ ରେ ପିଟିବା ଆରମ୍ଭ କରିଥିଲେ । ଅଧିକାରୀଜଣଙ୍କ ପ୍ରାଣ ବିକଳରେ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ବିଧାୟକ ତାଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ । ଜବରଦଖଲ ଉଚ୍ଛେଦ କାର୍ଯ୍ୟରେ ଲାଗିଥିବା କର୍ମଚାରୀଙ୍କୁ ବି ବ୍ୟାଟ୍ ରେ ପିଟିଥିଲେ ବିଧାୟକ ।
ଶହ ଶହ ଲୋକ ଏବଂ ଗଣମାଧ୍ୟମର କ୍ୟାମେରା ଆଗରେ ଚାଲିଥିଲା ବିଧାୟକଙ୍କ ଦବଙ୍ଗଗିରି । କ୍ଷମତାର ଅହଂକାର ଏବଂ ବଳରେ କାହାରିକୁ ଡର ନ ଥିଲା କି ମନରେ ସଙ୍କୋଚ ନ ଥିଲା । ଆହୁରି ସାଂଘାତିକ କଥା ହେଉଛି, ଅଫିସରଙ୍କୁ ବ୍ୟାଟ୍ ରେ ପିଟି ସବୁଆଡୁ ସମାଲୋଚନାର ଶିକାର ହୋଇଥିଲେ ମଧ୍ୟ ତାଙ୍କର ଲଜ୍ଜା କି ଅନୁତାପ ନାହିଁ । ଯାହା କରିଛନ୍ତି ଠିକ୍ କରିଛନ୍ତି ଏବଂ ଭବିଷ୍ୟତରେ ଏଭଳି କାର୍ଯ୍ୟ ଜାରି ରଖିବେ ବୋଲି ସେ ଗଣମାଧ୍ୟମ ସାମନାରେ ଦମ୍ଭର ସହ ଘୋଷଣା କରିଛନ୍ତି । ଯୁକ୍ତି କରିଛନ୍ତି, ତାଙ୍କ ଦଳ(ବିଜେପି) ର କାର୍ଯ୍ୟଧାରା ଦନା ଦନ । ଆଗ ଅନୁରୋଧ, ତାପରେ ନିବେଦନ ଏବଂ ଶେଷରେ ମାଡ଼ । ସଂପୃକ୍ତ ବିଲଡିଂ ଉଚ୍ଛେଦ ପାଇଁ ମାଲିକ ଏବଂ କର୍ପୋରେସନ୍ ମଧ୍ୟରେ ବୁଝାମଣା ହୋଇଥିଲେ ମଧ୍ୟ ସେଠାରେ ସ୍ଥାନୀୟ ବାସିନ୍ଦାମାନେ ଆଶ୍ରୟ ନେଇଛନ୍ତି । ତେଣୁ ସେମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଯାହା ଠିକ୍ ତାହା ସେ କରିଛନ୍ତି ବୋଲି ସଫେଇ ଦେଇଛନ୍ତି ।
ଶେଷ ଖବର ଅନୁଯାୟୀ, ମାଡ଼ ଖାଇଥିବା ଅଧିକାରୀଙ୍କ ଏତଲାକ୍ରମେ ଇନେ୍ଦାର ପୁଲିସ ବିଧାୟକଙ୍କୁ ଗିରଫ କରିଛି ।