ଭୁବନେଶ୍ୱର: ହାକିମ ହୋଇ ଖାଲି ନିର୍ଦ୍ଦେଶ ଦେଇଦେଲେ ଲୋକଙ୍କ ସମସ୍ୟାର ସମାଧାନ ହୋଇଯାଏନି । ନିଚ୍ଛକ ସାମାଜିକ ସମସ୍ୟାଗୁଡ଼ିକ ନିଜ ଅନୁଭବକୁ ଆଣି ତାହାର ପ୍ରତିରୋଧ ଏବଂ ସମାଧାନର ରାସ୍ତାରେ ପ୍ରତ୍ୟକ୍ଷ ଭାବରେ ସାମିଲ ହେବା କ୍ୱଚିତ୍ ସରକାରୀ ବାବୁଙ୍କ ଠାରେ ଦେଖିବାକୁ ମିଳିଥାଏ । ଆମ ରାଜ୍ୟର ଜଣେ ମହିଳା ଆଇପିଏସ୍ ଅଧିକାରୀଙ୍କ ଏଭଳି ମହନୀୟ କାର୍ଯ୍ୟ ଆଜି ସମସ୍ତଙ୍କ ପାଇଁ ଗର୍ବର ବିଷୟ ପାଲଟିଛି । ନାବାଳିକା ଏବଂ ମହିଳାମାନଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ଆରମ୍ଭ କରିଛନ୍ତି ଅଭିଯାନ । ଅଭିଯାନର ନେତୃତ୍ୱ ଖାଲି ନେଇନାହାନ୍ତି, ତାହାକୁ ଅଧିକ ପ୍ରଭାବୀ କରିବା ପାଇଁ ନିଜ ମୁହଁରେ ଲୋକଙ୍କୁ ଗୀତ ଶୁଣାଇଛନ୍ତି ।
ଗଜପତି ଜିଲ୍ଲାର ଏସପି ସାରା ଶର୍ମାଙ୍କ ଏହି କାର୍ଯ୍ୟ ଆଜି କେବଳ ଗଜପତି ନୁହେଁ ସମଗ୍ର ରାଜ୍ୟବାସୀଙ୍କ ହୃଦୟ ଛୁଇଁଯାଇଛି । କିଶୋରୀ, ଯୁବତୀ ଓ ମହିଳାଙ୍କ ଉପରେ ବଢ଼ି ଚାଲିଥିବା ଅପରାଧିକ କାର୍ଯ୍ୟରେ ରୋକ୍ ଲଗାଇ ସେମାନଙ୍କୁ ସୁରକ୍ଷା ଦେବା ସହ ସଶକ୍ତ କରିବା ପାଇଁ ଗଜପତି ଜିଲ୍ଲା ପୁଲିସ ପକ୍ଷରୁ ଆସନ୍ତା ୨୮ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି ଏକ ପାଇଲଟ୍ ପ୍ରୋଜେକ୍ଟ । ଯାହାର ନାଁ ରହିଛି ସି ଟିମ୍ । ବିପଦରେ ପଡ଼ିଥିବା ନାବାଳିକା ଓ ମହିଳାମାନଙ୍କୁ ରକ୍ଷା କରିବା ହେବ ଏହି ଟିମ୍ ର କାର୍ଯ୍ୟ ।
ଗତ ସୋମବାର ଦିନ ଏହାର ଲୋଗୋ ଉଦଘାଟନ ହୋଇଥିବା ବେଳେ ଆଜି ଏହାର ଥିମ୍ କୁ ନେଇ ଏକ ଭିଡ଼ିଓ ଆଲବମ୍ ଲୋକାର୍ପଣ ହୋଇଛି । ‘ ନାରୀର ସୁରକ୍ଷା ପାଇଁ କରିଛି ପଣ, ଦେଶ ପାଇଁ ନିଜକୁ କରିଛି ପଣ’ ଶୀର୍ଷକର ଗୀତଟିକୁ ନିଜେ ଏସପି ସାରା ଶର୍ମା ଗାଇଛନ୍ତି । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତିି ଗୁରୁ ରଘୁନାଥ ପାତ୍ର । ଭିଡ଼ିଓ ଆଲବମ୍ ଟି ଆଜି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇ ସମସ୍ତଙ୍କ ପ୍ରଶଂସା ସାଉଁଟିଛି । ଜଣେ ପୋଖତ ଗାୟିକା ଭଳି ଅତି ସୁନ୍ଦର କଣ୍ଠଶ୍ୱର ଦେଇଛନ୍ତି ସାରା । ଗୀତରେ ରହିଥିବା ଇମୋସନ୍ ଓ ଅପିଲ୍ ଏହାର ପ୍ରକୃତ ଉଦ୍ଦେଶ୍ୟର ଯଥାର୍ଥତା ପ୍ରତିପାଦିତ କରିଛି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଆଲବମ୍ ଟି ଯଥେଷ୍ଟ ବୋଲି କୁହାଯାଉଛି ।
ଶ୍ରୀମତୀ ଶର୍ମା କହିଛନ୍ତି, ଗଜପତି ଜିଲ୍ଲାରେ କାର୍ଯ୍ୟ କରିବା ବେଳେ ବହୁ ମହିଳାଙ୍କ ସହ ମିଶି ସେମାନଙ୍କ ଅସୁବିଧା ସମ୍ପର୍କରେ ଜାଣିବାକୁ ପାଇଲି । ରାତିରେ ମହିଳାମାନେ ଏକୁଟିଆ ଯିବାକୁ ଭୟ କରିବେ କାହିଁକି? ଏହି ପ୍ରଶ୍ନ ମୋ ମନକୁ ଦୋହଲାଇ ଦେଲା । ତାପରେ ନାରୀ ସୁରକ୍ଷା ପାଇଁ ଏକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ମନରେ ଚିନ୍ତା ଆସିଲା । ପ୍ରଥମେ ଲୋକଙ୍କୁ ସଚେତନତା କରାଇବା ଉଦେ୍ଦଶ୍ୟରେ ଏହି ଗୀତର ପରିକଳ୍ପନା କରାଯାଇଛି ।
ସୂଚନାଯୋଗ୍ୟ, ୨୦୧୦ ବ୍ୟାଚ୍ ର ଏହି ଆଇପିଏସ୍ ଅଧିକାରୀଙ୍କ ଦକ୍ଷତା ଓ ସୃଜନଶୀତଳତା ବେଶ୍ ପ୍ରଶଂସନୀୟ । ଜଣେ ଦକ୍ଷ ପୁଲିସ ଅଫିସର ଭାବେ ତାଙ୍କର ଯଥେଷ୍ଟ ସୁନାମ ଥିବା ବେଳେ ସାମାଜିକ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ସମାଜରେ ବୃଦ୍ଧି ପାଉଥିବା ଆତ୍ମହତ୍ୟା ରୋକିବା ଦିଗରେ ତାଙ୍କର ଏକ କ୍ଷୁଦ୍ର ଗଳ୍ପ “ବର୍ନ ଟୁ ଫ୍ଲାଏ” ଦୁଇବର୍ଷ ତଳେ ପୁରସ୍କାର ଲାଭ କରିଥିଲା ।