ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଲୁଲୁଙ୍କ ଅଣ୍ଡା ଥିଓରୀ ପ୍ରସାଦଙ୍କ ଫଣ୍ଡା ହଜାଇଦେଇଛି । ଲାଗୁଛି, ଏଇ ଅଣ୍ଡା ବଳରେ ଲୁଲୁ କଂଗ୍ରେସର ଯୁବ ଓ ଛାତ୍ର ସଂଗଠନକୁ କବଜା କରିନେଲେଣି । ପ୍ରସାଦ ଜଳକା ହୋଇ ଚାହିଁ ରହିବା ଛଡ଼ା ଅନ୍ୟ ବାଟ ପାଉନାହାନ୍ତି । ମନ୍ତ୍ରୀଙ୍କ ଉପରକୁ କଂଗ୍ରେସର ଅଣ୍ଡାମାଡ଼ ପ୍ରସଙ୍ଗରେ ମିଡ଼ିଆ ପ୍ରସାଦଙ୍କ ପ୍ରତିକ୍ରିୟା ଯେବେ ଚାହୁଁଛି ପ୍ରସାଦ ପାଟି ଚୁପ୍ କରି ଚାଲିଯାଉଛନ୍ତି । ବୁମ୍ ଓ କ୍ୟାମେରା ସାମନାରେ ଅଣ୍ଡା କଥା ପଚାରିଦେଲେ ଛାନିଆଁ ହୋଇଯାଉଛନ୍ତି ସେ । ପ୍ରସାଦଙ୍କ ସାଙ୍ଗରେ ସାମ୍ବାଦିକ ସମ୍ମିଳନୀରେ ବସି ଜୟରାମ ରମେଶ ଅଣ୍ଡାମାଡ଼ ପ୍ରସଙ୍ଗକୁ ହାଲକେଇ ସମର୍ଥନ କରିଥିଲେ ବି ପ୍ରସାଦଙ୍କର ସେ ସାହାସ ନାହିଁ । କି ଅଣ୍ଡାମାଡ଼କୁ ବିରୋଧ କରିବାର ସାହାସ ନାହିଁ ।
ବୁଦ୍ଧିମାନ ପ୍ରସାଦଙ୍କ ପାଇଁ ଏହା ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ବ୍ରହ୍ମହତ୍ୟା ଭଳି ହୋଇଛି । ଖାଲି ପ୍ରସାଦ ନୁହଁନ୍ତି ଦଳର ଅନେକ ବରିଷ୍ଠ ନେତା ମନ ଭିତରେ ଲୁଲୁଙ୍କ କାର୍ଯ୍ୟକଳାପ ଓ ଭୂମିକାକୁ ବିରୋଧ କରୁଥିଲେ ବି ତାଙ୍କ ମୁହଁରେ କି ବାହାରେ କହିବାକୁ ସାହସ ଜୁଟାଇ ପାରୁନାହାନ୍ତି । ମିଡ଼ିଆ ଫ୍ରେଣ୍ଡଲି କୁହାଯାଉଥିବା ଜୟଦେବ ଜେନା ଅନ୍ୟ ପ୍ରସଙ୍ଗରେ କହିବାକୁ ସଜବାଜ ହୋଇ ବସୁଥିଲେ ମଧ୍ୟ ଅଣ୍ଡା ଉପରେ ପଚାରିଲେ ପାଟି ଚୁପ୍ କରି କ୍ୟାମେରା ବନ୍ଦ କରିବାର ଇସାରା ଦେଉଛନ୍ତି । ଜୟଦେବଙ୍କ ଯୁକ୍ତି- ତାଙ୍କ ଭଳି ଜଣେ ସିନିୟର ନେତା ଅଣ୍ଡା ମାଡ଼ ଘଟଣାକୁ ସମର୍ଥନ କଲେ ଲୋକେ ଗ୍ରହଣ କରିବେନି । ଛିଛାକର କରିବେ । ସେପଟେ ଅଣ୍ଡାମାଡ଼କୁ ବିରୋଧ କଲେ ଲୁଲୁଙ୍କୁ ସମ୍ଭାଳି ପାରିବେନି । ପୁଅ କଂଗ୍ରେସ ରାଜନୀତିରେ ପାହାଚ ଚଢ଼ୁଛି । ଲୁଲୁ ରାଗିଲେ ବରବାଦ କରିଦେବେ । ଏଣୁ କ’ଣ ମିଳିବ ସେଥିରୁ । ବେଟର୍ କିଛି ନ କହିବା । ଖାଲି ଜୟଦେବ ନୁହଁନ୍ତି ଦଳର ଅଧିକାଂଶ ନେତାଙ୍କର ବି ସମାନ ମତ । ଅଣ୍ଡାମାଡ଼ ବିରୋଧରେ ମନ୍ତବ୍ୟ ଦେଇ ଲୁଲୁଙ୍କ ଶତ୍ରୁ ହେବାକୁ ଚାହୁଁନାହାନ୍ତି । ଏଭଳି ପରିସ୍ଥିତିରେ ପ୍ରସାଦ ହରିଚନ୍ଦନ କ’ଣ କରିବେ ନିଜେ ବୁଝିପାରୁନାହାନ୍ତି ।
ତେଣେ ଯୁବ ଓ ଛାତ୍ର କଂଗ୍ରେସର ଅଣ୍ଡାମାଡ଼ ପଛରେ ଲୁଲୁଙ୍କ ପ୍ରତ୍ୟକ୍ଷ ଭୂମିକା ଆଉ ଲୁଚାଛପା ନାହିଁ । ଦୀର୍ଘ ୧୫ ବର୍ଷ ଧରି ଚୁପ୍ ବସିଥିବା ଲୁଲୁଙ୍କୁ ଏଥର ଭଲ ମଉକାଟେ ମିଳିଯାଇଛି । ନିଜ ନିର୍ବାଚନମଣ୍ଡଳୀର ରାଜନୈତିକ ପ୍ରତିଦ୍ୱନ୍ଦୀ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ବିଭାଗର କେଳେଙ୍କାରୀକୁ ସେ ସହଜେ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ଏହି ମାମଲା ତାଙ୍କୁ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ବାଟ ଦେଖାଇଛି । ପ୍ରଥମରେ ସଞ୍ଜୟଙ୍କୁ ଏଇ ବାଟେ ଖତମ୍ କରିବା ଏବଂ ଦ୍ୱିତୀୟରେ ସୁପ୍ତ ଅବସ୍ଥାରେ ଥିବା ଯୁବ ଓ ଛାତ୍ର ସଂଗଠନକୁ ଚଳଚଞ୍ଚଳ କରିବା । ଅବିକା ସ୍ଥିତିରେ ଲୁଲୁ ଦ୍ୱିତୀୟ ଶିକାରରେ ସଫଳତା ଗୋଟାଇବା ଆରମ୍ଭ କରିଛନ୍ତି । ଜଣେ ଦି ଜଣ ହୁଅନ୍ତୁ ପଛେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରି ଛାତ୍ର କି ଯୁବ କଂଗ୍ରେସ କର୍ମୀ ଯେଉଁ ମାହୋଲ ବନାଉଛନ୍ତି ତାହା ହିଁ କଂଗ୍ରେସିଆଙ୍କୁ ଚଳଚଞ୍ଚଳ କରାଇବାକୁ ଯଥେଷ୍ଟ ବୋଲି ଲୁଲୁ ଅଙ୍କ କଷିଛନ୍ତି । ଏହା କରି ଲୁଲୁ ଆସ୍ତେ ଆସ୍ତେ ଦୁଇ ଛାମୁଆ ସଂଗଠନକୁ ହାତକୁ ନେବା ସହ ମୁଖ୍ୟ ସଂଗଠନ ନେତୃବୃନ୍ଦଙ୍କୁ ଚୁପ୍ କରାଇଦେଇଛନ୍ତି ।
ପ୍ରସାଦଙ୍କ ହାତରୁ ଦଳର ନିୟନ୍ତ୍ରଣ ଖସିଯାଉଥିଲେ ମଧ୍ୟ ନବୀନ ସରକାରଙ୍କ ବିରୋଧରେ ହାୱା ସୃଷ୍ଟି ପାଇଁ ଏହା ହିଁ ଠିକ୍ ମାଧ୍ୟମ ବୋଲି ସେ ନିଜେ ବି ବୁଝୁଥିବେ । କାରଣ ଖଣି,ପାଣି,କୋଇଲା,ଚିଟଫଣ୍ଡ ଉପରେ ଯେତେ ଭାଷଣ ଦେଲେ ବି ବିଜେଡ଼ି କିମ୍ବା ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିରେ ଧୂଳିମଳି ଲାଗୁନି । ଲୋକଙ୍କ ମୁଣ୍ଡରୁ ନବୀନ ଭୂତ କାଢ଼ି ହେଉନି । ବର୍ଷକର ଅନୁଭୂତି ସାଉଁଟିବା ପରେ ପ୍ରସାଦ ଭାବୁଛନ୍ତି କଂଗ୍ରେସ ପାଇଁ ଅଣ୍ଡା ରାସ୍ତା ବୋଧେ ଠିକ୍ । ସେଥିପାଇଁ ବି ଲୁଲୁଙ୍କୁ ସେ ବିରୋଧ କରିପାରୁନାହାନ୍ତି । ସହଜେ ଲୁଲୁଙ୍କୁ ବିରୋଧ କଲେ ତାକୁ ସମ୍ଭାଳିପାରିବାର ଶକ୍ତି ପ୍ରସାଦଙ୍କର ନାହିଁ । ବିରୋଧ ନ କଲେ ପ୍ରସାଦଙ୍କର କ୍ଷତି ହେଉ ପଛେ ଦଳ ତ ବଞ୍ଚୁଛି ବୋଲି କିଛି କଂଗ୍ରେସ ନେତା ପରିହାସ ଛଳରେ କହୁଛନ୍ତି । ମନ୍ଦିର ତୋଳିଲେ ନାଁ ନହେଲେ ବାଟରେ ଝାଡ଼ା କଲେ ନାଁ । ଯଦି ମନ୍ଦିର ତୋଳି ହେଉନି ତେଣୁ ରାସ୍ତାରେ ଝାଡା କରି ନାଁ କମାଇବାରେ ଅସୁବିଧା କେଉଁଠି ବୋଲି ସେମାନେ ନିଜକୁ ନିଜେ ପ୍ରଶ୍ନ କରିଛନ୍ତି ।
ମୋଟାମୋଟି ଭାବେ, ଅଣ୍ଡା ଉପରେ ପ୍ରସାଦଙ୍କ ନିରବତା ଦଳର ଅନ୍ୟ ନେତୃମଣ୍ଡଳୀକୁ ବି ନିରବ କରିଦେଇଛି । ଓଲଟି ଲୋକଙ୍କ ମନରେ ଜାଗରଣ ସୃଷ୍ଟି ପାଇଁ ମନ୍ତ୍ରୀଙ୍କ ଉପରେ ଅଣ୍ଡାମାଡକୁ ଯଥାର୍ଥ କହିଲେଣି କିଛି ବରିଷ୍ଠ ନେତା । ଆଉ ଲୁଲୁଙ୍କ ପ୍ରେରଣା ଓ ବରିଷ୍ଠ ନେତାଙ୍କ ଏଭଳି ମନୋଭାବ ଯୁବ ଓ ଛାତ୍ର କର୍ମୀଙ୍କୁ ମତୁଆଲା କରିଛି । ସାଂଗଠନିକ ନେତୃତ୍ୱ ଧରିଥିବା ପ୍ରସାଦଙ୍କ ପାଇଁ ଏଭଳି ସ୍ଥିତି କାଠିକର ହୋଇଛି । ସଂଗଠନ ହାତଛଡ଼ା ହୋଇଯାଉଥିବା ଆଶଙ୍କାରେ ଲୁଲୁଙ୍କୁ ଚେକ୍ ଦେବା ପାଇଁ ଭିତିରିଆ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିଲେ ବି ପାରୁନାହାନ୍ତି ପ୍ରସାଦ । ଖୋଦ୍ ହାଇକମାଣ୍ଡଙ୍କୁ ବି ଓଡ଼ିଶା ସ୍ଥିତି ତାଜୁବ୍ କରିଛି । ହୁଏତ ହାଇକମାଣ୍ଡ ଏଭଳି ସ୍ଥିତିର ଆବଶ୍ୟକତା ଥିଲା ବୋଲି ଡେରିରେ ବୁଝିଛନ୍ତି ।