ଭୁବନେଶ୍ୱର (ମିଡ-ଡେ ଓଡ଼ିଶା) ବିଭିନ୍ନ ଝାମେଲାରେ ଫସିଥିବା ଯୋଗୁଁ ବିଜେଡ଼ିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ବିଳମ୍ବରେ ଚାଲିଛି । ଡିସେମ୍ବର ଶେଷ ସୁଦ୍ଧା ସଭାପତି ନିର୍ବାଚନ ସରିବାର ଥିଲେ ମଧ୍ୟ ତାହା ମାର୍ଚ୍ଚ ପ୍ରଥମ ସପ୍ତାହକୁ ଘୁଞ୍ଚିଯାଇଛି । ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ସୂଚନା ଅନୁଯାୟୀ, ଆଜି ଅର୍ଥାତ୍ ଜାନୁୟାରୀ ୧୪ ତାରିଖରେ ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପଞ୍ଚାୟତସ୍ତରର କର୍ମକର୍ତ୍ତା ଏଥିରେ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୧୬ ରୁ ୨୧ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ବ୍ଲକ ଓ ନଗର ସଭାପତି ନିର୍ବାଚନ ହେବ । ୨୫ ରୁ ୩୧ ତାରିଖ ଭିତରେ ହେବ ଜିଲ୍ଲା ସଭାପତି ନିର୍ବାଚନ । ଫେବୃଆରୀ ୬ ରୁ ୧୬ ଭିତରେ ରାଜ୍ୟ କାଉନସିଲ୍ ନିର୍ବାଚନ ହେବାକୁ ଧାର୍ଯ୍ୟ ହୋଇଥିଲା ବେଳେ ଫେବୃଆରୀ ୨୦ରୁ ମାର୍ଚ୍ଚ ୧ ଭିତରେ ଗଠନ ହେବ ରାଜ୍ୟ କାର୍ଯ୍ୟକାରିଣୀ । ତାପରେ ସଭାପତି ନିର୍ବାଚନ । କ୍ରମାଗତ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ଔପଚାରିକ ଭାବେ ସଭାପତି ଘୋଷଣା କରାଯିବ ।