ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି । ସୋସିଆଲ୍ ମିଡ଼ିଆରେ “ମନ୍ କି ବାତ୍’ କହି ବିରୋଧୀଙ୍କ ପାଟି ଚୁପ୍ କରିଦେଇଛନ୍ତି । ୧୯ ମିନିଟ୍ ଲମ୍ବା ବାତ୍ ରେ ତାଙ୍କର ସ୍ୱର, ତାଳ, ଲୟ ସାଧାରଣ ଲୋକଙ୍କ ମନକୁ ଛୁଇଁଛି । ଦିନକରେ ୧୦ ହଜାର ଲୋକ ପ୍ରସାଦଙ୍କ ମନ କି ବାତ୍ ଶୁଣିବା ତାହାର ବଳିଷ୍ଠ ପ୍ରମାଣ ମାତ୍ର । ଏହି ବକ୍ତବ୍ୟକୁ ଧରି ସେ ଗୋଟିଏ ଗୁଳିରେ ତିନୋଟି ଶିକାର କରିଛନ୍ତି । ଗଣମାଧ୍ୟମ, ଦଳୀୟ ବିରୋଧୀ ଓ ବିଜେଡ଼ି/ବିଜେପିକୁ ଶିକାର କରିଛନ୍ତି ସେ । ଉଭୟ ବ୍ୟକ୍ତିଗତ ଓ ରାଜନୈତିକ ସହାନୁଭୂତି ଗୋଟାଇବାରେ ଏହା ଯେ କାମରେ ଲାଗିଛି ତାହା ନିଃସନ୍ଦେହରେ କୁହାଯାଇପାରେ ।
କଂଗ୍ରେସରେ ଏବେ ପ୍ରସାଦ ହରିଚନ୍ଦନ ଏକଘରିଆ ହୋଇଛନ୍ତି କହିଲେ ଭୁଲ୍ ହେବନି । ନିରଞ୍ଜନ ପଟ୍ଟନାୟକ, ବିଶ୍ୱାଳ ବ୍ରଦର୍ସ, ନରସିଂହ ବାହିନୀ ଏକାଠି ହୋଇଯାଇଛନ୍ତି ତାଙ୍କ ବିରୋଧରେ । ସେପଟେ ବିଜେପିର ଫାଇଦା ହାସଲ ଚକରରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଗୋଷ୍ଠୀଙ୍କୁ ପ୍ରଚ୍ଛନ୍ନରେ ସହଯୋଗ କରୁଛନ୍ତି । ଆଉ ବିଜେଡ଼ି ମଧ୍ୟ କଂଗ୍ରେସର ଅଭ୍ୟୁଦୟରେ ଚେକ୍ ଲଗାଇବା ପାଇଁ ଏହି ଘରୋଇ କଳିକୁ ନଖ ଘସି ଉସକାଉଛି । ଏମାନଙ୍କ ପାଖରେ ପଇସାର ଅଭାବ ନାହିଁ । ସମସ୍ତେ ଗୋଟେ ଲେଖାଏଁ ଧନର ଭଣ୍ଡାର । ଯାହା ମାଲ୍ ଦରକାର ଚିନ୍ତା ନାହିଁ । ସେପଟେ ପ୍ରସାଦ ହରିଚନ୍ଦନଙ୍କ ପାଖରେ ମାଲ୍ ନାହିଁ । ରାହୁଲ ଗାନ୍ଧୀଙ୍କ ସମର୍ଥନକୁ ଧରିଛନ୍ତି ସତ ହେଲେ ସଂଗଠନକୁ ନିଜ ସପକ୍ଷରେ ରଖି ଗତିଶୀଳ କରିବାକୁ ଶ୍ୱଶୁର ସୁର ରାଉତରାୟ, ମହମ୍ମଦ ମୋକିମ୍ ଓ ଶୁଭେନ୍ଦୁ ମହାନ୍ତିଙ୍କ ପକେଟ୍ କୁ ଭରସା କରିଛନ୍ତି । ହେଲେ ବିରୋଧୀ ଅର୍ଥବଳ ଆଗରେ ଏହା ଦୁର୍ବଳ ହୋଇପଡ଼ିଛି । ବିରୋଧୀଙ୍କୁ ଟକ୍କର ଦେଇ ଆଗକୁ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ପ୍ରସାଦଙ୍କ ଶକ୍ତି ସାମର୍ଥ ନାହିଁ । ସୁତରାଂ ସହାନୁଭୂତିକୁ ପୁଞ୍ଜି କରି ପାଦ ବଢ଼େଇବାକୁ ନିଷ୍ପତ୍ତି ନେଇ ସୋସିଆଲ୍ ମିଡ଼ିଆ ଡାଳ ଧରିଛନ୍ତି ସେ ।
ନିଜକୁ ସାଧାରଣ ମଣିଷ, ଦରିଦ୍ରର ପରିଚୟ ଦେଇ ଲୋକଙ୍କ ସାହନୁଭୂତି ଗୋଟାଇବାକୁ ପ୍ରସାଦ ଉଦ୍ୟମ କରିଛନ୍ତି । କଂଗ୍ରେସରେ ଗୋଷ୍ଠୀ କନ୍ଦଳ ପାଇଁ ସେ ଅନ୍ୟ କାହା ଉପରକୁ ଅଙ୍ଗୁଳି ନ ଉଠାଇ ନିଜକୁ ଦୋଷୀ ମାନିଛନ୍ତି । ଗଣମାଧ୍ୟମ କଂଗ୍ରେସ କଳିକୁ ଜୋର୍ ପ୍ରଚାର କରୁଥିବା କହି ଅଭିମାନ କରିଛନ୍ତି ସେ । ଏଥିରେ ପ୍ରଭାବଶାଳୀ ଓ ପରାକ୍ରମୀ ଶାସକ ଦଳର ହାତ ଥିବା କହି ସେ କଂଗ୍ରେସ କର୍ମୀଙ୍କ ଅନୁକମ୍ପା ସାଉଁଟିଛନ୍ତି । ସେହିଭଳି ମୋଦି ସରକାରଙ୍କ ନୋଟ୍ ବନ୍ଦୀକୁ ସମାଲୋଚନା କରି ରାଜନୈତିକ ସଫଳ ଗୋଟିଚାଳନା କରିଛନ୍ତି । ଏମିତିକା କଥା କହିଛନ୍ତି ଯେ ତାହା ଦଳ ଭିତରେ ବିରୋଧୀ ଶକ୍ତିଙ୍କ ଶକ୍ତି ହରଣ କରିଦେଇଛି । ମାନିବାକୁ ପଡ଼ିବ ପ୍ରସାଦଙ୍କ ଏହି ମାଷ୍ଟର୍ ଗେମ୍ କୁ । ଅର୍ଥବଳ ନ ଥିଲେ ମଧ୍ୟ ସହାନୁଭୂତି ଭିକ୍ଷା କରି ରାଜନୀତି କରିବାର ସୂତ୍ର ପାଇଛନ୍ତି ପ୍ରସାଦ । ଶୁଣିବାକୁ ଖଟକା ଲାଗୁଥିଲେ ବି ଏହି ଫର୍ମୂଲା ଯେ କ୍ଲିକ୍ ନ କରିବ ତାହା କିଏ କହିପାରିବ ?