ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ଆମେ ଭଲଭାବେ ପ୍ରସ୍ତୁତି କରିଛୁ । ତେଣୁ ବେଶୀ ଅସୁବିଧା ହେବନି । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ସେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କଲା ପରେ ଗଣମାଧ୍ୟମକୁ ଏହା କହିଛନ୍ତି । ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳନଙ୍କ ସହ ସେ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରି ପ୍ରସ୍ତୁତିର ସମୀକ୍ଷା କରିଥିଲେ ।
ମୁଖ୍ୟ ଶାସନ ସଚିବ କହିଛନ୍ତି, ବାତ୍ୟା ଏବଂ ବାତ୍ୟା ପରବର୍ତ୍ତୀ ସମୟରେ ପରିସ୍ଥିତିର ମୁକାବିଲା କରି ସ୍ୱାଭାବିକ ଅବସ୍ଥା ଫେରାଇବାକୁ ଯେତିକି ପ୍ରସ୍ତୁତି କରାଯିବା କଥା କରାଯାଇଛି । ଅଗ୍ନିଶମ, ଏନଡିଆରଏଫ୍, ଓଡ୍ରାଫ୍ ଟିମ୍ କୁ ମୁତୟନ କରାଯାଇ ଆବଶ୍ୟକ ଉପକରଣ ଯୋଗାଇ ଦିଆଯାଇଛି । ଆଜି ରାତି ସୁଦ୍ଧା ୪ ଟି ଜିଲ୍ଲାରୁ ପାଖାପାଖି ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି ଏବଂ ପ୍ରକ୍ରିୟା ଜାରି ରହିଛି । କୌଣସି କଚ୍ଚା ଘର କି ବିପଦପୂର୍ଣ୍ଣ ଜାଗାରେ କାହାରିକୁ ରହିବାକୁ ଦେବୁ ନାହିଁ । ଆଶ୍ରୟସ୍ଥଳୀଗୁଡ଼ିକର ରନ୍ଧାଖାଦ୍ୟ, ପାନୀୟ ସବୁପ୍ରକାରର ବନ୍ଦୋବସ୍ତ କରାଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ ବିଜୁଳି ମରାମତି କାର୍ଯ୍ୟ ଏବଂ ବିଜୁଳି ସେବା ତୁରନ୍ତ ଜାରି ରଖିବାକୁ ଭଲଭାବେ ପ୍ରସ୍ତୁତି ହୋଇଛି ।
ଆମେ ଏଥର ବହୁତ କନଫିଡେଣ୍ଟ ଅଛୁ କି ଆମର ସେଭଳି ବେଶୀ ଅସୁବିଧା ହେବନାହିଁ । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟ କରୁଛି । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରୁଛନ୍ତି । ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ହୋଇ ପ୍ରସ୍ତୁତି କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।