ଭୁବନେଶ୍ୱର : ସମ୍ଭାବ୍ୟ ମହାବାତ୍ୟା ‘ଅମ୍ଫନ’ର କ୍ଷୟକ୍ଷତି ପୂର୍ବରୁ ଓ ପରେ ପ୍ରଭାବିତ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ ଅନୁରୋଧ କରିଛନ୍ତି ।
ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଶ୍ରୀ ନାୟକ କହିଛନ୍ତି , ମହାବାତ୍ୟା ‘ଅମ୍ଫନ’ ଯୋଗୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଆଦି ଉପକୂଳବର୍ତ୍ତୀ ଜିଲ୍ଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଥିବାବେଳେ ଏସବୁ ଜିଲ୍ଲାରେ ସକ୍ରିୟ ଥିବା ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନେ ନିଜର ସୁରକ୍ଷାକୁ ପ୍ରାଥମିକତା ଦେଇ ସାଧାରଣ ଲୋକଙ୍କୁ ସହଯୋଗ କରନ୍ତୁ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାତ୍ୟାରେ ‘ଜିରୋ କାଜୁଆଲିଟି’ ଉପରେ ଗୁରୁତ୍ୱ ଦେଉଥିବାରୁ ତାଙ୍କର ପରାମର୍ଶକୁ ପାଳନ କରି ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକମାନଙ୍କ ପାଖରେ ଠିଆ ହେବାକୁ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀସେବୀମାନେ ଆଗେଇ ଆସନ୍ତୁ । ରାଜ୍ୟର ୧୨ଟି ଜିଲ୍ଲା ବାତ୍ୟା ଦ୍ୱାରା ପ୍ରଭାବିତ ହେବ ବୋଲି ରିଲିଫ କମିଶନର ସୂଚନା ଦେଇଥିବାରୁ ପ୍ରଶାସନର ସହଯୋଗରେ ଏସବୁ ଜିଲ୍ଲାରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଶ୍ରୀ ନାୟକ ଅନୁରୋଧ କରିଛନ୍ତି ।