ଭୁୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ୨୮ ଟି ବିଧାନସଭା ଓ ୪ ଟି ଲୋକସଭା ଆସନ ରହିଛି । ତେଣୁ ଆସନ୍ତାକାଲି ସୁଦ୍ଧା ବିଜେଡ଼ି, କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ହୋଇଯିବା କଥା । ମାତ୍ର କେବେ ଘୋଷଣା ହେବ ସ୍ପଷ୍ଟ ହେଉନାହିଁ । ତିନିଟି ଯାକ ଦଳ ଛକାଛକିରେ ଅଛନ୍ତି । ବିଶେଷ କରି ବିଜେଡ଼ି ତାର ତାଲିକା ଆଗ ଘୋଷଣା କରୁ ବୋଲି ଅନ୍ୟ ଦୁଇ ଦଳ ଚାହୁଁଛନ୍ତି । ଏହାହେଲେ ବିଜେଡ଼ିର ଯେଉଁ ଅସନ୍ତୁଷ୍ଟ ବାହାରିବେ ତାଙ୍କୁ ମନେଇବା ସହଜ ହେବ । ଏହି ଅପେକ୍ଷାକ୍ରମରେ ବିଜେପି ଆଗରେ ଅଛି ।
ବିଜେଡ଼ି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ଆସନଗୁଡ଼ିକ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଗଲାଣି । କିଛି ଜାଗାରେ କେଁ କଟର ଥିଲା । ମାତ୍ର ଗତକାଲି ରାତି ସୁଦ୍ଧା ତାହା ସମାଧାନ ହୋଇଯାଇଛି । ତେଣୁ ଯେ କୌଣସି ମୁହୁର୍ତ୍ତରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇଯିବ । ଦ୍ୱିତୀୟ ପର୍ଯ୍ୟାୟ ଆସନଗୁଡ଼ିକରେ ମଧ୍ୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ସରିଛି । ଏବେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ପାଳି ଚାଲିଛି । ଦିନେ ଦୁଇଦିନ ମଧ୍ୟରେ ସବୁତକ ଆସନରେ ପ୍ରାର୍ଥୀ ତାଲିକା ଏକରକମ ଚୂଡ଼ାନ୍ତ ହୋଇଯିବ । ତେବେ ସମ୍ଭାବ୍ୟ ଅସନ୍ତୁଷ୍ଟଙ୍କୁ ନେଇ ଦଳ ଚିନ୍ତାରେ ଥିବା ବେଳେ ସେମାନଙ୍କୁ ବିଜେପି କିମ୍ବା କଂଗ୍ରେସ ଟିକେଟ କରାଇ ନ ଦେବାର ସୁଯୋଗକୁ ବିଜେଡ଼ି ଅପେକ୍ଷା କରିଛି ।
ସେପଟେ ବିଜେପିର ଦିଲ୍ଲୀରେ ଆଜି ଚୂଡ଼ାନ୍ତ ହୋଇଯିବ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୨୮ଟି ବିଧାନସଭା ଓ ୪ ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବ । ଗତକାଲି ଦଳର ରାଜ୍ୟ ନିର୍ବାଚନ କମିଟିରେ ଆଲୋଚନା ହୋଇ ୬୫ ବିଧାୟକ ଓ ୯ ସାଂସଦ ପ୍ରାର୍ଥୀ ତାଲିକା ଦିଲ୍ଲୀକୁ ପଠାଯାଇଛି । ଆଜି କେନ୍ଦ୍ରୀୟ ନିର୍ବାଚନ କମିଟି ତାହା ଉପରେ ମୋହର ଲଗାଇପାରେ । ପ୍ରାର୍ଥୀ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ କିଛି ଆସନକୁ ବିଜେଡ଼ି ପାଇଁ ଝୁଲାଇ ରଖାଯାଇଛି । ବିଜେଡ଼ି ଟିକେଟରୁ ବଂଚିତ ଅସନ୍ତୁଷ୍ଟ ନେତାଙ୍କୁ ଶେଷ ମୁହୁର୍ତ୍ତରେ ବିଜେପି ତାଲିକାରେ ଯୋଡିବାକୁ ଯୋଜନା ରଖାଯାଇଛି । ତେଣୁ ବିଜେଡ଼ି ପ୍ରାର୍ଥୀ ତାଲିକା ଘୋଷଣାକୁ ବିଜେପି ଅପେକ୍ଷା କରିଛି । ତେବେ ବିଜେପି ପାଇଁ ବି ଏହା ସମସ୍ୟା ହେବାକୁ ଯାଉଛି । ଆମଦାନୀ ନେତାଙ୍କ ଉପରେ ନଜର ରଖାଯାଇଥିବାରୁ ବିଭିନ୍ନ ଜାଗାରେ ଆଶାୟୀଙ୍କ ମଧ୍ୟରେ ବିଦ୍ରୋହ ମୁଣ୍ଡ ଟେକିଲାଣି ।
କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ପାଇଁ ଆଜି ଦିଲ୍ଲୀରେ ସ୍କ୍ରିନିଂ କମିଟିର ଦ୍ୱିତୀୟ ବୈଠକ ବସିଛି । ଏଥିରେ ସବୁ ଆସନ ପାଇଁ ପ୍ରାର୍ଥୀତାଲିକା ଚୂଡ଼ାନ୍ତ କରାଯାଇ କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପଠାଯିବ । ଆଜି ସଂଧ୍ୟାରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବାର ଅଛି । ସେଥିରେ ତାଲିକା ଉପରେ ମୋହର ବାଜିପାରେ । ପୂର୍ବରୁ ଗତ ୧୨ ତାରିଖରେ ସ୍କ୍ରିନିଂ କମିଟିର ପ୍ରଥମ ବୈଠକରେ ୧୫ ଟି ଲୋକସଭା ଓ ୧୦୭ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଥିଲା । ଆଜି ସବୁତକ ଆସନର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯାଇ ସିଇସିକୁ ପଠାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।