ଭୁବନେଶ୍ୱର: ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସ ଛାଡୁଛନ୍ତି ବୋଲି ବର୍ଷେ ଆଗରୁ ପ୍ରଚାର ହୋଇଥିଲା । ଏଥର ବିଜେଡ଼ି ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇ ଆସୁଥିଲା । ପ୍ରକାଶ ବି ଏହାକୁ ସିଧାସଳଖ କେବେ ଅସ୍ୱୀକାର କରି ନ ଥିଲେ । ବରଂ ତାଙ୍କର କାର୍ଯ୍ୟକଳାପ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବାକୁ ସେ ଭୁଲୁ ନ ଥିଲେ । ସାଲେପୁର ନିର୍ବାଚନମଣ୍ଡଳୀର ସବୁ ଜାଗାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ବ୍ୟାନରରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରକାଶଙ୍କ ଫଟୋର ବଡ଼ ହୋର୍ଡିଂ ଝୁଲୁଥିଲା । ତେଣୁ ପ୍ରକାଶ ଯେ ବିଜେଡ଼ି ଯାଉଛନ୍ତି ଅଞ୍ଚଳବାସୀ ଓ ତାଙ୍କ କର୍ମୀମାନେ ନିଶ୍ଚିତ ହୋଇ ରହିଥିଲେ ।
ସେପଟେ ପ୍ରକାଶଙ୍କୁ ନେଇ ବିଜେଡ଼ି କିଭଳି ଥଇଥାନ କରିବ ତାହା ବଡ଼ ପ୍ରଶ୍ନ ଛିଡ଼ା କରାଇଥିଲା । ଗତଥର ବିଜେଡ଼ିର ପରାଜିତ ପ୍ରାର୍ଥୀ ତଥା ଟାଣୁଆ ନେତା ପ୍ରଶାନ୍ତ ବେହେରାଙ୍କୁ ଯେ ଦଳ ହତାଦର କରିବ ତାହା ଅଞ୍ଚଳର ବିଜେଡ଼ି କର୍ମୀଙ୍କର ବିଶ୍ୱାସ ହେଉ ନ ଥିଲା । ନିର୍ବାଚନ ଦିନ ପାଖେଇ ଆସୁଥିଲା ବେଳେ ବିଜେଡ଼ିର ହାବଭାବ ପ୍ରକାଶଙ୍କୁ ଦ୍ୱନ୍ଦରେ ପକାଇ ଦେଇଥିଲା । ଦୁଇଦିନ ତଳେ ମନ୍ତ୍ରୀ ପ୍ରତାପ ଜେନା ସାଲେପୁର ନିର୍ବାଚନମଣ୍ଡଳୀରେ ଏକ କର୍ମୀ ସମ୍ମିଳନୀରେ ପ୍ରକାଶଙ୍କ ସମ୍ଭାବ୍ୟ ଆଗମନ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଦେଇଥିଲେ । ସାଲେପୁରରୁ ପ୍ରଶାନ୍ତ ବେହେରା ବିଜେଡ଼ି ପ୍ରାର୍ଥୀ ହେବେ ବୋଲି ସେ ଖୋଲାଖୋଲି ଘୋଷଣା କରି କର୍ମୀଙ୍କ ସହଯୋଗ ଲଢ଼ିଥିଲେ । ସୁତରାଂ ବିଜେଡ଼ି ଗଲେ ବି ତାଙ୍କୁ ଟିକେଟ ମିଳବ ନାହିଁ ବୋଲି ପ୍ରକାଶ ନିଶ୍ଚିତ ହୋଇଯାଇଥିଲେ । ତେଣୁ କାଳବିଳମ୍ବ ନକରି ସେ ବିଜେପିମୁହାଁ ହୋଇଛନ୍ତି । ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଇଛନ୍ତି ଇସ୍ତଫା ।
ଯାହା ଖବର ମିଳୁଛି, ପ୍ରକାଶ ଆଜି ସଂଧ୍ୟାରେ କିମ୍ବା ଆସନ୍ତାକାଲି ବିଜେପିରେ ଯୋଗଦେବେ । ଶେଷ ମୁହୁର୍ତ୍ତରେ ବିଜେପି ତାଙ୍କୁ ପ୍ରାର୍ଥୀ କରିବ ନା ନାହିଁ ତାହା ସ୍ପଷ୍ଟ ଜଣାପଡୁନାହିଁ । ଯଦି ପ୍ରକାଶଙ୍କୁ ପ୍ରାର୍ଥୀ କରାଯାଏ ତେବେ ହେମନ୍ତ ଚୌଧୁରୀଙ୍କୁ ସନ୍ତୁଷ୍ଟ କରିପାରିବେ ତ? ଗତଥର ହେମନ୍ତ ସେଠାରୁ ବିଜେପି ପ୍ରାର୍ଥୀ ଥିଲେ ଏବଂ ସାଲେପୁରରେ ଦୁର୍ବଳ ବିଜେପି ସଂଗଠନକୁ ସେ ହିଁ ବଞ୍ଚାଇ ରଖିଛନ୍ତି । ଅନ୍ୟପକ୍ଷରେ ପ୍ରକାଶ ବେହେରାଙ୍କ ସହ ହେମନ୍ତ ଚୌଧୁରୀ ଏବଂ ତାଙ୍କ ବିଜେପି କର୍ମୀଙ୍କ ଅହିନକୂଳ ସମ୍ପର୍କ । ପ୍ରକାଶଙ୍କ ଭଳି ଆମଦାନୀ ନେତାଙ୍କୁ ସେଠାରେ ପ୍ରାର୍ଥୀ କରାଗଲେ ଆମେ ବରଦାସ୍ତ କରିବୁ ନାହିଁ ଏବଂ ବିଜେପିରୁ ସମୂହ ଇସ୍ତଫା ଦେବୁ ବୋଲି ହେମନ୍ତଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି । ଏଭଳିସ୍ଥିତିରେ ପ୍ରକାଶଙ୍କ ଅବସ୍ଥା ନା ଏ କୂଳର ନା ସେ କୂଳର ଭଳି ହୋଇଛି ।