ନୂଆଦିଲ୍ଲୀ: କଲବଲ କରି ମାରିଥିଲେ, ଏବେ ନିଜେ କଲବଲ ହୋଇ ନିଜର ମୃତ୍ୟୁ ପାଇଁ ଦିନ ଗଣୁଛନ୍ତି । ଆସନ୍ତା ୨୦ ତାରିଖରେ ତିହାର୍ ଜେଲରେ ଆସି ପହଞ୍ଚିବେ ମିରଟ୍ ଜେଲର ଘାତକ ପୱନ ଜଲ୍ଲାଦ । ଆଉ ୨୨ ତାରିଖରେ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଗୋଟିଏ ଧାଡ଼ିରେ ଛିଡ଼ା କରାଇ ଫାଶୀ ଖୁଣ୍ଟରେ ଝୁଲାଇ ଦେବେ । ଯେଉଁଥି ପାଇଁ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ଚାଲିଥିବା ଭିତିରିଆ ପ୍ରସ୍ତୁତି ଏବେ ତ୍ୱରାନ୍ୱିତ କରାଯାଇଛି । ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ, ଦୋଷୀମାନଙ୍କ ଡେଥ୍ ୱାରେଣ୍ଟ ଇସ୍ୟୁ କରିବା ପରେ, ତିହାର ଜେଲ୍ କର୍ତ୍ତୃପକ୍ଷ, ଉତ୍ତର ପ୍ରଦେଶ ମିରଟ୍ ଜେଲର ଥାର୍ଡ ଜେନେରେସନ୍ ଘାତକ ପୱନ ଜଲ୍ଲାଦଙ୍କ ସହ ଯୋଗାଯୋଗ କରିଥିଲେ । ଆଉ ପୱନ, ଏଥିରେ ସମ୍ମତ ଜଣାଇଛନ୍ତି ।
ତିହାର ୩ ନମ୍ବର ଜେଲରେ ଥିବା ଫାଁଶୀ କୋଠାରେ ହିଁ ଦୁଷ୍କର୍ମକାରୀ- ବିନୟ ଶର୍ମା ( ୨୬), ପୱନ ଗୁପ୍ତା(୨୫), ଅକ୍ଷୟ ଠାକୁର(୩୧) ଓ ମୁକେଶ ସିଂହ(୩୨)ଙ୍କୁ ଦିଆଯିବ ଫାଶୀ । ଏହିଠାରେ ହିଁ ପାର୍ଲାମେଣ୍ଟ ଆକ୍ରମଣକାରୀ ଅଫଜଲ ଗୁରୁ ଏବଂ ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ମକବୁଲ୍ ଭଟ୍ଟଙ୍କୁ ଫାଶୀ ଦିଆଯାଇଥିଲା ।
ପ୍ରଥମ ଥର ପାଇଁ ଦେଶରେ ଏକା ଥରକେ ୪ ଜଣଙ୍କୁ ଫାଶୀ ଦିଆଯିବ । ଯାହାକୁ ଅତି ଗୁରୁତ୍ବର ସହ ନେଇ ସତର୍କତାର ସହ ପ୍ରସ୍ତୁତି ଜୋରଦାର୍ କରିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଡେଥ୍ ୱାରେଣ୍ଟ ଜାରି ପୂର୍ବରୁ ୩ ଜଣ ଦୋଷୀ ୨ ନମ୍ବର ଓ ଅନ୍ୟ ଜଣେ ୪ ନମ୍ବର ଜେଲରେ ଥିଲେ । କିନ୍ତୁ କୋର୍ଟ, ଫାଶୀ ତାରିଖ ସ୍ଥିର କରିବା ପରେ ତିହାର ଜେଲ କର୍ତ୍ତୃପକ୍ଷ, ୪ ଦୋଷୀଙ୍କୁ ୩ ନମ୍ବର ଜେଲରୁ ସ୍ଥାନାନ୍ତର କରିଛନ୍ତି । ସେମାନଙ୍କୁ ପୃଥକ ପୃଥକ ସେଲରେ ରଖାଯାଇଛି । ୨୨ ତାରିଖ ସକାଳେ ଫାଶୀ ଖୁଣ୍ଟକୁ ନେବା ପର୍ୟ୍ୟନ୍ତ ଏମାନଙ୍କୁ କଡ଼ା ସୁରକ୍ଷାରେ ରଖାଯିବ । ଜେଲ୍ ସୁରକ୍ଷାକର୍ମୀ, ଏମାନଙ୍କ ସେଲ୍ ଆଗରେ ୨୨ ତାରିଖ ସକାଳ ପର୍ୟ୍ୟନ୍ତ ୨୪ ଘଣ୍ଟିଆ ପହରା ଦେବେ ।
କୋର୍ଟଙ୍କ ରାୟର ପ୍ରାୟ ମାସେ ପୂର୍ବରୁ ତିହାର ଜେଲ୍ କର୍ତ୍ତୃପକ୍ଷ ଭିତିରିଆ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ୪ ଦୋଷୀଙ୍କ ଓଜନ ଏବଂ ଉଚ୍ଚତା ଅନୁଯାୟୀ ବିହାର ବକ୍ସର ଜେଲରୁ ପ୍ରାୟ ଏକ ଡଜନ୍ ଦଉଡ଼ି ମଗାଇ ସାରିଛନ୍ତି । ଦୋଷୀଙ୍କ ଉଚ୍ଚତାର ୧.୬ ଗୁଣା ଲମ୍ବା ଦଉଡ଼ି ମଗାଇ ଯାଇଥିବା ବେଳେ ସେମାନଙ୍କ ଓଜନର ବାଲି ବସ୍ତାକୁ ଝୁଲାଇ ମକ୍ ହ୍ୟାଙ୍ଗିଙ୍ଗ୍ ଜାରି ରଖିଛନ୍ତି ଜେଲ୍ କର୍ମଚାରୀ । ଫାଶୀ ଲିଭରରେ ନିୟମିତ ତେଲ ମରା ଚାଲିଛି । ତିହାର ୩ ନମ୍ବର ଜେଲର ଫାଁଶୀ କୋଠାରେ ଏକ ସଙ୍ଗରେ ଝୁଲିବେ ୪ ଜଣଯାକ ଦୁଷ୍କର୍ମକାରୀ । ତେଣୁ ଫାଶୀ ଗାତକୁ ଅଧିକ ଗହିରିଆ ଏବଂ ଓସାରିଆ କରାଯାଉଛି । ୨୦ ତାରିଖରେ ପୱନ ଜଲ୍ଲାଦ ପହଞ୍ଚିବା ପରେ, ସେ ମଧ୍ୟ ବାଲି ବସ୍ତାରେ ଦୁଇ ଦିନ ମକ୍ ହ୍ୟାଙ୍ଗିଙ୍ଗ କରିବେ । ଆଉ ୨୨ ତାରିଖ ଭୋରୁ ଭୋରୁ ଦୋଷୀମାନଙ୍କୁ ତାଙ୍କ ହାତକୁ ଟେକି ଦେଇ ଫାଁଶୀ କୋଠା ପରିସରରେ ସାକ୍ଷୀ ଭଳି ଛିଡ଼ା ହୋଇ ରହିବେ ଜେଲ୍ କର୍ତ୍ତୃପକ୍ଷ, ଜେଲ୍ ଡାକ୍ତର ଏବଂ ମାଜିଷ୍ଟ୍ରେଟ୍ ।