ଭୁୁବନେଶ୍ୱର: ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଝାରପଡ଼ା ଜେଲ୍ ଯାଇଥିବା ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ କଳା କାରନାମା ସମ୍ପର୍କରେ ଭିଜିଲାନସ୍ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ହାତରେ ଲାଗିଛି ଏକାଧିକ ବ୍ୟାଙ୍କ ଆକାଉଣ୍ଟ । ଯେଉଁଥିରେ ବିପୁଳ ଟଙ୍କା କାରବାର ହୋଇଛି । ୭ ବର୍ଷ ମଧ୍ୟରେ ଶ୍ରୀ ଉପାଧ୍ୟାୟ କେବଳ ୩ଟି ବ୍ୟାଙ୍କ ଆକାଉଣ୍ଟ ରେ ପ୍ରାୟ ୭୦ ଲକ୍ଷ ଟଙ୍କା ଜମା କରିଛନ୍ତି । ଏହିଭଳି ଅନେକ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ସେ ଟଙ୍କା ଜମା କରିଥିବା ଭିଜିଲାନସ୍ କୁ ସୁରାକ୍ ମିଳିଛି । କିଛି ସନ୍ଦିଗ୍ଧ ଆକାଉଣ୍ଟ ରେ ବେଆଇନ ଟଙ୍କା ଠୁଳ ହୋଇଥିବା ଜଣାପଡ଼ିଛି ।
ଶ୍ରୀ ଉପାଧ୍ୟାୟଙ୍କ ଟଙ୍କା କାରବାର ସମ୍ପର୍କରେ ତଦନ୍ତ କରୁଥିବା ଭିଜିଲାନସ୍ ହାତରେ ଆଗ ଲାଗିଛି ୩ଟି ବ୍ୟାଙ୍କ ଆକାଉଣ୍ଟ । ୨୦୧୨ ରୁ ୨୦୧୯ ମଧ୍ୟରେ ଏହି ବ୍ୟାଙ୍କଗୁଡ଼ିକରେ ୭୦ ଲକ୍ଷ ଟଙ୍କା ଜମା ହୋଇଛି । କେତେବେଳେ ବ୍ୟାଙ୍କ କାଉଣ୍ଟରରେ ତ ଆଉ କେବେ କ୍ୟାସ୍ ଡିପୋଜିଟ୍ ମେସିନ୍ ରେ ଟଙ୍କା ଭର୍ତ୍ତି କରାଯାଇଛି । ଲାଗାତର ଗୋଟେ ଗୋଟେ ଦିନରେ ଗୋଟେ ଗୋଟେ ବ୍ୟାଙ୍କରେ ଟଙ୍କାକୁ ଭାଗ ଭାଗ କରି ଡିପୋଜିଟ୍ କରାଯାଇଛି । କେବଳ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବେଳେ ପ୍ରାୟ ୨୨ ଲକ୍ଷ ଟଙ୍କା ଜମା କରିଛନ୍ତି ଶ୍ରୀ ଉପାଧ୍ୟାୟ । ଏହିଭଳି ତାଙ୍କର ଅନେକ ବ୍ୟାଙ୍କ ଆକାଉଣ୍ଟର ସନ୍ଧାନ ପାଇଲାଣି ଭିଜିଲାନସ୍ ତଦନ୍ତକାରୀ ଟିମ୍ । । ସେଥିମଧ୍ୟରୁ କିଛି ଆକାଉଣ୍ଟକୁ ବେଆଇନ(ଲାଞ୍ଚ) ଟଙ୍କା ରଖିବା ପାଇଁ ସେ ବ୍ୟବହାର କରୁଥିବାର ସୁରାକ୍ ମିଳିଛି ।
ଉପାଧ୍ୟାୟଙ୍କ ସହ ଜେଲ୍ ରେ ଥିବା ସହଯୋଗୀ ତଥା ୟେସ୍ ବ୍ୟାଙ୍କ ଉପସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ବ୍ୟାଙ୍କ ଆକାଉଣ୍ଟର ସନ୍ଧାନ ମଧ୍ୟ ପାଇଲାଣି ଭିଜିଲାନସ୍ । ଏକ ଆକାଉଣ୍ଟରେ ଗତ ୫ ମାସରେ ସେ ୭ ଲକ୍ଷ ଟଙ୍କା ଜମା କରିଛନ୍ତି । ୟେସ୍ ବ୍ୟାଙ୍କରେ ଯୋଗଦେବା ପରଠୁ ଏହି ଟଙ୍କା ଜମା କରିଛନ୍ତି ।
ଶ୍ରୀ ଉପାଧ୍ୟାୟ ଏବଂ ଶ୍ରୀ ପଟ୍ଟନାୟକଙ୍କର ସବୁତକ ବ୍ୟାଙ୍କ ଆକାଉଣ୍ଟ୍ ଖୋଜି ବାହାର କରିବା ପାଇଁ ଭିଜିଲାନସ୍ ଅଧିକାରୀମାନେ ଲାଗିପଡ଼ିଛନ୍ତି । ଖାଲି ସେତିକି ନୁହେଁ, ସେୟାର୍ ମାର୍କେଟ୍ ଏବଂ ମ୍ୟୁଚୁଆଲ୍ ଫଣ୍ଡସ୍ ରେ ସେମାନଙ୍କ ଟଙ୍କା କାରବାରର ସନ୍ଧାନ ପାଇଁ ନ୍ୟାସନାଲ୍ ସିକୁ୍ୟରିଟିଜ୍ ଡିପୋଜିଟୋରି ଲିମିଟେଡ଼, ସେଣ୍ଟ୍ରାଲ୍ ଡିପୋଜିଟୋରି ସର୍ଭିସେସ୍ ଲିମିଟେଡ଼ ଏବଂ କମ୍ପ୍ୟୁଟର ଏଜ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ ଲିମିଟେଡ଼ର ସହାୟତା ଲୋଡାଯାଇଛି ।
ଭିଜିଲାନସ୍ ତଦନ୍ତ ଟିମ୍ ରେ ଭିଜିଲାନସ୍ ଅଧିକାରୀ, ସାଇବର ଏବଂ ସେଲ୍ ଫୋନ୍ ବିଶେଷଜ୍ଞ, ବ୍ୟାଙ୍କ ଅଫିସର, ଚାଟାର୍ଡ ଆକାଉଣ୍ଟାଣ୍ଟ, ଫାଇନାନସିଆଲ୍ ଏବଂ ଆଇଟି ବିଶେଷଜ୍ଞ ସାମିଲ ହୋଇଥିବା ବିଭାଗୀୟ ଏସପିଙ୍କ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ରେ କୁହାଯାଇଛି ।