ମୁମ୍ବାଇ: ଷ୍ଟ୍ରଙ୍ଗ୍ ହୋଲ୍ଡରେ ବିଜେପିକୁ ଷ୍ଟ୍ରଙ୍ଗ ଝଟକା । ଦଳର ଦୁଇ ଟଲ୍ ଫିଗର୍ ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ହୋମ୍ ସିଟି ଏବଂ ଦଳର କୁଳଗୁରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟାଳୟ ଥିବା ନାଗପୁରରୁ ଏହି ଝଟକା ଲାଗିଛି । ଜିଲ୍ଲା ପରିଷଦ ନିର୍ବାଚନରେ ଦଳ ଖାଇଛି କଂସ କଚଡ଼ା । 58 ଆସନରୁ ଦଳ ମାତ୍ର 15ଟି ଜିତିଥିବା ବେଳେ କଂଗ୍ରେସକୁ ମିଳିଛି ବଡ଼ ସଫଳତା । 30ଟି ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କଂଗ୍ରେସ ସହଯୋଗୀ ଶରଦ ପାୱାରଙ୍କ ଏନସିପି 12ଟି ଆସନ ଜିତିଥିବା ବେଳେ ଏକାକୀ ନିର୍ବାଚନ ଲଢ଼ିଥିବା ଶିବସେନା ମାତ୍ର ଗୋଟିଏ ଆସନ ପାଇଛି ।
2017ରେ ଜିଲ୍ଲା ପରିଷଦ ଭାଙ୍ଗିଯିବା ପରେ ମଙ୍ଗଳବାର(8-1-2020) ହୋଇଥିଲା ନିର୍ବାଚନ । ଯେଉଁଥିରେ ନାଗପୁର ଭୋଟର କେବଳ ବିଜେପିକୁ ନୁହେଁ ଶିବସେନାକୁ ମଧ୍ୟ ଧୂଳି ଚଟାଇଛନ୍ତି । ଜିଲ୍ଲା ପରିଷଦ ଭଙ୍ଗ ପୂର୍ବରୁ ବିଜେପି 22, କଂଗ୍ରେସ 19, ଶିବସେନା 8 ଏବଂ ଏନସିପି ହାତରେ 7ଟି ଆସନ ଥିଲା । କେବଳ ନାଗପୁର କାହିଁକି ଗଡ଼କରିଙ୍କ ପୈତୃକ ଗାଁ ଧାପେୱାଡ଼ାରେ ବି ଭୁଶୁଡ଼ି ଯାଇଛି ବିଜେପି ଗଡ଼ ।
ହରିୟାଣାରେ ରାଜନୈତିକ ଶତ୍ରୁ ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି ସହ ହାତ ମିଳାଇ ବିଜେପି ସିନା ସରକାର ଗଢ଼ିଦେଲା, କିନ୍ତୁ ମହାରାଷ୍ଟ୍ରରେ ଠିକ୍ ତାର ଓଲଟା ଫଳ ଭୋଗିଲା । ମହାୟୁତିର ଆଳ ଦେଖାଇ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି 105 ଆସନ ପାଇଥିଲା । ଯେଉଁଥି ପାଇଁ ଶିବସେନା ଉପରେ ବଡ଼ଭାଇ ପଣିଆ ଜାହିର୍ କରି ସରକାରରେ ସିଂହ ଭାଗ ହାସଲ ଲକ୍ଷ୍ୟରେ ଥିଲା । କିନ୍ତୁ ଶିବସେନା, ଏନସିପି ଓ କଂଗ୍ରେସର ରଣନୀତି ଆଗରେ ଦଳ ଶିଶୁପାଳ ହୋଇଗଲା । ଆଉ ଏବେ ଝାଡ଼ଖଣ୍ଡ ନିର୍ବାଚନ ବିଜେପିକୁ ସମାନ ସବକ୍ ଦେଇଥିବା ବେଳେ ଫେବୃୟାରୀରେ ହେବାକୁ ଯାଉଛି ସମ୍ମାନଜନକ ଦିଲ୍ଲୀ ନିର୍ବାଚନ ।
2019 ସାଧାରଣ ନିର୍ବାଚନରେ ବିଜେପି ଏକାକୀ 303 ଆସନ ଅକ୍ତିଆର କରିଛି । ସହଯୋଗୀଙ୍କୁ ମିଶାଇଲେ ଏନଡିଏର ସିଟ୍ ସଂଖ୍ୟା 353 ହୋଇଛି । ଯାହାକି କେନ୍ଦ୍ରରେ ସ୍ଥିର ସରକାର ଗଠନରେ ସହାୟକ ହୋଇଛି । କିନ୍ତୁ ସ୍ଥିର ସରକାରରେ ଅନେକ ପ୍ରସଙ୍ଗକୁ ନେଇ ଦେଶରେ ସୃଷ୍ଟି ହୋଇଛି ଅସ୍ଥିରତା । ଜାମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ, ତିନି ତଲାକ୍ ନିଷିଦ୍ଧ ଏବଂ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ବିଜେପି ବେଶ୍ ଉତ୍ସାହିତ ହୋଇ ପଡ଼ିଥିଲା । ଭାବିଥିଲା ସେହି ମୌକାରେ ଏବଂ ହିନ୍ଦୁତ୍ବ ହାୱାରେ CAA ଏବଂ NRC ଲାଗୁ କରାଇଦେବ । କିନ୍ତୁ ସ୍ଥିତି ଏମିତି ହେଲା ଯେ, ଆଇନ କରି ମଧ୍ୟ ଲାଗୁ କରିବାକୁ ସାହାସ ଜୁଟାଇ ପାରିଲେନି ସରକାର । ବାଧ୍ୟ ହୋଇ ଆଇନକୁ ହୋଲ୍ଡରେ ରଖିଲେ । ଆଉ NPR ନାଁରେ NRCକୁ ଲିଙ୍କ୍ କରିବାକୁ ଏକ ସାନି ଉଦ୍ୟମ ଆରମ୍ଭ କରିଥିବା ବେଳେ ତାକୁ ନେଇ ମଧ୍ୟ ଦେଖା ଦେଲାଣି ଅସନ୍ତୋଷ ।
ହଁ, ଅସନ୍ତୋଷ । ଜନତା ଜନାର୍ଦ୍ଦନଙ୍କ ଅସନ୍ତୋଷ । ସାଧାରଣ ନିର୍ବାଚନ ବେଳେ ଭୋଟର, ଯେଉଁ ହାତରେ ସମର୍ଥନ କରିଥିଲେ, ଏବେ ସେହି ହାତକୁ ଧୀରେ ଧୀରେ ଫେରାଇ ନେଉଛନ୍ତି । ଯାହାର ପ୍ରତିଫଳନ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପରେ ଦଳର ଷ୍ଟ୍ରଙ୍ଗ ହୋଲ୍ଡ ନାଗପୁର ଲୋକାଲ୍ ବଡି ନିର୍ବାଚନରୁ ବିଜେପିକୁ ମିଳିଛି ।
କିଛି ହୁଏତ କହିପାରନ୍ତି, ଲୋକାଲ୍ ବଡି ନିର୍ବାଚନ ଠାରୁ ବିଧାନସଭା ଏବଂ ସାଧାରଣ ନିର୍ବାଚନ ସମ୍ପୂର୍ଣ୍ଣ ଭିନ୍ନ । ଅନେକ ମାତ୍ରାରେ ଏହା ସତ । କିନ୍ତୁ ପଞ୍ଚାୟତ ନିର୍ବାଚନ ହେଉ କି ପୌର ନିର୍ବାଚନ, ସବୁ ରାଜନୈତିକ ଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ । କାରଣ ତୃଣମୂଳ ସ୍ତରର ଜନ ସମର୍ଥନ ହିଁ ରାଜନୈତିକ ଦଳଙ୍କ ଭିତ୍ତିଭୂମି ସ୍ପଷ୍ଟ କରିଥାଏ ।