ଭୁୁବନେଶ୍ୱର: ‘ଫନି’ ବାତ୍ୟାରେ ଭୟଙ୍କର କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ଅନେକ ଲୋକ ଏବେ ବି ବାସହରା । ନିଜ ଘରଦ୍ୱାର ହରାଇ କିଏ ପର ଦୁଆରେ ତ ଆଉ କିଏ ଖୋଲା ଆକାଶ ତଳେ ଖରାବର୍ଷାରେ ଜୀବନ କାଟୁଛନ୍ତି । ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପାଣ୍ଠିରୁ ଦୁର୍ଦ୍ଦଶାଗ୍ରସ୍ତଙ୍କୁ ସହାୟତା ମିଳିଥିଲେ ମଧ୍ୟ ଏହି ପରିବାର ସେଥିରୁ ବଞ୍ଚିତ ରହିଛନ୍ତି । ପାଖାପାଖି ଦେଢ଼ ମାସ ଧରି ଦୁର୍ଦ୍ଦଶାରେ ଜୀବନ କାଟୁଥିବା ଏହିସବୁ ପରିବାରର ଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୭ କୋଟି ୫୮ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।
ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପାଣ୍ଠିରୁ ସହାୟତା ପାଇବାକୁ ଯୋଗ୍ୟ ହେଉ ନ ଥିବା କ୍ଷତିଗ୍ରସ୍ତ ପରିବାରକୁ ଘର ତିଆରି ପାଇଁ ମୁଖ୍ୟମନ୍ତ୍ରୀ ଏହି ସହାୟତା ମଂଜୁର କରିଛନ୍ତି । ୮ ହଜାର ଲୋକ ଏଥିରେ ଉପକୃତ ହେବେ । ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଘରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ । ୭ ହଜାର ୪୦୦ ପରିବାର ଏଥିରେ ଉପକୃତ ହେବେ । ସେହିଭଳି ଆଶିଂକ କ୍ଷତିଗ୍ରସ୍ତ ଘରକୁ ୩ ହଜାର ଟଙ୍କା ଲେଖାଏଁ ମିଳିବ । ଏଥିରେ ୬୦୦ ପରିବାର ଉପକୃତ ହେବେ ।