ଭୁୁବନେଶ୍ୱର: ‘ଫନି’ ଦ୍ୱାରା ଭୀଷଣ ପ୍ରଭାବିତ ହେବାକୁ ଥିବା ୧୧ ଟି ଜିଲ୍ଲାରୁ ଉଠିଛି ନିର୍ବାଚନ ଆଚରଣ ବିଧି । ଭାରତର ନିର୍ବାଚନ କମିଶନ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହି କଟକଣା ଉଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜିଲ୍ଲାଗୁଡ଼ିକ ହେଲା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ୍ ଆରୋରାଙ୍କୁ ଭେଟି ରାଜ୍ୟରେ ସମ୍ଭାବ୍ୟ ଭୟଙ୍କର ବାତ୍ୟା ସମ୍ପର୍କରେ ଜଣାଇଥିଲେ । ରିଲିଫ, ଉଦ୍ଧାର କାର୍ଯ୍ୟ ସୁରୁଖୁରୁ କରିବାକୁ ରାଜ୍ୟରୁ ନିର୍ବାଚନ ଆଚରଣ ବିଧି କଟକଣା ତୁରନ୍ତ ଉଠାଇବାକୁ ଦାବି କରିଥିଲେ । ମେ ୧୯ ତାରିଖରେ ହେବାକୁ ଥିବା ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ତେବେ ସେ ସମ୍ପର୍କରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ଯାଏଁ ନିଷ୍ପତ୍ତି ହୋଇନାହିଁ ।
ଆଜି ସକାଳେ ପୁରୀଠାରୁ ୬୮୦ କିଲୋମିଟର ଦୂରରେ ରହିଛି ‘ଫନି’ । ଭୀଷଣରୁ ଅତି ଭୀଷଣ ରୂପରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଓଡ଼ିଶା ଉପକୂଳ ଆଡକୁ ମାଡ଼ିଆସୁଛି । ଆସନ୍ତାକାଲି ସଂଧ୍ୟା ଭିତରେ ‘ଫନି’ ପୁରୀ ବାଲୁଖଣ୍ଡରେ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗର ନଗଦ ପୁର୍ବାନୁମାନ କହୁଛି । ‘ଫନି’ ଓଡ଼ିଶାରେ ଖଣ୍ଡପ୍ରଳୟ କରିବ ଏହି ଆଶଙ୍କା ଧୀରେ ଧୀରେ ଦୃଢ଼ୀଭୂତ ହେଉଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୨୦୦ କିମିରୁ ଅଧିକ ହେବାକୁ ଥିବାରୁ ଓଡ଼ିଶା ଉପକୂଳ ଛାରଖାର କରିପାରେ । ଅଧିକ କ୍ଷତିଗ୍ରସ୍ତ ସମ୍ଭାବନା ଥିବା ପୁରୀରେ ପ୍ରଶାସନ ପକ୍ଷରୁ ଅଧିକ ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ସକାଳ ସୁଦ୍ଧା ସମସ୍ତ ପର୍ଯ୍ୟଟକ ପୁରୀ ଛାଡ଼ିବାକୁ ନିଦେ୍ର୍ଦଶ ଦିଆଯାଇଛି । ସମୁଦ୍ରକୂଳରେ କେହି ନ ବୁଲିକାକୁ ପରାମର୍ଶ ଦିଆଯାଇଛି ।
ଇତିମଧ୍ୟରେ ବାତ୍ୟା ପ୍ରଭାବିତ ସମ୍ଭାବ୍ୟ ଅଞ୍ଚଳରେ ଓଡ୍ରାଫ୍, ଏନଡିଆରଏଫ୍, ଅଗ୍ନିଶମ ଟିମ୍ ସେମାନଙ୍କ ପୋଜିସନ୍ ନେଇସାରିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ଘନ ଘନ ବୈଠକ କରି ସମସ୍ତ ସତର୍କତାମୁଳକ ପଦକ୍ଷେପର ସମୀକ୍ଷା କରୁଛନ୍ତି । ରାଜ୍ୟବାସୀ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।