ଭୁବନେଶ୍ୱର: ଅତ୍ୟନ୍ତ ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ଧରି ଓଡ଼ିଶାକୁ ମାଡ଼ି ଆସୁଛି ‘ଫନି’ । ଆଜି ସଂଧ୍ୟାରେ ପୁରୀଠାରୁ ୭୦୦ କିଲୋମିଟର ଦୂର ଦକ୍ଷିଣରେ ଥିଲା ‘ଫନି’ । ଅତ୍ୟନ୍ତ ଭୟଙ୍କର ରୂପ ଧରି ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୦ କିମି ବେଗରେ ଏହା ଓଡ଼ିଶା ଉପକୂଳ ଆଡେ ମାଡ଼ି ଆସୁଛି । ୩ ତାରିଖ ଅପରାହ୍ନରେ ଏହା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଉଦୟଗିରି ନିକଟରେ ଲ୍ୟାଣ୍ଡଫଲ୍ ବା ସ୍ଥଳଭାଗ ଛୁଇଁବାରେ ବୋଲି ଆମେରିକୀୟ ପାଣିପାଗ ସଂସ୍ଥା ଆଇଟିଡବ୍ଲୁସି ରିପୋର୍ଟ ଆଧାରରେ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି । ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟା ପ୍ରତି ୧୮୫ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ୨ ତାରିଖରୁ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୮୫ କିମି ପବନ ସହ ଆରମ୍ଭ ହୋଇଯିବ ପ୍ରବଳରୁ ଅତି ପ୍ରବଳ ବର୍ଷା । ୩ ତାରିଖ ସକାଳୁ ୧୭୫ ରୁ ୧୮୫ କିମି ବେଗରେ ପବନ ବହିବ । ୯ଟି ଜିଲ୍ଲା ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂପୁର, ଢ଼େଙ୍କାନାଳ, ମୟୁରଭଞ୍ଜ ବେଶୀ ପ୍ରଭାବିତ ହେବ । ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ସବୁ ଜିଲ୍ଲାପାଳମାନଙ୍କୁ ସଜାଗ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ । ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିଦେ୍ର୍ଦଶ ଦିଆଯାଇଛି । ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।
ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଘନ ଘନ ବୈଠକ କରି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଓଡ୍ରାଫ୍, ଏନଡ଼ିଆରଏଫ୍, ଅଗ୍ନିଶମ ବିଭାଗକୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି । କେନ୍ଦ୍ର ସରକାରଙ୍କଠାରୁ ଦୁଇଟି ହେଲିକପ୍ଟର ଓ ଅତିରିକ୍ତ ଏନଡିଆରଏଫ ଟିମ୍ ମଗାଯାଇଛି । ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ସମ୍ଭାବନା ଥିବାରୁ କେନ୍ଦ୍ର ସରକାର ଆଜି ୩୪୧ କୋଟି ଟଙ୍କା ଆଗୁଆ ସହାୟତା ଦେଇଛନ୍ତି ।