ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ୍ ଆରୋରାଙ୍କୁ ଭେଟିଛନ୍ତି । ଓଡ଼ିଶାକୁ ମାଡ଼ି ଆସୁଥିବା ଅତି ଭୟଙ୍କର ଘୂର୍ଣ୍ଣିଝଡ଼ ‘ଫନି’ ସମ୍ପର୍କରେ ତାଙ୍କୁ ଅବଗତ କରି ସମ୍ଭାବ୍ୟ ପରିସ୍ଥିତିରେ ରାଜ୍ୟରେ ଲାଗୁ ରହିଥିବା ନିର୍ବାଚନ ଆଦର୍ଶ ଆଚରଣ ବିଧି ହଟାଇବା ସହ ଆସନ୍ତା ୧୯ ତାରିଖରେ ସ୍ଥିରୀକୃତ ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି, ଫନି ଭୟଙ୍କର ଝଡ଼ବାତ୍ୟାର ରୂପ ନେଇସାରିଛି ଏବଂ ୨୨୦ କିମି ବେଗରେ ପବନ ଧରି କେନ୍ଦ୍ରାପଡ଼ା ଜିଲ୍ଲାରେ ଲ୍ୟାଣ୍ଡଫଲ୍ କରିବାର ପୂର୍ବାନୁମାନ କରାଯାଇଛି । ଏହି ଘୁର୍ଣ୍ଣିଝଡର ପଥ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଥିବାରୁ ଧନଜୀବନ କ୍ଷୟକ୍ଷତିର ମୁକାବିଲା ପାଇଁ ଜରୁରୀ ପ୍ରସ୍ତୁତି ଅପରିହାର୍ଯ୍ୟ ହୋଇପଡ଼ିଛି । ରାଜ୍ୟ ସରକାର ଏଥିପାଇଁ ତତ୍ପର ହୋଇଛନ୍ତି । ତେବେ ଏଭଳି ଦୁର୍ବିପାକର ମୁକାବିଲା ପାଇଁ ଲୋଡ଼ା ରହୁଛି ଏକ ସୁସ୍ଥ ରାଜନୈତିକ ବାତାବରଣ ଏବଂ ଜନସାଧାରଣଙ୍କ ସହଭାଗିତା । ପ୍ରଶାସନିକ କାର୍ଯ୍ୟ ତ୍ୱରାନ୍ୱିତ ସହ ରିଲିଫ୍ ଓ ଉଦ୍ଧାର ଭଳି ବିଭିନ୍ନ କାର୍ଯ୍ୟ ପାଇଁ କୌଣସି ପ୍ରତିବନ୍ଧକ ରହିବା କଥା ନୁହେଁ । ମେ ୨୯ ତାରିଖରେ ନିର୍ବାଚନ ସରିଯାଇଥିବାରୁ ରାଜ୍ୟରେ ଲାଗୁ ରହିଥିବା ନିର୍ବାଚନ ଆଚରଣ ବିଧି ତୁରନ୍ତ ହଟାଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଏଥିସହ ମେ ୧୯ ତାରିଖରେ ଧାର୍ଯ୍ୟ ହୋଇଥିବା ପାଟକୁରା ବିଧାନସଭା କ୍ଷେତ୍ରର ନିର୍ବାଚନ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି । ଏହା ହେଲେ ଜନସାଧାରଣ ଏକାଠି ହୋଇ ବିପର୍ଯ୍ୟୟର ମୁକାବିଲା କରିପାରିବେ ଏବଂ ପ୍ରଶାସନ ତାଙ୍କ କାର୍ଯ୍ୟ ସୁରୁଖୁରୁରେ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଜରୁରୀ ନିଷ୍ପତ୍ତି ନେବାକୁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ମୁଖ୍ୟ ନିର୍ବାଚନ କମିଶନର ଗୁରୁତ୍ୱର ସହ ବିଚାର କରୁଥିବା ଜଣାଇଛନ୍ତି । ସାମ୍ବାଦିକମାନଙ୍କୁ ମୁଖମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।