ଭୁବନେଶ୍ୱର: ସରିଲା ନିର୍ବାଚନ । ୪ଟି ପର୍ଯ୍ୟାୟରେ ୨୧ଟି ଲୋକସଭା ଆସନ ଏବଂ ୧୪୬ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନଙ୍କ ଭାଗ୍ୟ ସିଲ୍ ହୋଇଛି ଇଭିଏମ୍ ବାକ୍ସରେ । ବେଦପ୍ରକାଶ ଅଗ୍ରୱାଲ୍ ଙ୍କ ମୃତ୍ୟୁ ଯୋଗୁଁ ସ୍ଥଗିତ ଥିବା ପାଟକୁରା ଆସନ ପାଇଁ ଆସନ୍ତା ୧୯ ତାରିଖରେ ନିର୍ବାଚନ ହେବ । ଆସନ୍ତା ୧ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ଥିବା ବେଳେ ଆଜି ବିଜେଡ଼ି ତାର ପ୍ରାର୍ଥୀ ଘୋଷଣା କରିଛି । ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲ୍ ଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ୍ ସେଠାରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ତାଙ୍କ ନାଁ ଘୋଷଣା କରିଛନ୍ତି ।
ସେଠାରୁ ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ବେଶୀ ଚର୍ଚ୍ଚା ହେଉଥିଲା । ତେଜେଶ୍ୱର ପରିଡ଼ା, ରବି ସାମଲ, ଶାନ୍ତନୁ ନାୟକଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଥିଲା । ମାତ୍ର ସମସ୍ତଙ୍କୁ ଚକିତ କରି ବିଜେଡ଼ି ସୁପ୍ରିମୋ ସ୍ୱର୍ଗତ ବେଦପ୍ରକାଶଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛନ୍ତି । ତାଙ୍କର ପ୍ରାର୍ଥୀତ୍ୱକୁ ନେଇ ଦଳରେ କୌଣସି ବିବାଦ ନାହିଁ କହିଲେ ଚଳେ । ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଫାଇଟ୍ ଦେବେ ସାବିତ୍ରୀ ।
ଟିକେଟ ଘୋଷଣା ପରେ ସାବିତ୍ରୀ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି, ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ମୁଁ ଚେଷ୍ଟା କରିବି । ଏଥିସହ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ସାବିତ୍ରୀ ।