– କଂଗ୍ରେସର ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡାକରା
– ବିଜେପିର ୧୨ ଘଣ୍ଟିଆ ‘ଓଡ଼ିଶା ହରତାଳ’ ଡାକରା
– ବୁଧବାର ସବୁ ସ୍କୁଲ, କଲେଜ ବନ୍ଦ ଘୋଷଣା କଲେ ସରକାର
ଭୁବନେଶ୍ୱର: ସମ୍ବେଦନଶୀଳ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାରୁ ରାଜନୈତିକ ଫାଇଦା ପାଇଁ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା । ନ୍ୟାୟଭିକ୍ଷା ନାଁରେ ବିରୋଧୀ ଦଳ ରାଜରାସ୍ତାକୁ ଆସିଛନ୍ତି । ଦିନ ତମାମ ବିଜେପି ଓ କଂଗ୍ରେସ ଘଟଣାର ପ୍ରତିବାଦ, ବିକ୍ଷୋଭ ଜାରି ରଖିଲା ପରେ ଆସନ୍ତାକାଲି ସାରା ଓଡ଼ିଶାରେ ଆନ୍ଦୋଳନର ଡାକରା ଦେଇଛନ୍ତି । କଂଗ୍ରେସ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ର ଡାକରା ଦେଇଥିଲା ବେଳେ ତାଙ୍କୁ ଦେଖାଦେଖି ବିଜେପି ୧୨ ଘଣ୍ଟିଆ ‘ଓଡ଼ିଶା ହରତାଳ’ ଡାକରା ଦେଇଛି । ବନ୍ଦ, ହରତାଳକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବି ସତର୍କ ହୋଇଯାଇଛନ୍ତି । ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ, କଲେଜକୁ ବନ୍ଦ ଘୋଷଣା କରିଛନ୍ତି ।
ସକାଳେ କୁନ୍ଦୁଲି ଡାକ୍ତରଖାନାରେ ପୀଡ଼ିତାଙ୍କ ଶବକୁ ବ୍ୟବଚ୍ଛେଦ କରିବାକୁ ନ ଦେଇ କଂଗ୍ରେସ ରାଜରାସ୍ତାକୁ ଆଣିଥିବା ବେଳେ ବିଜେପି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ଆସନ୍ତାକାଲି କୋରାପୁଟ ବନ୍ଦ ଡାକରା ଦେଇଥିଲା । ଦଳର ସାଧାରଣ ସମ୍ପାଦକ ଭ୍ରୁଗୁ ବକ୍ସିପାତ୍ର ଅବିଭକ୍ତ କୋରାପୁଟ ବନ୍ଦର ଘୋଷଣା କରିଥିଲେ । ତେବେ ଅପରାହ୍ନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଘୋଷଣା କରିଥିଲେ । ଟୁଇଟରରେ ସେ ଏହି ସୂଚନା ଦେବା ପରେ ବୋଧହୁଏ ବିଜେପିର ମନ ସହିଲା ନାହିଁ । କଂଗ୍ରେସକୁ କାଳେ ଶ୍ରେୟ ପଳାଇବ ଏବଂ ଫାଇଦା କରାଇ ନ ଦେବା ପାଇଁ ବିଜେପି ସମାନ୍ତରାଳ ଭାବେ ଓଡ଼ିଶା ହରତାଳର ଡାକରା ଦେଇଥିଲା । ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ପ୍ରେସ୍ ମିଟ୍ କରି ଆସନ୍ତାକାଲି ହରତାଳ ଘୋଷଣା କରିଥିଲେ ।
ସୂଚନା ଅନୁଯାୟୀ, ଗତକାଲିଠୁ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେବାକୁ ମନସ୍ଥ କରିସାରିଥିବା ବେଳେ ବିଜେପିର କିନ୍ତୁ ସାହସ ନ ଥିଲା । କାଳେ ଭାଣ୍ଡିଆ ହେବେ ସେହି ଭୟ ଥିଲା । ସେଥିପାଇଁ ବନ୍ଦ ଆନ୍ଦୋଳନକୁ କୋରାପୁଟରେ ସୀମିତ କରିଥିଲା । ହେଲେ କଂଗ୍ରେସର ଘୋଷଣା ପରେ ବିଜେପି ଶକ୍ତି ପାଇଗଲା । ବନ୍ଦକୁ ବନ୍ଦ ହେବ ଆଉ ଫାଇଦା ବି ମିଳିବ । ତେବେ ସେ ଯାହା ହେଉ, ବନ୍ଦ, ହରତାଳ ସଫଳ କରିବା ପାଇଁ ଉଭୟ ଦଳ ଫୁଲ୍ ଦମ୍ ଖଟାଇଛନ୍ତି । ଉଭୟ ଦଳ ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ଆନ୍ଦୋଳନକୁ ଜବରଦସ୍ତ ସଫଳ କରାଇ ସରକାରଙ୍କ ବିରୋଧରେ ହାୱା ସୃଷ୍ଟି କରିବାକୁ ଯୋଜନା କରିଛନ୍ତି ।
ଅନ୍ୟପକ୍ଷରେ ସମ୍ଭାବ୍ୟ ହିଂସାକାଣ୍ଡ ଆଶଙ୍କାରେ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭୁବନେଶ୍ୱରର ବିଭିନ୍ନ ଛକ ସମେତ ସାରା ରାଜ୍ୟର ସ୍ପର୍ଶକାତର ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନର ବ୍ୟବସ୍ଥା କରାଯାଇଛି । ରାଜ୍ୟର ସବୁ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରାଯାଇଛି । ଯେଉଁଠି କିଛି ପରୀକ୍ଷା ଅଛି ତାହା ମଧ୍ୟ ଅନ୍ୟଦିନକୁ ଘୁଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।