ଭୁବନେଶ୍ୱର: ଅଟକି ରହିଥିବା ବିଜେପୁର ଉପନିର୍ବାଚନ ଘଣ୍ଟି ବାଜିଛି । ଫେବୃଆରୀ ୨୪ ତାରିଖରେ ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୨୮ ତାରିଖରେ ଭୋଟଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । କାର୍ଯ୍ୟସୂଚୀ ଅନୁଯାୟୀ, ଫେବୃଆରୀ ୬ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଥିଲା ବେଳେ ୭ ରେ ନାମାଙ୍କନପତ୍ର ଯାଞ୍ଚ ଏବଂ ୯ ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ଜାନୁଆରୀ ୩୦ରେ ବିଧିବଦ୍ଧ ଭାବେ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ମାର୍ଚ୍ଚ ୩ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଉପନିର୍ବାଚନ ବିଜ୍ଞପ୍ତି ସହ ଆଜିଠାରୁ ବରଗଡ଼ ଜିଲ୍ଲାରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଏହା ଲାଗୁ ହୋଇଛି ।
ଗତ ଅଗଷ୍ଟ ୨୨ ତାରିଖରେ ବିଜେପୁର ବିଧାୟକ ସୁବଳ ସାହୁଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ଯୋଗୁ ବିଧାନସଭା ଆସନଟି ଖାଲି ପଡ଼ିଥିଲା । ୬ ମାସ ଭିତରେ ଉପନିର୍ବାଚନ ହେବାର ବିଧି ଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମୟ ଗଡ଼ି ଚାଲିଥିବାରୁ ନାନା ଚର୍ଚ୍ଚା ଆରମ୍ଭ ହୋଇଥିଲା । ନିର୍ବାଚନ କମିଶନଙ୍କୁ ପ୍ରଭାବିତ କରି ବିଜେପି ବିଜେପୁର ଉପନିର୍ବାଚନ ଘୁଞ୍ଚାଉଛି ବୋଲି ବିଜେଡ଼ି ଅଭିଯୋଗ କରିଥିଲା । ସୂଚନାଯୋଗ୍ୟ, ଆଚଲ୍ କୁମାର ଜୋତି ଗତକାଲି ନିର୍ବାଚନ କମିଶନ କମିଶନର ପଦରୁ ଅବସର ନେଲା ପରେ ଓମ୍ ପ୍ରକାଶ ରାୱତ୍ ନୂଆ କମିଶନର ଦାୟିତ୍ୱ ନେଇଛନ୍ତି ।