– ମୁଖ୍ୟମନ୍ତ୍ରୀଙ୍କ ସେଇ ପୁରୁଣା ଷ୍ଟାଇଲ୍: ଦୁଃଖ, ଅନୁଧ୍ୟାନ
– ଶବକୁ ଧରି କୁନ୍ଦୁଲି ରାସ୍ତାରେ କଂଗ୍ରେସ
– ଭୁବନେଶ୍ୱର ରାଜରାସ୍ତାରେ ବିଜେପି
ଭୁବନେଶ୍ୱର: କୁନ୍ଦୁଲିର ଗଣଧର୍ଷିତା ନାବାଳିକା ଆତ୍ମହତ୍ୟା କରିବା ପଛରେ ସରକାରଙ୍କ ଖତରା ଚେହେରା ପଦାରେ ପଡ଼ିଛି । ୧୦୦ ର ସଂଗ୍ରାମ ପରେ ବି ସରକାର ତାଙ୍କୁ ନ୍ୟାୟ ଦେଇପାରିଲେନି । ତଦନ୍ତ ଆଳରେ ସମୟ ଗଡ଼େଇ ଚାଲିଲେ । ଆଉ ଏବେ ସେ ଜୀବନ ହାରିଦେବା ପରେ ତଦନ୍ତ, ଅନୁଧ୍ୟାନ ଦେଖାଉଛନ୍ତି । ମୁଖ୍ୟମନ୍ତ୍ରୀ ଘଟଣାରେ ଦୁଃଖ ପ୍ରକାଶ କରିଦେଇ ଅନୁଧ୍ୟାନର କଥା କହିଛନ୍ତି । ସରକାରଙ୍କୁ ବଞ୍ଚେଇବା ପାଇଁ ବିଜେଡ଼ି ନେତାମାନଙ୍କ ପାଖରେ ଅସ୍ତ୍ର ହୋଇଛି କେବଳ ଗାଲୁ । ସେପଟେ କୁନ୍ଦୁଲି ଘଟଣା ଉପରେ ମୁକ ହୋଇ ବସିଥିବା ବିଜେପି ନାବାଳିକା ଶବ ନେଇ ରାଜନୀତିକୁ ଓହ୍ଲାଇଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରୁ ଫାଇଦା ନେବା ପାଇଁ ନେତା/ନେତ୍ରୀମାନେ ଅଣ୍ଟା ଭିଡ଼ି ପକାଇଛନ୍ତି । ଟିଭିରେ ବଡ଼ ବଡ଼ ବୟାନବାଜି କରୁଛନ୍ତି । ଗତକାଲି ନବୀନ ନିବାସ ଘେରାଉ ଉଦ୍ୟମ କରିଥିଲେ । ଆଜି ସମାନ ଉଦ୍ୟମ କରି ପୁଲିସକୁ ବାଢ଼େଇଛନ୍ତି, ପୁଲିସଠାରୁ ମାଡ଼ ଖାଇଛନ୍ତି । ସେୟାଡ଼େ କୁନ୍ଦୁଲିରେ ଶବକୁ ରାଜରାସ୍ତାରେ ପକାଇ କଂଗ୍ରେସ ରାଜନୀତି କରିଛି । ମହିଳା କଂଗ୍ରେସ ବି ନବୀନ ନିବାସକୁ ଅତିର୍କିତ ଘେରାଉ ଉଦ୍ୟମ କରିଛି ।
କୁନ୍ଦୁଲି ଗଣଧର୍ଷଣ ମାମଲା ଓ ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାଟି ଆଜି ଓଡ଼ିଶାବାସୀଙ୍କ ଛାତି ଥରାଇଦେଇଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା, ପର୍ଯ୍ୟାଲୋଚନା ଚାଲିଛି । ନିରୀହ ଆଦିବାସୀ ନାବାଳିକାଟି ଗଣଧର୍ଷଣର ଶିକାର ହୋଇଥିବା ବାରମ୍ବାର କହିଥିଲେ । ତାଙ୍କୁ ନ୍ୟାୟ ମିଳୁ ବୋଲି କାକୁତୀ ହୋଇଥିଲେ । ପୂର୍ବରୁ ଦୁଇ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମାତ୍ର ପୁଲିସ, ପ୍ରଶାସନ ଓ ସରକାର ଏତେ ନିର୍ଦ୍ଦୟ ହେଲେ କେମିତି ? ଧରନ୍ତୁ ଡାକ୍ତରୀ ରିପୋର୍ଟ ଅନୁଯାୟୀ ନାବାଳିକା ଗଣଧର୍ଷଣର ଶିକାର ହୋଇ ନ ଥିଲେ । କିନ୍ତୁ ନିଜେ ନାବାଳିକା ଗଣଧର୍ଷଣର ଶିକାର ହୋଇଥିବା ଦାବି କରିବା ଏବଂ ନ୍ୟାୟ ମିଳିବା ଦାବିରେ ବାରମ୍ବାର ଆତ୍ମହତ୍ୟା ଉଦ୍ୟମ ପରେ ସରକାରଙ୍କର କ’ଣ କିଛି ଦାୟିତ୍ୱ ନ ଥିଲା ? ତଦନ୍ତ ଆଳରେ ସମୟ ଗଡ଼ାଇ ସରକାର ଶୋଇଗଲେ କେମିତି ?
ଏହା ବି ସମସ୍ତଙ୍କୁ ଜଣା କି ପୀଡ଼ିତାଙ୍କର ଡାକ୍ତରୀମାଇନା ରିପୋର୍ଟ ହିଁ ବିବାଦର ମଂଜି । ନାବାଳିକାକୁ ଧର୍ଷଣର ଚିହ୍ନବର୍ଣ୍ଣ ନାହିଁ ବୋଲି ଡାକ୍ତର ଦଳ ରିପୋର୍ଟ ଦେଇଥିଲେ । ଡାକ୍ତରମାନେ ଚାପରେ ପଡ଼ି ଏହି ରିପୋର୍ଟ ଦେଇଥିବା ଅଭିଯୋଗ ହେଉଛି । ଅର୍ଥାତ୍ ସରକାରୀ ଚାପରେ ଡାକ୍ତରମାନେ ରିପୋର୍ଟ ପ୍ରସ୍ତୁତ କରିଥାଇପାରନ୍ତି । ମିଡ଼ିଆରେ ଏହି ଖବର ଜୋରଦାର ଆସିଲା । ପୀଡ଼ିତାଙ୍କ ପ୍ରତିକ୍ରିୟା ବି ଆସିଲା । ଏତେ ବଡ଼ ସମ୍ବେଦନଶୀଳ ପ୍ରସଙ୍ଗରେ ଡାକ୍ତରୀ ରିପୋର୍ଟ ବଦଳେଇ ସତ ଚାପିବାକୁ ସରକାର ସାହାସ କରିଥିଲେ ସାଂଘାତିକ ନୁହେଁ କି ? ଯଦି ସରକାର ସତ ଲୁଚେଇ ଦେଲେ ତେବେ ଆଜି କମ୍ପମାନ କରୁଥିବା ବିଜେପିବାଲା ଶୋଇଥିଲେ କେଉଁଠି ? ବିଧାନସଭାରେ ନା ବାହାରେ ଦିନକ ପାଇଁ ଏହା ବିରୋଧରେ ସ୍ୱର ଉଠାଇଥିଲେ କି ? ପୀଡ଼ିତାଙ୍କ ପଛରେ ଛିଡ଼ା ହୋଇଥିଲେ କି ? ଆଜି ସେ ମରିଗଲା ପରେ ତୁମ୍ବିତୋଫାନ କେଉଁ ଉଦେ୍ଦଶ୍ୟରେ ? ଆଖି ବୁଜିଦେଇଥିବା ୧୫ ବର୍ଷର ଜଣେ ନିରୀହ ଆଦିବାସୀ ଝିଅକୁ ନେଇ ରାଜନୀତି କ’ଣ ପାଇଁ ?
ଆଉ ରହିଲା ଆମ ପୁଲିସ ବାବୁଙ୍କ କଥା । ଜବାନ ପୋଷାକ ପିନ୍ଧା ୪ ଜଣ ଲୋକ ନାବାଳିକାଙ୍କୁ ଜଙ୍ଗଲକୁ ଟେକିନେଇ ଗଣଧର୍ଷଣ କରିଥିଲେ ବୋଲି ସେ ନିଜେ କହିଥିଲେ । ମାତ୍ର ଡାକ୍ତରୀ ରିପୋର୍ଟ ତାହା ମିଛ ବୋଲି ଦର୍ଶାଇଥିଲା । ହୋଇପାରେ ନିଜ ଜାତିଭାଇଙ୍କୁ ସୁରକ୍ଷା ଦେବାକୁ ପୁଲିସ ଡାକ୍ତରଙ୍କ ଉପରେ ଚାପ ପକାଇ ରିପୋର୍ଟ ବଦଳେଇ ପାରିଥାଆନ୍ତି । ସତ ହୋଇଥିଲେ ଏହା ମାରାତ୍ମକ ନୁହେଁ କି ? ପୀଡ଼ିତା ବାରମ୍ବାର ନ୍ୟାୟଭିକ୍ଷା ପାଇଁ ଚିତ୍କାର କଲା ବେଳେ ସରକାର ଶୋଇଥିଲେ କାହିଁକି ? ଚାହିଁଥିଲେ ରାଜ୍ୟ ବାହାରେ ନାବାଳିକାର ଡାକ୍ତରୀମାଇନା କରି ସତ ପଦାକୁ ଆଣିପାରି ନ ଥାଆନ୍ତେ କି ? ଆଉ ସରକାରଙ୍କ ଉପରେ ଚାପ ନ ପକାଇ ବିରୋଧୀ ଦଳ ଶୋଇଥିଲେ କାହିଁକି ?
କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପାଇଁ ଆମର ଏ ବ୍ୟବସ୍ଥା ଯେ ସମ୍ପୂର୍ଣ୍ଣ ଦାୟୀ ତାହା ନିଶ୍ଚିତ । ଏହି ବ୍ୟବସ୍ଥାରେ ସରକାର, ସରକାରୀ କଳ ସହ ବିରୋଧୀ ଦଳକୁ ବି ଦାୟୀ କରାଯାଉଛି । ବ୍ୟବସ୍ଥାରେ ସୁଧାର ନ ଆସିଲେ ଆଇନ, ମାନବିକତା ସବୁକୁ ସରକାର ମୋଡ଼ି ମକଚୁଥିବେ ଆଉ ବିରୋଧୀ ଦଳ ନିଜ ସପକ୍ଷରେ ଜନମତ ଟାଣିବା ପାଇଁ ଫମ୍ପା ରାଜନୀତି କରୁଥିବେ । ଏଥିରେ କାହାର ଲାଭକ୍ଷତି ହୋଇପାରେ ହେଲେ କୁନ୍ଦୁଲି ଭଳି ପୀଡ଼ିତାମାନେ ସେମିତି ନ୍ୟାୟ ଭିକ୍ଷା କରି ଜୀବନ ହାରୁଥିବେ । ଏକ ସଭ୍ୟ ସମାଜ ପାଇଁ ଏହାଠାରୁ ବଡ଼ ଅପରାଧ ଆଉ ଲଜ୍ଜା କିଛି ହୋଇ ନ ପାରେ ।