ଭୁବନେଶ୍ୱର: ୨୦୧୪ ରେ କେନ୍ଦ୍ରାପଡ଼ାର ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଆଖି ଥିଲା ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ଉପରେ । ହେଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ବୈଜୟନ୍ତଙ୍କ ନାଁ ସୁପାରିଶ କରିବାକୁ ମନା କରିଥିଲେ । ବୈଜୟନ୍ତ ବ୍ୟବସାୟିକ କାରବାରରେ ଜଡ଼ିତ ଥିବାରୁ ନୈତିକତା ଦୃଷ୍ଟିରୁ ସେ ତାଙ୍କୁ ଚାହିଁ ନ ଥିବା ନିକଟରେ ମୁହଁ ଖୋଲିଥିଲେ ମୁଖ୍ୟମନ୍ତ୍ରୀ । ତେବେ ବୈଜୟନ୍ତଙ୍କର କ’ଣ ସେହି ବ୍ୟବସାୟିକ କାରବାର ଏବଂ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ଉପରେ ଆଖି ପକାଇବା ପଛର କାରଣ କ’ଣ ସେହି ଗୁମର ଖୋଲିଛି ବିଜେଡ଼ି । ବୈଜୟନ୍ତ ପଣ୍ଡା ଇମ୍ଫା ମାଇନିଂ କମ୍ପାନୀର ଉପାଧ୍ୟକ୍ଷ ଭାବେ ସଂସ୍ଥାର ବ୍ୟବସାୟିକ ସ୍ୱାର୍ଥ ବୁଝାସୁଝା କରୁଥିବାରୁ ତାହାକୁ ସହଜ କରିବା ପାଇଁ ପାର୍ଲିଆମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦକୁ ଲୋଭେଇଥିଲେ । ଆଜି ବିଜେଡ଼ି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଡ. ସସ୍ମିତ୍ ପାତ୍ର ,ଲେଲିନ୍ ମହାନ୍ତି ଏବଂ ସୁଲତା ଦେଓ ଦସ୍ତାବିଜ୍ ସହ ଏହାର ଖୁଲାସା କରାଯାଇଛି ।
୨୦୧୪ ମେ ମାସରେ ରାଜ୍ୟରେ ସରକାର ଗଠନ ହେବା ପରେ ସେହି ମାସ ୨୦ ତାରିଖରେ ଇମ୍ଫା ମାଇନିଂ କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସ ମିଟିଂ ଅନୁଷ୍ଠିତ ହୋଇଥିଲା । ଇମ୍ଫା ଏହାର ସହଯୋଗୀ ଉତ୍କଳ କୋଲ୍ ଲିମିଟେଡ଼ ପାଇଁ ଏସଆରଇଆଇ ଇନଫ୍ରାଷ୍ଟ୍ରକଚର ଫାଇନାନସ ଲିମିଟେଡଠାରୁ ୧୧୦ କୋଟି ଋଣ ପାଇବାରେ ସକ୍ଷମ ହୋଇଥିବା ଉକ୍ତ ମିଟିଂରେ ଜଣାଇଥିଲେ କମ୍ପାନୀର ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଏଥିରୁ ସ୍ପଷ୍ଟ ଯେ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନରୁ ନିଜ ସଂସ୍ଥା ପାଇଁ ଋଣ ହାସଲ କରିବାରେ ବୈଜୟନ୍ତ ପଣ୍ଡା ପ୍ରମୁଖ ଭୂମିକା ନେଇଥିଲେ । ଖାଲି ସେତିକି ନୁହେଁ, ଉକ୍ତ ୧୧୦ କୋଟି ଟଙ୍କାର ଋଣ କାରବାର କାଗଜପତ୍ରରେ ଦସ୍ତଖତକାରୀ ଥିଲେ ବୈଜୟନ୍ତ । ଇମ୍ଫାର ବ୍ୟବସାୟିକ କାରବାରରେ ତାଙ୍କର କୌଣସି ସଂପୃକ୍ତ ନାହିଁ ବୋଲି ବର୍ଷ ବର୍ଷ ଧରି ବୈଜୟନ୍ତ ସଫେଇ ଦେଉଥିବା ବେଳେ ଇମ୍ଫା ବୋର୍ଡ ଅଫ ଡାଇରେକ୍ଟର୍ସ ମିଟିଂର ରିଜୋଲ୍ୟୁସନ୍ କପି ତାଙ୍କ ଗୁମର ଖୋଲିଛି ।
ସେହିଭଳି ୨୦୧୪ ଜୁନ୍ ୪ ତାରିଖରେ ଇମ୍ଫା କମ୍ପାନୀର ନିଦେ୍ର୍ଦଶକମାନଙ୍କୁ ନେଇ ଫାଇନାନସ୍ କମିଟି ମିଟିଂରେ ବୈଜୟନ୍ତ ପଣ୍ଡାଙ୍କ ଉପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଆଇସିଆଇସିଆଇ ବ୍ୟାଙ୍କରୁ ୪୩୦ କୋଟି ଟଙ୍କାର ଏକ ଋଣ ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ଦାୟିତ୍ୱ ବୈଜୟନ୍ତଙ୍କ ଉପରକୁ ଛଡ଼ାଯାଇଥିଲା । ଠିକ୍ ଏହି ସମୟରେ ଦିଲ୍ଲୀରେ ସରକାର ଗଠନ ହୋଇଥିଲା ଏବଂ ପାର୍ଲିଆମେଣ୍ଟରେ ଫାଇନାନସ୍ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦ ପାଇଁ ମନୋୟନ ପ୍ରକ୍ରିୟା ଚାଲିଥିଲା । ଆଉ ସେହି ପଦ ଉପରେ ଆଖି ପକାଇଥିଲେ ବୈଜୟନ୍ତ । ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା, ଫାଇନାନସ୍ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନ ଉପରେ ପ୍ରଭାବ ପକାଇ ନିଜର ଇମ୍ଫା କମ୍ପାନୀ ପାଇଁ ଶହ ଶହ କୋଟି ଟଙ୍କାର ଋଣ ହାସଲ କରିବେ ।
ଏହି ଦୁଇଟି ଘଟଣାରୁ ସ୍ପଷ୍ଟ ଯେ ବୈଜୟନ୍ତ ପଣ୍ଡା ଜଣେ ସଚ୍ଚା ବ୍ୟବସାୟୀ । ଓଡ଼ିଶା ଲୋକଙ୍କ ସ୍ୱାର୍ଥ ପାଇଁ ଚିନ୍ତା କରୁଥିବା ରାଜନେତା ନୁହଁନ୍ତି । ବରଂ ରାଜନୀତିକୁ ପ୍ଲାଟଫର୍ମ କରି ନିଜର ବ୍ୟବସାୟିକ ସାମ୍ରାଜ୍ୟକୁ ବିସ୍ତାର କରିବାରେ ସିଦ୍ଧହସ୍ତ । ଓଡ଼ିଶାବାସୀଙ୍କ ପାଇଁ ବିଡ଼ମ୍ବନା ଯେ ବୈଜୟନ୍ତ ପଣ୍ଡା ନିଜ ପରିବାର ନାଁରେ ଇମ୍ଫା କମ୍ପାନୀକୁ ପାର୍ କରାଇ ତାଙ୍କର କୌଣସି ଭୂମିକା ନ ଥିବା ସଫେଇ ଦେଉଛନ୍ତି । ମାତ୍ର ଅସଲରେ ସେ ନିଜେ ହିଁ ଏହାର ମୁଖ୍ୟ ଉଦ୍ୟୋକ୍ତା ଏବଂ କମ୍ପାନୀ କାରବାରରେ ଅଗ୍ରଣୀ ଭୂମିକା ନିଭାଉଛନ୍ତି । ଏଭଳିଭାବେ ଓଡ଼ିଶାବାସୀଙ୍କୁ ଠକି ଚାଲିଛନ୍ତି ବୈଜୟନ୍ତ ।
ବୈଜୟନ୍ତଙ୍କର ବ୍ୟବସାୟିକ ଅପରେସନ୍ ର ଗୁମର ବି ଖୋଲିଛି ବିଜେଡ଼ି । ବିଭିନ୍ନ ବ୍ୟାଙ୍କରୁ ଋଣ ନେବା ଏବଂ ବିଭିନ୍ନ ଆଳ ଦେଖାଇ ସେହି ଋଣ ପରିଶୋଧ ନ କରିବା ବୈଜୟନ୍ତଙ୍କର ଏକମାତ୍ର ଲକ୍ଷ୍ୟ । ଅତୀତରେ ୨୩୦୦ କୋଟି ଟଙ୍କା ଋଣ ନେଇ ଏହି ଉପାୟରେ ସେ ଫାଙ୍କିଥିବା ଓଡ଼ିଶାବାସୀ ଭୁଲିନାହାନ୍ତି ।
ବୈଜୟନ୍ତ ପଣ୍ଡାଙ୍କର ଏହି ଅସଲ ଚେହେରା କେନ୍ଦ୍ରାପଡ଼ାବାସୀ ଭଲ ଭାବେ ଜାଣିସାରିଛନ୍ତି । ଦୁଇ ଦୁଇ ଥର ସେଠାରୁ ସାଂସଦ ହୋଇ କେନ୍ଦ୍ରାପଡ଼ାବାସୀଙ୍କ ସ୍ୱାର୍ଥ ଦେଖିବା ପରିବର୍ତ୍ତେ ନିଜର ମାଇନିଂ କମ୍ପାନୀର ସ୍ୱାର୍ଥ ଜଗିଥିବା ବୈଜୟନ୍ତ ପ୍ରତାରଣା କରିଛନ୍ତି । କେନ୍ଦ୍ରାପଡ଼ା ଲୋକଙ୍କ ବିଶ୍ୱାସ ସହ ଖେଳିଛନ୍ତି । ଆଗାମୀ ଦିନରେ ଲୋକଙ୍କ ବିଶ୍ୱାସ ସହ ଖେଳି ନିଜର ବ୍ୟବସାୟିକ ସ୍ୱାର୍ଥରକ୍ଷା ପାଇଁ ବୈଜୟନ୍ତଙ୍କୁ ଆଉ ସୁଯୋଗ ଦେବେନି କେନ୍ଦ୍ରାପଡ଼ାବାସୀ । ଏହି ନିର୍ବାଚନରେ ତାଙ୍କୁ ଉଚିତ ଜବାବ ଦେବେ ବୋଲି ବିଜେଡ଼ି ମୁଖପାତ୍ର କହିଛନ୍ତି ।
ତେବେ ତଥ୍ୟପ୍ରମାଣ ସହ ବିଜେଡ଼ି କରିଥିବା ଅଭିଯୋଗକୁ ବୈଜୟନ୍ତ ପଣ୍ଡା ଚାଲେଂଜ କରିଛନ୍ତି । ବିଜେଡ଼ି ପୂର୍ବରୁ ଏହି ଅଭିଯୋଗ କାହିଁକି ଆଣିଲାନି ବୋଲି ସେ ପ୍ରଶ୍ନ କରିଛନ୍ତି ।