ଭୁବନେଶ୍ୱର: ଅପରାଧିକ ମାମଲା ଥିବା ରେକର୍ଡ ସଂଖ୍ୟକ ବ୍ୟକ୍ତି ଏଥର ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ପ୍ରତିଦ୍ୱନ୍ଦିତା କରୁଥିବା ୧୧୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୨ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ୨୦୦୯ ଏବଂ ୨୦୧୪ ନିର୍ବାଚନରେ ଅପରାଧୀ ପ୍ରାର୍ଥୀଙ୍କ ହାର ତୁଳନାରେ ଏହା ୭ ପ୍ରତିଶତ ଅଧିକ । ପୂର୍ବ ଦୁଇଟି ଯାକ ନିର୍ବାଚନରେ ଅପରାଧୀ ପ୍ରାର୍ଥୀଙ୍କ ହାର ୨୩ ପ୍ରତିଶତ ଥିଲା ବେଳେ ଏଥର ତାହା ୩୦ ପ୍ରତିଶତକୁ ବଢ଼ିଛି । ବିଜେପିରୁ ସର୍ବାଧିକ ୮୬ ଜଣ(୫୯%) ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଥିବା ବେଳେ ବିଜେଡ଼ିରୁ ୫୮(୪୦%) ଏବଂ କଂଗ୍ରେସରୁ ୬୪(୪୬%) ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ଆହୁରି ବଡ଼କଥା ହେଉଛି, ଏମାନଙ୍କ ମଧ୍ୟରୁ ୨୫୭ ଜଣ ବା ୨୩ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ରହିଛି ରେପ୍, ମର୍ଡର, ଅପହରଣ ଭଳି ସଙ୍ଗୀନ ମାମଲା । ଓଡ଼ିଶା ଇଲେକ୍ସନ୍ ୱାଚ୍ ଏବଂ ଏଡ଼ିଆର ଏହି ତଥ୍ୟ ପ୍ରକାଶ କରିଛି ।
ରିପୋର୍ଟରେ କୁହାଯାଇଛି, ସଙ୍ଗୀନ ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ବିଜେପିର ସର୍ବାଧିକ ୬୭(୪୬%) ପ୍ରାର୍ଥୀ ଅଛନ୍ତି । ବିଜେପି ତଳକୁ କଂଗ୍ରେସର ୪୮(୩୫%) ଏବଂ ବିଜେଡ଼ିର ୪୦(୨୭%) ପ୍ରାର୍ଥୀଙ୍କ ନାଁରେ ରହିଛି ସଙ୍ଗୀନ ଅପରାଧିକ ମାମଲା । ସାମଗ୍ରିକ ଭାବେ ୫୯ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୩ କିମ୍ବା ତାଠାରୁ ଅଧିକ ସଂଖ୍ୟକ ପ୍ରାର୍ଥୀଙ୍କ ନାଁରେ ଘୋଷିତ ଅପରାଧିକ ମାମଲା ରହିଛି । ୭ ଜଣ ପ୍ରାର୍ଥୀ ଦୋଷୀ ସାବ୍ୟସ୍ତ ଅପରାଧୀ ହୋଇଥିବା ବେଳେ ୯ ପ୍ରାର୍ଥୀଙ୍କ ନାଁରେ ୩୦୨ ବା ହତ୍ୟା ମାମଲା ରହିଛି । ୬୩ ଜଣ ପ୍ରାର୍ଥୀଙ୍କ ନାଁରେ ୩୦୭ ଦଫା ବା ହତ୍ୟା ଉଦ୍ୟମ ମାମଲା ରହିଛି । ମହିଳା ବିରୋଧୀ ଅପରାଧ ମାମଲା ବା ୩୭୬ ଦଫା ଲାଗିଥିବା ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୪୯ । ୧୭ ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପହରଣ ।ମଲା ରହିଛି ।
ଖାଲି ଅଧିକ ସଂଖ୍ୟକ ଅପରାଧୀ ପ୍ରାର୍ଥୀ ନୁହଁନ୍ତି ଅଧିକ ସଂଖ୍ୟକ ଧନଶାଳୀ ପ୍ରାର୍ଥୀଙ୍କ ଭିଡ଼ ହୋଇଛି ଏହି ନିର୍ବାଚନରେ । ୨୦୦୯ ନିର୍ବାଚନରେ କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ୭% ଥିବା ବେଳେ ୨୦୧୪ରେ ୧୭% କୋଟିପତି ପ୍ରାର୍ଥୀ ଥିଲେ । ମାତ୍ର ଏଥର କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ୨୭% ହୋଇଛି । ବିଜେଡ଼ିରୁ ସର୍ବାଧିକ ୯୭(୬୬%) କୋଟିପତି ପ୍ରାର୍ଥୀ ଥିବା ବେଳେ ବିଜେପିରୁ ୭୫(୫୨%) ଏବଂ କଂଗ୍ରେସରୁ ୭୩(୫୩%) ହେଉଛନ୍ତି କୋଟିପତି ପ୍ରାର୍ଥୀ । ୫ କୋଟିରୁ ଅଧିକ ସମ୍ପତ୍ତି ତାଲିକାରେ ୬୯ ପ୍ରାର୍ଥୀ ଥିବା ବେଳେ ୨ କୋଟିରୁ ୫ କୋଟି ଭିତରେ ଅଛନ୍ତି ୧୧୧ ପ୍ରାର୍ଥୀ । ୫୦ ଲକ୍ଷରୁ ୨ କୋଟି ସମ୍ପତ୍ତି ଭିତରେ ଅଛନ୍ତି ୨୪୬ ପ୍ରାର୍ଥୀ । ୧୦ ଲକ୍ଷରୁ କମ ସମ୍ପତ୍ତି ତାଲିକାରେ ରହିଛନ୍ତି ୪୧୮ ପ୍ରାର୍ଥୀ ।
ଓଡ଼ିଶା ଇଲେକ୍ସନ୍ ୱାଚ୍ ଏବଂ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ୍(ଏଡ଼ିଆର) ପକ୍ଷରୁ ପ୍ରାର୍ଥୀମାନେ ଦାଖଲ କରିଥିବା ଆଫିଡେଭିଟ୍ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ବିଧାନସଭା ଆସନ ପାଇଁ ସମୁଦାୟ ୧୧୩୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ ମଧ୍ୟ ୧୧୨୧ ପ୍ରାର୍ଥୀଙ୍କ ଆଫିଡେଭିଟ୍ ହିସାବକୁ ନିଆଯାଇଛିସ । ୧୬ ପ୍ରାର୍ଥୀଙ୍କ ଆଫିଡେଭିଟ୍ ରୁ ସ୍ପଷ୍ଟ ଚିତ୍ର ମିଳପାରିନାହିଁ ।