ଭୁବନେଶ୍ୱର: ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳରୁ ଆମ ବିଜେଡ଼ି ବାବୁମାନେ ବହୁତ ଶିଖିବାର ଅଛି । ସବୁକଥାରେ ଗାଲୁ ପେଲି ଅହଂକାରର ଫୁଟାଣି ମାରୁଥିବା ବିଜେଡ଼ିବାଲା ୟୁପିରୁ ଶିକ୍ଷାଲାଭ ନ କଲେ ୨୦୧୯ ବେଳକୁ ମାଟି କାମୁଡ଼ିବା ଥୟ ହେବ । ସବୁଠାରୁ ଆଶ୍ଚର୍ଯ୍ୟର କଥା, ପଞ୍ଚାୟତ ନିର୍ବାଚନ ଫଳରୁ ବିଜେଡ଼ି କିଛି ଶିଖିଲା ନାହିଁ । ଗର୍ବ ଓ ଅହଂକାରରେ ବୁଡ଼ିକି ଥିବାରୁ ପରାଜୟ ମାନିବାକୁ ନାରାଜ । ଖୋଦ୍ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମତିଗତି ମଧ୍ୟ ସେଭଳି କିଛି ପରିବର୍ତ୍ତନର ଆଭାସ ଦେଉନି । ବିଜେପି ଏହାର ଜବରଦସ୍ତ ଫାଇଦା ନେଇଛି ଏବଂ ଆଗକୁ ପୂରା ଦମ୍ ରେ ଫାଇଦା ନେବାକୁ ବିଜେଡ଼ି ରାସ୍ତା କଡ଼େଇ ନେଉଛି । ଶାସକଦଳର ଏଭଳି ହାବଭାବ ରାଜ୍ୟବାସୀଙ୍କୁ ବି ବିଚଳିତ କରୁଛି । ଗାଁ ଗହଳିରେ ବିଜେପିର ସଂଗଠନ ଏ ପର୍ଯ୍ୟନ୍ତ ସୁଦୃଢ଼ ନ ଥିଲେ ମଧ୍ୟ ବିଜେପି ପ୍ରତି ଲୋକମାନେ ଆକୃଷ୍ଟ ହେବାରେ ଲାଗିଲେଣି । ପଞ୍ଚାୟତ ନିର୍ବାଚନ ଏହାର ଏକ ଟ୍ରେଲର୍ ସୋ ବୋଲି ବାରିହୋଇଯାଇଛି ।
ପଞ୍ଚାୟତ ନିର୍ବାଚନରେ ନିଜର ଅଧୋପତନ ପାଇଁ ବିଜେଡ଼ି ନେତାମାନେ ନିଜକୁ ସମୀକ୍ଷା କରିବେ କ’ଣ ମନରେ ସେମାନଙ୍କର ଗ୍ଲାନି ନାହିଁ କି ଅବସାଦ ନାହିଁ । ନିଜକୁ ଏକ ନମ୍ବର ଦଳ କହି ଫୁଟାଣି ମାରିବାର ଅଭ୍ୟାସ ସେମାନଙ୍କଠୁଁ ଯାଇନାହିଁ । ଦଳୀୟ ମୁଖପାତ୍ରମାନେ ଟିଭିରେ ବସି ଯେଭଳି ଚିରାଚରିତ ଫୁଟାଣି ଦେଖାଉଛନ୍ତି ଲୋକ ତାହାକୁ ଆଉ ଗ୍ରହଣ କରୁନାହାନ୍ତି । ଓଲଟି ସେମାନଙ୍କ ମୁହଁ ଦେଖିଲେ ଲୋକ ଟିଭି ବନ୍ଦ କରିଦେଉଛନ୍ତି । ସୁପ୍ରିମୋଙ୍କ ମନରେ ବି ଅବସାଦର ଚିହ୍ନବର୍ଣ୍ଣ ନାହିଁ । ଲୋକଙ୍କର ସେ ଅତି ପ୍ରିୟ ନେତା ଓ ଓଡ଼ିଶାରେ ତାଙ୍କର ବିକଳ୍ପ ନାହିଁ ବୋଲି ତାଙ୍କର ଓ ତାଙ୍କ ଚେଲାଚାମଣ୍ଡାଙ୍କର ପ୍ରବଳ ଅହଂକାର ଥିବାରୁ ବିଜେପିର ଉତ୍ଥାନକୁ ସେମାନେ ଗ୍ରହଣ କରୁନାହାନ୍ତି । ନବୀନଙ୍କ ବିଶ୍ୱସ୍ତ ଓ ପରାମର୍ଶଦାତାମାନେ ବାସ୍ତବତା ଜାଣୁଥିଲେ ମଧ୍ୟ ସୁପ୍ରିମୋଙ୍କ ପାଖରେ ଭଲ୍ଲେଇ ହୋଇ ସୁନଜରରେ ରହିବା ଚକ୍କରରେ ଠିକ୍ କଥା କହୁନାହାନ୍ତି । ଓଲଟି ତାଙ୍କୁ ପଥଭ୍ରଷ୍ଟ କରିବା ଉଦ୍ୟମ କରୁଛନ୍ତି । ଫଳରେ ତଳସ୍ତରରେ ଲୋକଙ୍କ ମନୋଭାବକୁ ନବୀନ ଜାଣିପାରୁନାହାନ୍ତି । ଯେଉଁ ଯେଉଁ କାରଣ ପାଇଁ ଲୋକେ ପଦ୍ମମୁହାଁ ହୋଇଛନ୍ତି ତାହାର ନିରାକରଣ ପ୍ରତି ଦଳୀୟ ନେତାଙ୍କ ତିଳେମାତ୍ର ଆଗ୍ରହ ନାହିଁ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ଅଭାବୀ ଧାନବିକ୍ରୀ ସମସ୍ୟା ପଞ୍ଚାୟତ ପରାଜୟର ପ୍ରମୁଖ କାରଣ ବୋଲି ଖୋଦ୍ ଶାସକ ଦଳର କିଛି ବିଧାୟକ ବିଧାନସଭାରେ ତୁମ୍ବିତୋଫାନ କରିଥିଲେ ମଧ୍ୟ ଯୋଗାଣମନ୍ତ୍ରୀ ତାହାକୁ ମାନିବାକୁ ନାରାଜ । ଓଲଟି ଗାଲୁ ପେଲି ସହଯୋଗୀ ବିଧାୟକଙ୍କୁ ଆକ୍ଷେପ କରିବାକୁ ପଛାଇ ନାହାନ୍ତି । ଖାଲି ସେତିକି ନୁହେଁ, ବିଧାନସଭାରେ ସରକାରଙ୍କ ଚିରାଚରିତ ଢ଼ଙ୍ଗ ଓ ଆଚରଣ ଜନସାଧାରଣଙ୍କୁ ଏବେ ବିରକ୍ତ ଓ ଉତକ୍ଷିପ୍ତ କଲାଣି ।
ଋଷି ମୃତ୍ୟୁ ଓ ସେକ୍ସ ଭିଡ଼ିଓ ମାମଲାରେ ଫସିଥିବା ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଦଳ ପାଇଁ ବୋଝ ହୋଇଥିବା ଯେ କେହି ସ୍ୱୀକାର କରିବେ । ପଞ୍ଚାୟତ ନିର୍ବାଚନ ବେଳେ ମେୟରଙ୍କ ନାଁରେ ବିରୋଧୀ ପକ୍ଷ ଯେଉଁ କ୍ୟାସେଟ୍ ବଜାଇଲେ ତାହା ଦଳର ଭାବମୂର୍ତ୍ତିକୁ ବେଶ୍ କ୍ଷୂର୍ଣ୍ଣ କଲା । ଗାଁ ଦାଣ୍ଡରେ ମେୟରଙ୍କ କାରନାମାର ଚର୍ଚ୍ଚା ହେଲା । ପଞ୍ଚାୟତ ନିର୍ବାଚନ ପରେ ମେୟରଙ୍କର ସେହି ବିବାଦୀୟ ଭିଡ଼ିଓ କ୍ଲିପ୍ ର ଫରେନସିକ୍ ଟେଷ୍ଟ ରିପୋର୍ଟ ମଧ୍ୟ ପଦାକୁ ଆସିଛି । ଭିଡ଼ିଓଟି ସତ୍ୟ ବୋଲି ସେହି ରିପୋର୍ଟ କହିଛି । ଏହାକୁ ନେଇ ବିରୋଧୀ ରାଜନୈତିକ ଦଳ ପୁଣି ହୋ ହଲ୍ଲା ଆରମ୍ଭ କଲାବେଳକୁ ଜିଦ୍ କଲା ଭଳି ମୁଖ୍ୟମନ୍ତ୍ରୀ ମେୟରଙ୍କୁ କୋଳେଇ ନେଇଛନ୍ତି । ବିଜୁ ଜୟନ୍ତୀରେ ତାଙ୍କୁ ଯୋଗାଡ଼ିଆ ଦାୟିତ୍ୱ ଦେଇ ପାଖେ ପାଖେ ରଖିଥିଲେ । ଏଭଳି କରି ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି କି ମେୟରଙ୍କ ନାଁରେ ଆସିଥିବା ଅଭିଯୋଗ ମିଛ ଏବଂ ଆଜି ବି ମେୟରଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ଆସ୍ଥା ଓ ଭରସା ଅଛି । ମୁଖ୍ୟମନ୍ତ୍ରୀଙ୍କର ଏଭଳି ଆଭିମୁଖ୍ୟ ପଛରେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ମନ୍ତ୍ରଣା କାମ କରିଥିବା ଦଳୀୟ ମହଲରେ ସମସ୍ତେ ଜାଣନ୍ତି । ତେବେ ଦଳର ଅଧିକାଂଶ ନେତା ଓ କର୍ମୀଙ୍କୁ ଏହା ପସନ୍ଦ ହୋଇନି । ମେୟରଙ୍କୁ କୋଳେଇ ନେଇ ଲୋକଙ୍କ ଭାବାବେଗକୁ ଟିହାଲଲା ଭଳି କାର୍ଯ୍ୟ ହୋଇଛି ବୋଲି ସେମାନେ କହୁଛନ୍ତି । ସାମାନ୍ୟ ମେୟରଙ୍କୁ ସୁରକ୍ଷା ଦେବା ପାଇଁ ଗୋଟେ ଦଳର ଭାବମୂର୍ତ୍ତି ଯେ ଛାନଭିନ୍ ହେଉଛି ତାହା ନବୀନ ବୁଝି ନ ପାରିବା ସମସ୍ତଙ୍କୁ ଆଚମ୍ବିତ କରିଛି । ଅବଶ୍ୟ ବିରୋଧୀ ଦଳକୁ ଏହା ବିଜେଡ଼ି ବିରୋଧୀ କ୍ୟାମ୍ପେନ୍ ର ବଢ଼ିଆ ଅସ୍ତ୍ର କରିଛି ।
ଖାଲି ଅଭାବୀ ଧାନବିକ୍ରୀ କି ମେୟର ପ୍ରସଙ୍ଗ ନୁହେଁ ପଞ୍ଚାୟତ ନିର୍ବାଚନ ହାର୍ ପରେ ବି ଛୋଟମୋଟ ଅନେକ ପ୍ରସଙ୍ଗରେ ସରକାର ଓ ଦଳର କାର୍ଯ୍ୟକଳାପରେ କିଛି ଫରକ୍ ପଡ଼ିନି । ମୁଣ୍ଡିଆଳ ନେତାଙ୍କ ଗର୍ବ, ଅହଂକାର ଓ ଫୁଟାଣି ଭାଙ୍ଗିନି । ଏହା ବିଜେପି ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି । ୟୁପିରେ ବିଜେପି ଏକକ ସଂଖ୍ୟାଗରିଷ୍ଠ ଆସନ ହାସଲ କରିବା ପରେ ଓଡ଼ିଶାରେ ବିଜେଡ଼ି ପାଇଁ ନିଶ୍ଚିତ ଭାବେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଛି । ଖାସ୍ କରି ଦେଶରେ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକର ପ୍ରଭାବ କମିଯାଇଥିବା ୟୁପି ସମେତ ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଛି । ୫ଟି ଯାକ ରାଜ୍ୟରେ ଜାତୀୟ ଦଳ ସେମାନଙ୍କ ଆଧିପତ୍ୟ ବିସ୍ତାର କରିଥିବାରୁ ଦେଶର ରାଜନୈତିକ ପାଣିପାଗରେ ଏହାର ନିଶ୍ଚିତ ପ୍ରଭାବ ରହିବ । ଓଡ଼ିଶାରେ ବିଜେଡ଼ିର ଯେଉଁ ହାଲ୍ ନବୀନଙ୍କ ନାଁରେ ନିର୍ବାଚନ ପାର୍ ହେବା ଏଣିକି ଆଉ ସମ୍ଭବ ହୋଇ ନ ପାରେ ଅନ୍ତତଃ ଏହା ହିଁ ୟୁପି ନିର୍ବାଚନରୁ ଶିଖିବାର ଅଛି ।
1