ଭୁବନେଶ୍ୱର: ଶେଷରେ ବି.କେ.ହରିପ୍ରସାଦଙ୍କୁ ହଟାଇଲେ ହାଇକମାଣ୍ଡ । ତାଙ୍କ ଜାଗାରେ ୪୭ ବର୍ଷୀୟ ‘ଅଲୱାର୍ ମହାରାଜା’ ଜିତେନ୍ଦ୍ର ସିଂହଙ୍କୁ ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ନିଯୁକ୍ତି ଦିଆଯାଇଛି । ନିଜର ଖାସ୍ ବନ୍ଧୁ ଜିତେନ୍ଦ୍ରଙ୍କ ହାତରେ ଓଡ଼ିଶା ଦାୟିତ୍ୱ ଦେଇ ରାହୁଲ ଗାନ୍ଧୀ କଂଗ୍ରେସ ସଂଗଠନକୁ ନୂଆ ରୂପ ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିସହ ହରିପ୍ରସାଦଙ୍କୁ ନେଇ ଓଡ଼ିଶା କଂଗ୍ରେସରେ ରହିଥିବା ପ୍ରବଳ ଅସନ୍ତୋଷକୁ ସେ ଟାଳିଛନ୍ତି ।
୨୦୦୯ରେ ରାଜସ୍ଥାନର ଅଲୱାର୍ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ପାଇଁ ନିର୍ବାଚିତ ହେଲା ପରେ ୨୦୧୧ ମସିହାରେ ଜିତେନ୍ଦ୍ରଙ୍କୁ ମନମୋହନ ସିଂଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ନିଯୁକ୍ତି ମିଳିଥିଲା । ୨୦୧୨ ମସିହାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ପରେ ତାଙ୍କୁ କ୍ରୀଡ଼ା ଓ ଯୁବକଲ୍ୟାଣ ବିଭାଗର ସ୍ୱାଧୀନ ଦାୟିତ୍ୱ ସହ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା । ଲୋକସଭାକୁ ଥରୁଟିଏ ନିର୍ବାଚିତ ହୋଇ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ପାଇବା ପରେ ସେ ଦ୍ୱିତୀୟବାର ଫେରିନଥିଲେ ମଧ୍ୟ ରାହୁଲ ଗାନ୍ଧୀଙ୍କ ବନ୍ଧୁ ଭାବେ ଦିଲ୍ଲୀ କଂଗ୍ରେସ ମହଲରେ ତାଙ୍କର ଭୀଷଣ କାଟତି ରହିଛି । ଓଡ଼ିଶାରେ କଂଗ୍ରେସର ସଂଗଠନ ଦୁର୍ବଳ ହୋଇଯାଇଥିବା ପରିପ୍ରେକ୍ଷୀରେ ରାହୁଲ ତାଙ୍କୁ ସଜାଡ଼ିବା ଦାୟିତ୍ୱ ଦେଇଛନ୍ତି । ଏହା କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିଛି ।
ହରିପ୍ରସାଦ ହଟିଲା ପରେ ଏବେ ସମସ୍ତଙ୍କ ନଜର ରହିଛି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉପରେ । ପ୍ରସାଦଙ୍କ ନେତୃତ୍ୱକୁ ଓଡ଼ିଶା କଂଗ୍ରେସରେ ପ୍ରବଳ ବିରୋଧ ରହିଛି । ତାଙ୍କର ଦୁର୍ବଳ ନେତୃତ୍ୱ ଦଳକୁ ରସତଳଗାମୀ କରିଦେଇଛି ବୋଲି ଅଭିଯୋଗ ହୋଇ ଆସୁଛି । ଦଳର ବହୁ ବରିଷ୍ଠ ନେତାଙ୍କ ସମେତ ବିଧାୟକ ଦଳ ତାଙ୍କୁ ପରିବର୍ତ୍ତନ କରିବା ପାଇଁ ଦୀର୍ଘଦିନରୁ ଦାବି କରିଆସୁଛନ୍ତି । ତାଙ୍କ ନେତୃତ୍ୱ ଉପରେ ଅସନ୍ତୋଷ ଜାହିର କରି ବହୁ ପୁରୁଖା ନେତା ଦଳରୁ ମୁହଁ ଫେରାଇଛନ୍ତି । ନିକଟରେ ପିସିସିର ପୂର୍ବତନ ମୁଖପାତ୍ର ତଥା ଟାଣୁଆ ଯୁବନେତା ମାନସ ମଙ୍ଗରାଜ ଏବଂ ଗତକାଲି ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କ ସମେତ ଯୁବନେତା ତଥା ପିସିସି ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡା ଓ ଗଂଜାମ ଜିଲ୍ଲା ସଭାପତି ଭଗବାନ ଗନ୍ତାୟତ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ପ୍ରସାଦଙ୍କୁ ନହଟାଇଲେ କିଛି କଂଗ୍ରେସ ବିଧାୟକ ଦଳ ଛାଡ଼ିବେ ବୋଲି ଧମକ ଦେଇଛନ୍ତି । ଏଭଳି ସ୍ଥିତିରେ ପ୍ରସାଦଙ୍କୁ ହଟାଇ ଜିତେନ୍ଦ୍ର ସିଂହଙ୍କ ତତ୍ତ୍ୱାବଧାନରେ ରାହୁଲ ଓଡ଼ିଶା କଂଗ୍ରେସକୁ ନୂଆ ଦିଶା ଦେବେ ଆଲୋଚନା ହେଉଛି ।