ଭୁବନେଶ୍ୱର: ମିଥ୍ୟା ସତ୍ୟପାଠ ମାମଲାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଝଟକା ଆସିଛି । ନିର୍ବାଚନ ନାମାଙ୍କନ ବେଳେ ସେ ଦେଇଥିବା ସତ୍ୟପାଠରେ ଭୁଲ୍ ତଥ୍ୟ ଦେଇଥିବା ଓ ତଥ୍ୟ ଲୁଚାଇଥିବା ଅଭିଯୋଗକୁ କୋର୍ଟ ଅପରାଧିକ ମାମଲା ଭାବେ ବିଚାରକୁ ନେଇଛନ୍ତି । କେନ୍ଦ୍ରାପଡ଼ା ଏସଡିଜେଏମ୍ କୋର୍ଟ ଅଭିଯୋଗକାରୀଙ୍କ ଆବେଦନକୁ ଆଜି ବିଚାର ପାଇଁ ଗ୍ରହଣ କରିଛନ୍ତି । ଏଥିସହ ଆବେଦନକାରୀଙ୍କ ବୟାନ ରେକର୍ଡ କରିଛନ୍ତି । କୋର୍ଟରେ ଏହି ମାମଲା ବୈଜୟନ୍ତଙ୍କୁ ଜବରଦସ୍ତ ଝଟକା ଦେଇଛି । ବିଜେଡ଼ି ତାଙ୍କୁ ଦଳରୁ ତଡ଼ିଲା ପରେ ଆଣିଥିବା ଅଭିଯୋଗ ଆଗରେ ବୈଜୟନ୍ତଙ୍କ ଇଜ୍ଜତ ବାଜିରେ ପଡ଼ିଯାଇଛି ।
ଇମ୍ଫା ଗ୍ରୁପ୍ ର ଉପସଭାପତି ବୈଜୟନ୍ତ ପଣ୍ଡା ୨୦୧୪ ନିର୍ବାଚନ ଲଢ଼ିବା ପାଇଁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ମନୋନୟନପତ୍ର ଦାଖଲ କରିଥିଲେ । ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିିଥିବା ସତ୍ୟପାଠରେ ବେଳେ ତାଙ୍କର ପଦବୀ ଓ ସେହି ପଦବୀର ଦରମାକୁ ଲୁଚାଇଥିଲେ । ବୈଜୟନ୍ତଙ୍କୁ ବିଜେଡ଼ିରୁ ନିଲମ୍ବିନ କଲା ପରେ ଜାନୁଆରୀ ୨୬ ତାରିଖ ଦିନ ଖୋଦ୍ ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଥମେ ଏହି ଅଭିଯୋଗ ବାଢ଼ିଥିଲା । କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ବିଜେଡ଼ି ବିଧାୟକ ଓ ଜିଲ୍ଲା ସଭାପତି ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ବୈଜୟନ୍ତଙ୍କ ଜାଲିଆତିର ପର୍ଦ୍ଦାଫାସ କରିଥିଲେ । ବୈଜୟନ୍ତ ଇମ୍ଫାର ଜଣେ ନିୟମିତ କର୍ମଚାରୀ ଭାବେ କୋଟି କୋଟି ଟଙ୍କା ଦରମା ନେଇଛନ୍ତି । ତେବେ ତାଙ୍କର ଦରମା ଓ ଭତ୍ତା ବାବଦରେ ନାମାଙ୍କନପତ୍ର ଫର୍ମ ନଂ ୨୬ର କ୍ରମିକ ୯ରେ ତାହା ଦର୍ଶାଇନାହାନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଣେ ପ୍ରାର୍ଥୀ ନିଜର ବୃତ୍ତି କିମ୍ବା ନିଯୁକ୍ତି ସମ୍ପର୍କରେ ଦର୍ଶାଇବା ଅନିବାର୍ଯ୍ୟ ହୋଇଥିବା ବେଳେ ବୈଜୟନ୍ତ ତଥ୍ୟ ଲୁଚାଇଛନ୍ତି । ଏହାଦ୍ୱାରା ସେ କେନ୍ଦ୍ରାପଡ଼ା ଭୋଟରଙ୍କୁ ଠକିଛନ୍ତିି ବୋଲି ବିଜେଡ଼ି ବିଧାୟକମାନେ ଅଭିଯୋଗ କରିଥିଲେ । ବୈଜୟନ୍ତଙ୍କୁ ମିଛୁଆ ଓ ପ୍ରତାରକ କହି ସେମାନେ ଭର୍ତ୍ସନା କରିବା ସହ ସାଂସଦ ପଦରୁ ଓହରିଯିବାକୁ ଆହ୍ୱାନ ଦେଇଥିଲେ ।
ପରବର୍ତ୍ତୀ ସମୟରେ ବୈଜୟନ୍ତଙ୍କ ବିରୋଧରେ ସମାନ ଅଭିଯୋଗ ଆଣି ଟାଙ୍ଗୀ ହରିଅନ୍ତାର ଗୋପାଳ ଲେଙ୍କା ନାମକ ଜଣେ ଭଦ୍ରବ୍ୟକ୍ତି କେନ୍ଦ୍ରାପଡ଼ା ଏସଡିଜେଏମ୍ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସତ୍ୟପାଠରେ ବୈଜୟନ୍ତ ତଥ୍ୟ ଲୁଚାଇଥିବାରୁ ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ସେ ଆବେଦନ କରିଥିଲେ । ଆଜି କୋର୍ଟ ସେହି ଆବେଦନକୁ ଗ୍ରହଣ କରି ଆବେଦନକାରୀ ଶ୍ରୀ ଲେଙ୍କାଙ୍କ ବୟାନ ରେକର୍ଡ କରିଛନ୍ତି । ପୂର୍ବରୁ ବିଜେଡ଼ିର ଅଭିଯୋଗ ଉପରେ ବୈଜୟନ୍ତ ରାଜନୈତିକ ବୟାନବାଜି କରିଥିଲେ ମଧ୍ୟ ଆଜି ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଅଭିଯୋଗକୁ କୋର୍ଟ ମାମଲା ଭାବେ ଗ୍ରହଣ କରିବା ପରେ ତାଙ୍କ ପାଟି ଚୁପ୍ ହୋଇଯାଇଛି । ଆଇନ ତା ବାଟରେ ଯିବ କହି ବୈଜୟନ୍ତଙ୍କ ଅଫିସ ପ୍ରତିକ୍ରିୟା ଛାଡ଼ିଛି ।