ଭୁବନେଶ୍ୱର: ୧୦ ଦିନ ଧରି ମୁହଁ ଖୋଲୁନଥିଲେ । ଆଜି ଖୋଲିଲେ । ଅଭିଜିତ୍ ଆୟାର ମିତ୍ର ତାଙ୍କ ବନ୍ଧୁ ନୁହଁନ୍ତି ବୋଲି ବୈଜୟନ୍ତ ପଣ୍ଡା ଦାବି କରିଛନ୍ତି । ସାଲେପୁରରେ ‘ହେଇଯାଉ’ କାର୍ଯ୍ୟକ୍ରମରେ ଯୋଗଦେଇ ସେ ତାଙ୍କର ଏହି ବହୁ ଚର୍ଚ୍ଚିତ ବନ୍ଧୁ ଅଭିଜିତ୍ ଙ୍କୁ ପର କରିଦେଇଛନ୍ତି । କହିଛନ୍ତି, ଅଭିଜିତ୍ ସହ ତାଙ୍କର ଆଗରୁ ମାତ୍ର ଦୁଇଥର ଭେଟ ହୋଇଛି । କିଛି ବର୍ଷ ହେଲା ବାହାର ସାମ୍ବାଦିକଙ୍କୁ ସେ ତାଙ୍କ ହେଲିକପ୍ଟରରେ ଓଡ଼ିଶା ବୁଲାଇ ରାଜ୍ୟର କଳା ଓ ସୌନ୍ଦର୍ଯ୍ୟ ଦେଖାଇ ଥାଆନ୍ତି । ଏହିକ୍ରମରେ ସେ ଅଭିଜିତ୍ ଙ୍କୁ ବୁଲାଇ ଆଣିଥିଲେ । ଅଭିଜିତ୍ ର ବିବାଦୀୟ ମନ୍ତବ୍ୟ ସହ ତାଙ୍କର ସମ୍ପର୍କ ନାହିଁ ବୋଲି ବୈଜୟନ୍ତ କହିବା ସହ କୋଣାର୍କ ମନ୍ଦିର ଉପରେ ଦେଇଥିବା ଅରୁଚିକର ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଭଲ ହୁଅନ୍ତା ବୋଲି କହିଛନ୍ତି ।
ବୈଜୟନ୍ତ ଏହି କଥାଟି ପ୍ରଥମରୁ କହି ନ ଥିଲେ, ଆଜି କହୁଛନ୍ତି । ଏବେ ଯାହା କହୁଛନ୍ତି ତାହା କେତେ ସତ ବୋଲି ପ୍ରଶ୍ନ ଉଠିଛି । ସୋସିଆଲ୍ ମିଡ଼ିଆରେ ଅଭିଜିତ୍ ଙ୍କ ସହ ବୈଜୟନ୍ତଙ୍କର ବନ୍ଧୁତା ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ୨୦୧୭ ମସିହାରେ ଅଭିଜିତ୍ ଓଡ଼ିଶା ସମ୍ବନ୍ଧରେ ବହୁ ଅରୁଚିକର ମନ୍ତବ୍ୟ ଦେଇଥିଲେ ଯାହାକୁ ବୈଜୟନ୍ତ ସାବାସି ଦେଇଛନ୍ତି । ବର୍ଷତମାମ ଓଡ଼ିଶା ସମ୍ପର୍କିତ ତାଙ୍କର ଅଧିକାଂଶ ଟୁଇଟ୍ କୁ ବୈଜୟନ୍ତ ରିଟୁଇଟ୍ କରିଛନ୍ତି । ଏବେ ଚିଲିକା, ପୁରୀ ଓ କୋଣାର୍କ ଉପରେ ହେଲିକପ୍ଟର ଉଡ଼ାଣ ମାମଲାରେ ଫସିବା ଏବଂ ଅଭିଜିତ୍ ର ଓଡ଼ିଶା ପ୍ରତି ଅରୁଚିକର ମନ୍ତବ୍ୟ ପରଠୁ ତାଙ୍କୁ ସୁରକ୍ଷା ଦେବାକୁ ବୈଜୟନ୍ତ ଓ ତାଙ୍କ ଟିଭି ଅଣ୍ଟା ଭିଡ଼ିଥିବା କାହାରିକୁ ଅଛପା ନାହିଁ । କୋଣାର୍କ ମନ୍ଦିର ପ୍ରତି ଅଭିଜିତ୍ ମଜ୍ଜାରେ ଟିପ୍ପଣୀ ଦେଇଥିବା ଏହି ବୈଜୟନ୍ତ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିସାରିଛନ୍ତି । ଓଡ଼ିଶାର ବିଧାୟକମାନଙ୍କୁ ସେ ବୁଦ୍ଦୁ କହିବା ପରେ ବି ବୈଜୟନ୍ତଙ୍କର କିଛି ପ୍ରତିକ୍ରି୍ରୟା ହୋଇନି ।
୧୦ ଦିନ ପରେ ଏବେ ବୈଜୟନ୍ତ ପ୍ରତିକ୍ରିୟା ଦେଉଛନ୍ତି ଅଭିଜତ୍ ତାଙ୍କର ବନ୍ଧୁ ନୁହଁନ୍ତି । ଆଗକୁ ମାମଲା ଜଟିଳ ହେବାର ଆଶଙ୍କାରେ ବୈଜୟନ୍ତ ତାଙ୍କୁ ପର କରିଥିବା ଚର୍ଚ୍ଚା ହେଉଛି ।