ଭୁୁବନେଶ୍ୱର: ଓଡ଼ିଶା ଓ ଓଡ଼ିଶାର ସଂସ୍କୃତି,ଐତିହ୍ୟ ପ୍ରତି ଅସମ୍ମାନ କରିଥିବା ବୈଜୟନ୍ତ ପଣ୍ଡାଙ୍କ ଅଣଓଡ଼ିଆ ବନ୍ଧୁ ଅଭିଜିତ୍ ଆୟାର ମାମଲାରେ ଆଜି ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛନ୍ତି । ଅଭିଜିତ୍ ଙ୍କ ପକ୍ଷରୁ ଆଗତ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଅଭିଜିତ୍ ର ଅନ୍ତରୀଣ ଜାମିନ୍ କୁ ଅକ୍ଟୋବର ୫ ଯାଏଁ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ ଆବେଦନକାରୀ ଓଡ଼ିଶା ହାଇକୋର୍ଟରେ ଅପିଲ୍ କରିପାରିବେ । ସେ ଚାହିଁଲେ ତାଙ୍କୁ ପୁଲିସ ସୁରକ୍ଷା ଯୋଗାଇଦେବେ ।
ସୂଚନାଯୋଗ୍ୟ, ଦିଲ୍ଲୀ ପୁଲିସର ସହାୟତାରେ କୋଣାର୍କ ପୁଲିସ ଗତ ୨୦ ତାରିଖ ଦିନ ଦିଲ୍ଲୀରୁ ଅଭିଜିତ୍ ଙ୍କୁ ଗିରଫ କରିଥିଲେ । ସକେତ ଚିଫ୍ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଙ୍କ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍ ପ୍ରଦାନ କରିଥିଲେ । ୨୮ ତାରିଖରେ କୋଣାର୍କ ଥାନାରେ ତାଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି । ରାଜ୍ୟରେ ଓକିଲମାନଙ୍କ ଧର୍ମଘଟ ଉପରେ କୋର୍ଟ ରୋକ୍ ଲଗାଇଛନ୍ତି । ଓକିଲଙ୍କ ଧର୍ମଘଟ ଯୋଗୁଁ ଲୋକମାନେ ଅସୁବିଧା ଭୋଗୁଥିବାରୁ ହାଇକୋର୍ଟ ବାର୍ ଆସୋସିଏସନ୍ ଓ ଅନ୍ୟାନ୍ୟ ବାର ଆସୋସିଏସନ୍ ମାନେ ଧର୍ମଘଟରୁ ଓହରି କୋର୍ଟ କାର୍ଯ୍ୟ ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପୁଲିସ-ଓକିଲ ବିବାଦର ତଦନ୍ତ କ୍ରାଇମବ୍ରାଞ୍ଚ ଆଇଜିଙ୍କ ହାତରେ ନ୍ୟସ୍ତ କରିଛନ୍ତି ସୁପ୍ରିମକୋର୍ଟ ।