ଭୁବନେଶ୍ୱର: ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟରେ ଦେଉଥିବା ବିଜ୍ଞାପନଗୁଡ଼ିକ ମିଛ ଓ ବିଭ୍ରାନ୍ତିକର ବୋଲି ଆଜି ପୁଣି ହମଲା କରିଛନ୍ତି ପିସିସି ଗଣମାଧ୍ୟମ ବିଭାଗର ମୁଖ୍ୟ ସତ୍ୟପ୍ରକାଶ ନାୟକ । ଏକ ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ସଫଳତା ବଖାଣିଥିବା ବିଜ୍ଞାପନକୁ ଚାଲେଂଜ କରିଛନ୍ତି । ବିଗତ ୧୮ ବର୍ଷ ଧରି ରାଜ୍ୟ ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି ଓଲଟି ତଥ୍ୟ ଉପସ୍ଥାପନ କରିଛନ୍ତି ।
ଉଚ୍ଚଶିକ୍ଷାରେ ସରକାରଙ୍କ ବିଫଳତାର ଲମ୍ବା ଫର୍ଦ୍ଦ ରଖିଛନ୍ତି ଶ୍ରୀ ନାୟକ । ସେ ଦର୍ଶାଇଛନ୍ତି, ରାଜ୍ୟରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ମଂଜୁରୀପ୍ରାପ୍ତ ମହାବିଦ୍ୟାଳୟରେ ୪୧.୬ ପ୍ରତିଶତ ଶିକ୍ଷକ ପଦବୀ ଖାଲିପଡ଼ିଛି । ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୯୮୬ଗୋଟି ମଂଜୁରୀପ୍ରାପ୍ତ ଶିକ୍ଷକଙ୍କ ମଧ୍ୟରୁ ୪୦୫ ଗୋଟି ପଦବୀ ଖାଲି ପଡ଼ିଛି । ସେହିପରି ୨୫୪୧ଟି ଅଣଶିକ୍ଷକ ପଦବୀ ଖାଲିପଡ଼ିଛି । ସମସ୍ତ ସରକାରୀ ମହାବିଦ୍ୟାଳୟ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ମୋଟ ୧୯୮୬ ମଂଜୁରୀପ୍ରାପ୍ତ ଶିକ୍ଷକରୁ ୭୨୦ ଶିକ୍ଷକ ପଦବୀ ଖାଲି ପଡ଼ିଛି । ନବୀନ ବାବୁଙ୍କ ୧୮ ବର୍ଷ ଶାସନ କାଳରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏଯାଏ ଏକାଡେମିକ୍ ଅଡିଟ୍ ହୋଇନାହିଁ । ୨୦୧୫-୧୬ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ମହାବିଦ୍ୟାଳୟରେ ସମୁଦାୟ ୧ ଲକ୍ଷ ୫୬ ହଜାର ୧୮୬ ସିଟ୍ ବୃଦ୍ଧି କରାଯାଇଥିଲେ ମଧ୍ୟ ଜଣେ ହେଲେ ନୂଆ ଅଧ୍ୟାପକ ନିଯୁକ୍ତି କରାଯାଇନାହିଁ ।
ଉଚ୍ଚଶିକ୍ଷା କ୍ଷେତ୍ରରେ ୨୦୧୩-୧୪ ରୁ ଦୀର୍ଘ ୫ ବର୍ଷ ମଧ୍ୟରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ୭୫ ହଜାର ଲାପଟପ୍ ପ୍ରଦାନ କରାଯାଇଛି ବୋଲି ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଜ୍ଞାପନ ଦେଇଛନ୍ତି । ଏହି ସୂଚନାକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ସଶକ୍ତିକରଣ କରାଯାଇଥିବା ସରକାର ଡିଣ୍ଡିମ୍ ପିଟିଛନ୍ତି । ମାତ୍ର ଉପରୋକ୍ତ ତଥ୍ୟକୁ ଦେଖିଲେ ଏହା ସରକାରଙ୍କ ବିଶ୍ୱାସଘାତକତା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଶ୍ରୀ ନାୟକ କହିଛନ୍ତି ।