ଭୁବନେଶ୍ୱର: ଯାଜପୁର ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସଙ୍କ ହାତରେ ବିଜେଡ଼ି ସଂଗଠନ ଦାୟିତ୍ୱ ଛାଡ଼ିଛନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ । ବିଜେଡ଼ି ସାଂଗଠନିକ ସମ୍ପାଦକ ପଦବୀରେ ରହି ବବି ସଂଗଠନର ସମ୍ପୂର୍ଣ୍ଣ ବ୍ୟାପାର ବୁଝିବେ । ବିଜୁବାବୁଙ୍କ ପବିତ୍ର ଜନ୍ମତିଥି ତଥା ୨୦ ବର୍ଷ ବିଜେଡ଼ି ସରକାରର ପୂର୍ତ୍ତି ଅବସରରେ ତାଙ୍କୁ ଏହି ବଡ଼ ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ ।
୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନ ସମେତ ବିଜେପୁର ଏବଂ ପାଟକୁରା ଉପନିର୍ବାଚନ ବେଳେ ପ୍ରଣବ ପ୍ରକାଶ ଦଳ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ତାଙ୍କର ଏହି କାର୍ଯ୍ୟର ପୁରସ୍କାରସ୍ୱରୂପ ନବୀନ ତାଙ୍କୁ ସାଂଗଠନିକ ବ୍ୟାପାରର ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି ।
ସୂଚନାଥାଉକି, କିଛି ମାସ ତଳେ ବବିଙ୍କୁ ଦଳର ସାଂଗଠନିକ ବ୍ୟାପାରର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିଲା । ତେବେ ନିଷ୍ପତ୍ତି ନେବାର କ୍ଷମତା ନ ଥାଇ ଦଳର ଅନ୍ୟ ସାଧାରଣ ସମ୍ପାଦକ ଭଳି ତାଙ୍କ କାର୍ଯ୍ୟ ସୀମିତ ଥିଲା । ମାତ୍ର ଏବେ ସାଂଗଠନିକ ସମ୍ପାଦକର ସ୍ୱତନ୍ତ୍ର ପଦବୀ ସହ ତାଙ୍କୁ କ୍ଷମତା ଦିଆଯାଇଛି । ସାଂଗଠନିକ ବ୍ୟାପାର ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରି ବବି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।
ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ତଥା ବିଚକ୍ଷଣ ଟାଣୁଆ ରାଜନେତା ସ୍ୱର୍ଗତ ଅଶୋକ ଦାସଙ୍କ ପୁଅ ହେଉଛନ୍ତି ବବି । ଯାଜପୁର ଆସନରୁ ତୃତୀୟ ଥର ପାଇଁ ବିଧାୟକ ହୋଇଥିବା ଏହି ଯୁବନେତା କମ୍ ସମୟ ମଧ୍ୟରେ ଦଳର ଶୀର୍ଷ ସ୍ତରକୁ ଯିବା ପଛରେ ରହିଛି ନେତାଙ୍କ ପ୍ରତି ପ୍ରବଳ ଆନୁଗତ୍ୟ, ଦଳ ପ୍ରତି ନିଷ୍ଠା ଏବଂ କଠୋର ପରିଶ୍ରମ । ବିଜେଡ଼ି ପାଇଁ ସେ ଏକ ବଡ଼ ଆସେଟ୍ ବୋଲି ଦଳର ସବୁବର୍ଗ ନେତା ସ୍ୱୀକାର କରନ୍ତି । ୨୦୧୪ ରେ ଶକ୍ତିମନ୍ତ୍ରୀ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ବବି ଏଥର ମନ୍ତ୍ରୀ ହେବାକୁ ମନା କରିଥିବା ଚର୍ଚ୍ଚା ହୋଇଥିଲା । ମନ୍ତ୍ରୀ ପଦରେ ନ ରହି ଦଳ ପାଇଁ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ବୋଲି କୁଆଡ଼େ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଦଳ ପାଇଁ ଦିନରାତି ଏକକାର କରୁଥିବା ଏଭଳି କ୍ୱଚିତ୍ ଯୁବନେତାଙ୍କୁ ଦେଖିବାକୁ ମିଳେ ବୋଲି ଦଳର ଅଧିକାଂଶ ନେତା ମତ ଦେଇଛନ୍ତି ।
ଗତ ସାଧାରଣ ନିର୍ବାଚନରେ ବିଜେଡ଼ିର ବିଜୟ ଅଭିଯାନରେ ବବିଙ୍କର ପ୍ରମୁଖ ଭୂମିକା ଥିଲା । ଜିଲ୍ଲା ଓ ପଞ୍ଚାୟତିୱାରୀ ଦଳୀୟ ସଂଗଠନ ଉପରେ ତାଙ୍କର ଅଖଣ୍ଡ ଦଖଲ ରହିଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଭରସାରେ ଥିବା ବବିଙ୍କ ନେତୃତ୍ୱ ବିଜେଡ଼ି ସଂଗଠନକୁ ଆଗାମୀ ଦିନରେ ଅଧିକ ଶକ୍ତିଶାଳୀ କରିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁଛନ୍ତି ।