ଭୁବନେଶ୍ୱର: ଗୋଟିଏ ଦଳ, ଗୋଟିଏ ନେତୃତ୍ୱ । ଲଗାତର ପାଞ୍ଚ ପାଞ୍ଚ ଥର ଲାଗି ଓଡ଼ିଶାବାସୀଙ୍କ ବିପୁଳ ସମର୍ଥନ । ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶା ରାଜନୀତିରେ ଅପରାଜେୟ, ଅପ୍ରତିଦ୍ୱନ୍ଦୀ । ବିକଳ୍ପର ବିରାଟ ଶୂନ୍ୟସ୍ଥାନ ଏବେ ବି ଅପୂରଣୀୟ । ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ସ୍ତୁତିଗାନ ତଥାପି ଅତୁଟ । ଗୋଟିଏ ଆଞ୍ଚଳିକ ଦଳ ଓ ଏହାର ନେତାଙ୍କ ପ୍ରତି ଲୋକଙ୍କ ଏତେ ଭଲ ପାଇବା ସମ୍ଭବତଃ ଭାରତର ରାଜନୈତିକ ଇତିହାସରେ ବିରଳ ।
ଠିକ୍ ୨୦ ବର୍ଷ ତଳେ ଆଜି ଦିନରେ ନବୀନ ପଟ୍ଟନାୟକ ରାଜ୍ୟ ଶାସନଭାର ଦାୟିତ୍ୱ ନେଇଥିଲେ । ସେଦିନ ଥିଲା ବାପା ବିଜୁ ପଟ୍ଟନାୟକଙ୍କ ଜନ୍ମତିଥି । ବାପାଙ୍କ ଆର୍ଶିବାଦ ଓ ଓଡ଼ିଶାବାସୀଙ୍କ ଭଲପାଇବା ତାଙ୍କୁ ଏମିତି ବାନ୍ଧି ଦେଲା ଯେ ସେହିଦିନଠାରୁ ଆଉ ପଛକୁ ଫେରିନାହାନ୍ତି ନବୀନ । ତାଙ୍କ ପଛରେ ଲାଗିଲାଣି ଗୋଟିଏ ପରେ ଗୋଟିଏ ରେକର୍ଡ । ତା ପରେ ଚାରି ଚାରିଟା ନିର୍ବାଚନ ସରିଲାଣି । ପ୍ରତି ନିର୍ବାଚନରେ ଲୋକ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡ଼ିକୁ ଅଦ୍ଭୂତପୂର୍ବ ସମର୍ଥନ ଓଜାଡୁଛନ୍ତି । ଗତ ନିର୍ବାଚନରେ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଥିବା ବିଜେପିର ଶାଣିତ ଆକ୍ରମଣ ତାଙ୍କର ଲୋକପ୍ରିୟତାକୁ ସଙ୍କୁଚିତ କରିପାରିନି । ରାଜନୈତିକ ପଣ୍ଡିତମାନଙ୍କ ସବୁ ଆକଳନ ଭୁଲ୍ ହୋଇଯାଇଛି । ଦେଶରେ ବୋହିଥିବା ମୋଦି ଲହରି ଓଡ଼ିଶାରେ ଏଠି ନବୀନ ଲହରିରେ ଠେଲି ହୋଇଯାଇଛି । ନବୀନ ହିଁ ନେତା, ଆମର ମୁଖ୍ୟମନ୍ତ୍ରୀ.. ଓଡ଼ିଶାବାସୀଙ୍କ ଏହି ନିର୍ଣ୍ଣୟ ଭୋଟରେ ପ୍ରତିଫଳିତ ହୋଇଛି ।
ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାରେ ପୂର୍ବରୁ ବହୁ ଆଞ୍ଚଳିକ ଦଳ ଆସିଛନ୍ତି କିନ୍ତୁ ଲମ୍ବା ସମୟ ଧରି ତିଷ୍ଠି ପାରିନାହାନ୍ତି । ସେଗୁଡ଼ିକ ହେଲା- ଆର.ଏନ.ସିଂହଦେଓ ଓ ପି.କେ.ଦେଓଙ୍କ ଦ୍ୱାରା ଗଠିତ ଗଣତନ୍ତ୍ର ପରିଷଦ(୧୯୫୦), ହରେକୃଷ୍ଣ ମହତାବଙ୍କ ଜନକଂଗ୍ରେସ(୧୯୬୬), ବିଜୁ ପଟ୍ଟନାୟକଙ୍କ ଉକ୍ରଳ କଂଗ୍ରେସ(୧୯୬୯), ନନ୍ଦିନୀ ଶତପଥୀଙ୍କ ଜାଗ୍ରତ ଓଡ଼ିଶା(୧୯୮୫) । ୧୯୯୭ ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ବିଜେଡ଼ି ଯେ ବ୍ୟତିକ୍ରମ ତାହା ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇସାରିଲାଣି । ଗୋଟିଏ ଦଳ, ଗୋଟିଏ ନେତୃତ୍ୱର ଏହା ଏକ ବିରଳ ସଫଳତା ।
ନବୀନଙ୍କ ସଫଳ ନେତୃତ୍ୱ ଓ ବିଜେଡ଼ିର ଲମ୍ବା ଜୟଯାତ୍ରା ପଛର ରହସ୍ୟ କ’ଣ? ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ନବୀନଙ୍କ ବ୍ୟକ୍ତିତ୍ୱ, ପରିକଳ୍ପନା ସର୍ବୋପରି ରାଜ୍ୟର ବିକାଶ ପାଇଁ ପ୍ରତିବଦ୍ଧତା ତାଙ୍କୁ ଅପରାଜେୟ କରି ରଖିଛି । ଓଡ଼ିଶାବାସୀଙ୍କ ପାଇଁ ବାପା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନ ଯାହା ଥିଲା, ତାହାକୁ ସାକାର କରିବା ପାଇଁ ନବୀନ ଯେ ସଂକଳ୍ପବଦ୍ଧ ତାହା ଓଡ଼ିଶାବାସୀଙ୍କର ଅନୁଭବ ହୋଇଛି । ବିରୋଧୀବାଲା ଯାହା ସମାଲୋଚନା କରନ୍ତୁ ନା କାହିଁକି, ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ନବୀନଙ୍କ ନିଜସ୍ୱ କାର୍ଯ୍ୟଧାରା ବି ଜନସାଧାରଣଙ୍କ ମନକୁ ଛୁଉଁଛି ।
ଆସନ୍ତୁ ଗଢ଼ିବା ନୂଆ ଓଡ଼ିଶା । ପ୍ରଥମ କରି ରାଜ୍ୟର ଶାସନ ଦାୟିତ୍ୱ ନେବା ବେଳେ ରାଜ୍ୟବାସୀଙ୍କୁ ଏହି ଆହ୍ୱାନ ଦେଇଥିଲେ ନବୀନ ପଟ୍ଟନାୟକ । ଯାହାକି କାର୍ଯ୍ୟରେ ଦେଖାଇବା ଆରମ୍ଭ କରିଥିଲେ । ୧୯୯୯ ମହାବାତ୍ୟାରେ ଉଜୁଡ଼ି ଯାଇଥିବା ଓଡ଼ିଶାର ପୁନଃନିର୍ମାଣ ହେଉ କି ରାଜ୍ୟକୁ ଋଣଯନ୍ତାରୁ ଉଦ୍ଧାର କରି ଅର୍ଥନୀତିକୁ ନୂଆ ଦିଶା ଦେବାରେ ନବୀନଙ୍କ ଉଦ୍ୟମକୁ ପ୍ରଶଂସା ମିଳିଲା । ପରବର୍ତ୍ତୀ ସମୟରେ ତାଙ୍କ ସରକାର ଦାରିଦ୍ର୍ୟ ଦୂରୀକରଣକୁ ସର୍ବାଧିକ ଗୁରୁତ୍ୱ ଦେଇ କାର୍ଯ୍ୟକ୍ରମ ଆରମ୍ଭ କଲେ । ଯାହାର ପ୍ରଥମ ସୋପାନ ଥିଲା ଭୋକ ମୁକ୍ତ ଓଡ଼ିଶା । ଏହି ଯୋଜନାରେ ଆରମ୍ଭ ହେଲା ଗରିବଙ୍କ ପାଇଁ ୨ ଟଙ୍କିଆ ଚାଉଳ ଓ ପରେ ଟଙ୍କିକିଆ ଚାଉଳ । ପରବର୍ତ୍ତୀ ସମୟରେ ଆହାର ଯୋଜନାରେ ୫ ଟଙ୍କା ଦେଇ ଲୋକ ଗୋଟେ ଓଳି ଖାଇବାକୁ ପାଇଲେ ।
ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ ହେଉଛନ୍ତି କୃଷି ଓ କୃଷକ । ମୁଖ୍ୟମନ୍ତ୍ରୀ ଏହି କଥାକୁ ମୂଳରୁ ଭଲ ଭାବେ ବୁଝିଥିଲେ । ତେଣୁ କୃଷି ଓ କୃଷକର ଉନ୍ନତି ପାଇଁ ଅନେକ ଯୋଜନା ତିଆରି କଲେ । ସ୍ୱତନ୍ତ୍ର କୃଷି ବଜେଟ୍ ଓ କୃଷି କ୍ୟାବିନେଟ୍ ଗଠନ କରି ସାରା ଦେଶରେ ଉଦାହରଣ ସୃଷ୍ଟି କଲେ । କୃଷି କ୍ଷେତ୍ରରେ ବିପ୍ଲବ ଆଣିବାରେ ମୁଖ୍ୟମନ୍ତ୍ରୀ ଅନବରତ ଉଦ୍ୟମ କରିଛନ୍ତି । ଗତ ୧୦ ବର୍ଷରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ଯୋଉଁଠି ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଛି । ଖାଦ୍ୟ ନିଅଣ୍ଟିଆ ରାଜ୍ୟରୁ ବଳକା ରାଜ୍ୟ ହୋଇପାରିଛି ଓଡ଼ିଶା । କୃଷିର ବିକାଶ ପାଇଁ ଚାରି ଚାରି ଥର ଓଡ଼ିଶାକୁ ମିଳିଛି କୃଷି କର୍ମଣ ପୁରସ୍କାର । ଗତବର୍ଷ ପ୍ରଚଳନ କରାଯାଇଥିବା କୃଷକମାନଙ୍କ ପାଇଁ ‘କାଳିଆ’ ଯୋଜନା ବେଶ୍ ଲୋକପ୍ରିୟ ହୋଇପାରିଛି । ଦେଶର ବିଶିଷ୍ଟ ଅର୍ଥନୀତିଜ୍ଞମାନେ ଏହି ‘କାଳିଆ’ ମଡ଼େଲ୍ କୁ ପ୍ରଶଂସା କରିଛନ୍ତି ।
ଶିକ୍ଷା, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଗୁଡ଼ାଏ ଯୋଜନା ହାତକୁ ନେଇଛନ୍ତି । ଗରିବ, ନିରାଶ୍ରୟ ଲୋକଟି ସ୍ୱାସ୍ଥ୍ୟସେବାରୁ ଯେଭଳି ବଞ୍ଚିତ ନ ହୁଅନ୍ତି ତାହାକୁ ଆଖିରେ ରଖି ନିରାମୟ, ନିଦାନ, ସହାୟ, ସମ୍ପୂର୍ଣ୍ଣ ସୁରକ୍ଷା କବଚ ଭଳି ଯୋଜନା କରାଯାଇଛି । ସ୍ୱାସ୍ଥ୍ୟସେବାକୁ ନିଶ୍ଚିତ କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି । ୯ଟି ନୂଆ ମେଡ଼ିକାଲ କଲେଜ ସ୍ଥାପନ ହୋଇଛି । କଟକ ଏସସିବିକୁ ବିଶ୍ୱସ୍ତରୀୟ କରିବା କାର୍ଯ୍ୟ ଆରମ୍ଭ ହୋଇଛି । ସେହିଭଳି କୌଣସି ଶିଶୁ ଶିକ୍ଷାରୁ ଯେଭଳି ବଞ୍ଚିତ ନ ହୁଏ ସେଥିପ୍ରତି ମୁଖ୍ୟମନ୍ତ୍ରୀ ଯତ୍ନବାନ ରହିଛନ୍ତି । ୨୦୦ରୁ ଅଧିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ବୃତ୍ତିଗତ ଶିକ୍ଷା ପାଇଁ ୧% ସୁଧରେ ଋଣ ଯୋଗାଇ ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି ।
ଏହା ନିରାଟ ସତ ଯେ ଏତେସବୁ ଯୋଜନା ସତ୍ତ୍ୱେ ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଅନେକ ସମସ୍ୟା ଦେଇ ଗତି କରୁଛି । ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସରକାର ବିଫଳ ହୋଇଥିବା ବିରୋଧୀ ସମାଲୋଚନା କରି ଆସୁଛନ୍ତି । ଯାହା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚାଲେଂଜ ହୋଇ ରହିଛି ।
ଯୁବକ ଓ ମହିଳା ସଶକ୍ତିକରଣକୁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଛନ୍ତି । ମହିଳାଙ୍କ ଆର୍ଥିକ ସ୍ୱାଧିନତା ଏବଂ ଆତ୍ମ ନିର୍ଭରଶୀଳତା ହିଁ ମହିଳାଙ୍କୁ ସଶକ୍ତ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ବୁଝି ମିଶନ ଶକ୍ତି ଯୋଜନା ଆରମ୍ଭ କରିଥିଲେ । ୬ ଲକ୍ଷରୁ ଅଧିକ ଏସଏସଜି ଗ୍ରୁପ୍ ଏଥିରେ ସାମିଲ ହୋଇ ନିଜକୁ ସ୍ୱାବଲମ୍ବି କରିପାରିଛନ୍ତି । ବିଜେଡ଼ିର ନିର୍ବାଚନ ସଫଳତା ପଛରେ ଏହାକୁ ବଡ଼ କାରଣ ବୋଲି କୁହାଯାଏ । ଖାଲି ସେତିକି ନୁହେଁ, ମହିଳା ସଂରକ୍ଷଣ କ୍ଷେତ୍ରରେ ନବୀନ ସାରା ଦେଶରେ ଏବେ ଜଣେ ଚର୍ଚ୍ଚିତ ଚେହେରା । ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ପାଇଁ ସେ ନେଇଛନ୍ତି ଐତିହାସିକ ପଦକ୍ଷେପ । ଗତ ଲୋକସଭା ନିର୍ବାଚନରେ ନିଜେ ଏହାକୁ କାର୍ଯ୍ୟରେ ଦେଖାଇଛନ୍ତି ।
ଶିଳ୍ପାୟନ ଓ ଆଇଟି କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବାରେ ନବୀନଙ୍କ କାର୍ଯ୍ୟଧାରା ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିଛି । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ସୁବିଧା ଓ ସୁଯୋଗ ସୃଷ୍ଟି କରିବାର କଳା, କୌଶଳ ବିଦ୍ୟାରେ ସେ ଯେ ପାରଙ୍ଗମ ଏହା କାର୍ଯ୍ୟରେ ଦେଖାଇଛନ୍ତି । ଯେଉଁଥିପାଇଁ ଓଡ଼ିଶା ଆଜି ନିବେଶକଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି । ଦୁଇବର୍ଷରେ ଥରେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍’ ଜରିଆରେ ରାଜ୍ୟରେ ପୁଞ୍ଜି ନିବେଶ ବଢ଼ାଉଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଯୁବକଯୁବତୀଙ୍କ ଦକ୍ଷତା ବିକାଶ ଓ କର୍ମନିଯୁକ୍ତି ପାଇଁ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଉଛି । ୯ ଲକ୍ଷ ଯୁବପୀଢ଼ିଙ୍କୁ ସ୍କିଲଡ୍ ଓଡ଼ିଶାରେ ତାଲିମ ଦିଆଯାଇ ଦେଢ଼ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯାଇଥିବା ସରକାର ଦାବି କରିଛନ୍ତି ।
ନବୀନ ସରକାରଙ୍କ ଅମଳରେ ଭିତ୍ତିଭୂମି ଓ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଛି । ଗାଁର ବିକାଶ ହେଲେ ଯାଇ ଦେଶର ବିକାଶ ସମ୍ଭବ ବୋଲି ଗାନ୍ଧିଜୀଙ୍କ ଚିନ୍ତାଧାରାକୁ ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟରେ ପ୍ରତିଫଳିତ କରିଛନ୍ତି । ଆମ ଗାଁ ଆମ ବିକାଶ ମୁଖ୍ୟମନ୍ତ୍ରୀଙ୍କ ଏକ ସଫଳ ଯୋଜନା ବୋଲି କୁହାଯାଉଛି ।
ଏକଦା କ୍ରୀଡ଼ା କ୍ଷେତ୍ରରେ ନାଁ ନ ଥିବା ଓଡ଼ିଶାକୁ ନୂଆ ପରିଚୟ ଦେଇଛନ୍ତି ନବୀନ । ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍ ଠାରୁ ଆରମ୍ଭ କରି ପୁରୁଷ ବିଶ୍ୱକପ୍ ହକି ଭଳି ବିଶ୍ୱସ୍ତରୀୟ ଇଭେଣ୍ଟର ସଫଳ ଆୟୋଜନ ପାଇଁ ଭୂରି ଭୂରି ପ୍ରଶଂସା ମିଳିଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ରେ ବିଶ୍ୱ କପ୍ ହକି ଆୟୋଜନରେ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀ ଯେଉଁଭଳି ଆଗ୍ରହ ଦେଖାଇଲେ ତାହା ସମସ୍ତଙ୍କୁ ଚକିତ କରିଥିଲା । ଓଡ଼ିଶାକୁ ଏହା ବିଶ୍ୱସ୍ତରରେ ଗୌରବ ଆଣିଥିଲା । ଯେଉଁଥିପାଇଁ ୨୦୨୩ରେ ବିଶ୍ୱକପ୍ ହକି ଆୟୋଜନର ସୁଯୋଗ ପୁଣିଥରେ ଓଡ଼ିଶାକୁ ମିଳିଛି ।
ସରକାର ଏହି ପଞ୍ଚମ ପାଳିରେ ଅନେକଗୁଡ଼ାଏ ଆଖିଦୃଶିଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଶ୍ରୀକ୍ଷେତ୍ର ଓ ଏକାମ୍ରକ୍ଷେତ୍ରକୁ ନୂଆ ରୂପ ଦିଆଯାଇଛି । ପୁରୀକୁ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ କାର୍ଯ୍ୟ ଆରମ୍ଭ ହୋଇଛି । ସମଲେଶ୍ୱରୀ ମନ୍ଦିର, ତାରାତାରିଣୀ ମନ୍ଦିର, ବଳଦେବଜୀଉ ମନ୍ଦିର ପାଇଁ ବି ପ୍ୟାକେଜ୍ ଘୋଷଣା କରାଯାଇଛି । କୋଣାର୍କ, ହୀରାକୁଦର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ହାତକୁ ନେଇଛନ୍ତି । ରାଜ୍ୟର ବିଭିନ୍ନ ପୁରାତନ ମନ୍ଦିର, ମସଜିଦ୍, ଚର୍ଚ୍ଚ, ଗୁରୁଦ୍ୱାର ପାଇଁ ହାତ ଖୋଲିଛନ୍ତି ସରକାର ।
ପ୍ରଶାସନକୁ ସ୍ୱଚ୍ଛ ଓ ଲୋକାଭିମୁଖୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ର ଏବେ ରାଜ୍ୟ ପ୍ରଶାସନକୁ ଚଳଚଞ୍ଚଳ କରିଛି । ୫-ଟି ମନ୍ତ୍ର ଜରିଆରେ ସରକାରୀ ବାବୁ ଓ କର୍ମଚାରୀମାନଙ୍କୁ ଶୃଙ୍ଖଳା ଭିତରେ ବାନ୍ଧିବାକୁ ଚେଷ୍ଟା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ୱସ୍ତ ତାଙ୍କର ବ୍ୟକ୍ତିଗତ ସଚିବ ତଥା ଦକ୍ଷ ପ୍ରଶାସକ ଭି.କେ.ପାଣ୍ଡିଆନ୍ ଙ୍କୁ ଏହି ସ୍ୱତନ୍ତ୍ର ବିଭାଗର ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଧରି ପାଣ୍ଡିଆନ୍ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ପ୍ରଶାସନକୁ ଅଧିକ କ୍ରିୟାଶୀଳ କରି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଅଭିଯାନ ଜାରି ରଖିଛନ୍ତି ।
ସେହିଭଳି ଦୁର୍ନୀତି ବିରୋଧରେ ସ୍ୱତନ୍ତ୍ର ପରିଚୟ ରଖିଥିବା ମୁଖ୍ୟମନ୍ତ୍ରୀ ଏଥର ଆହୁରି କଠୋର ହୋଇ ଜିରୋ ଟଲେରାନ୍ସ ନୀତି ଆପଣେଇଛନ୍ତି । ୭ ମାସରେ ୭୪ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବିଦା କରିବା ସହ ୧୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇ ମୁଖ୍ୟମନ୍ତ୍ରୀ ତାଙ୍କର ଆଭିମୁଖ୍ୟ ଜଣାଇ ଦେଇଛନ୍ତି ।
ଦୃଢ଼ ନେତୃତ୍ୱ, ସ୍ୱଚ୍ଛ ଭାବମୂର୍ତ୍ତି, ଉଜ୍ଜଳ ବ୍ୟକ୍ତିତ୍ୱ ଓ ଲୋକପ୍ରିୟତା ନବୀନ ପଟ୍ଟନାୟକଙ୍କ ସଫଳତାର ମାପକାଠି ହୋଇଥିଲେ ମଧ୍ୟ ୨୦ ବର୍ଷରେ ତାଙ୍କ ସରକାରକୁ ଯେ ବାଧାବିଘ୍ନର ସାମନା କରିବାକୁ ପଡ଼ିନି, ତାହା ନୁହେଁ । ଖଣି, ପାଣି, ଚିଟଫଣ୍ଡ ଭଳି ସରକାରଙ୍କ ବିରୋଧରେ ମହାଦୁର୍ନୀତି ଅଭିଯୋଗ ଆସିଛି । ଗରିବୀ ନିରାକରଣ, ଶିକ୍ଷା, ସ୍ୱାସ୍ଥ୍ୟସେବା ଯୋଗାଇବାରେ ସରକାର ବିଫଳ ହୋଇଥିବା ବିରୋଧୀ ସମାଲୋଚନା କରିଛନ୍ତି । ତେବେ ବିରୋଧୀଙ୍କ ସମାଲୋଚନାରେ କେବେ ବି ବିବ୍ରତ ହୋଇନାହାନ୍ତି ନବୀନ । ଯେତେ ବାଧାବିଘ୍ନ ସମାଲୋଚନା ଆସୁ ପଛେ, ଯାହା ଠିକ୍ ବୋଲି ଭାବିଛନ୍ତି ତାହା କରିଛନ୍ତି । ରାଜ୍ୟର ବିକାଶ ତାଙ୍କର ପ୍ରାଥମିକ କାର୍ଯ୍ୟ ବୋଲି ଲୋକଙ୍କୁ ଜଣାଇଛନ୍ତି ।
ନବୀନଙ୍କ ଦୁଇ ଦଶନ୍ଧୀର ଶାସନକାଳରେ ତାଙ୍କର କାର୍ଯ୍ୟଶୈଳୀ, ନିଷ୍ପତ୍ତି ଓ ଯୋଜନା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଯେଉଁଥିପାଇଁ ଓଡ଼ିଶାବାସୀଙ୍କ ହୃଦୟରେ ତାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଯାଇଛି । ଲୋକଙ୍କ ସହ ସିଧାସଳଖ ସମ୍ପର୍କରେ ନ ରହିବା, ଅଳ୍ପ କଥା କହିବା, ଓଡ଼ିଆ କହି ନ ପାରିବା ଭଳି ତାଙ୍କ ବିରୋଧରେ ଅପପ୍ରଚାରକୁ ଲୋକ ଗ୍ରହଣ କରୁନାହାନ୍ତି କି ତାଙ୍କ ପ୍ରତି ବିମୁଖ ହୋଇନାହାନ୍ତି । ଓଲଟି ତାଙ୍କର ମାର୍ଜିତ ବ୍ୟବହାର, ଶୃଙ୍ଖଳିତ ଜୀବନ, ପ୍ରଶାସନରେ କଠୋର ଆଭିମୁଖ୍ୟ ଲୋକଙ୍କୁ ଅଧିକ ଆକର୍ଷିତ କରିଛି ।
ନବୀନଙ୍କ ନାଁରେ ଭୋଟ ହେଉଛି ବୋଲି ଯାହା କୁହାଯାଏ ତାହା ସତ୍ୟ । ଲୋକଙ୍କ ଭଲ ପାଇବା ଓ ଆକାଂକ୍ଷା ପ୍ରତି ନବୀନ ବି ସମ୍ପୂର୍ଣ୍ଣ ସଚେତନ ତାହା ସତ୍ୟ । ଏହା ନବୀନଙ୍କ ପାଖଲୋକମାନେ ସ୍ୱୀକାର କରନ୍ତି । ତେବେ ଯାହା ହେଉ, ହାତ ହଲେଇ ନବୀନଙ୍କ ସେହି ପଦିଏ କଥା, ଆପଣମାନେ ଖୁସି ତ..? ଗତ ନିର୍ବାଚନରେ ବିଜେଡ଼ି ସଫଳତା ପଛରେ ଏହି ପଦକ କଥାର ଶ୍ରେୟ କେତେ ତାହା ସମସ୍ତେ ଅନୁଭବ କରିଛନ୍ତି ।
ନବୀନଙ୍କ କ୍ରମାଗତ ସଫଳତା ପାଇଁ ଅନେକ ତାଙ୍କୁ ଭାଗ୍ୟଶାଳୀ ବୋଲି ଅଭିହିତ କରନ୍ତି । ନବୀନ ଏଯୁଗର ଜଣେ ବିସ୍ମୟ ବୋଲି ବି ଆଲୋଚନା କରନ୍ତି । ମଜ୍ଜାର କଥା, ଯେଉଁ ଲୋକମାନେ ଏଭଳି ଚର୍ଚ୍ଚା କରନ୍ତି ସେମାନେ କୁଆଡ଼େ ଆଗ ହିଁ ନବୀନଙ୍କୁ ଭୋଟ ଦିଅନ୍ତି । ସର୍ବୋପରି ନବୀନଙ୍କ ପ୍ରତି ଲୋକଙ୍କ ଅଗାଧ ବିଶ୍ୱାସ, ଭଲ ପାଇବା ତାଙ୍କ ଦଳ ବିଜେଡ଼ି ଓ ସରକାର ପାଇଁ ବଡ଼ ପୁଞ୍ଜି ।