‘ମୋ ସରକାର’ ରେ ଆଉ ୫ଟି ବିଭାଗ, ସମୁଦାୟ ୨୨ଟି ବିଭାଗ ଆସିଲା
ଭୁୁବନେଶ୍ୱର: ସାଧାରଣ ମଣିଷଟି ସରକାରୀ ଦପ୍ତରକୁ ଯେ କୌଣସି କାମରେ ଆସିଥାଆନ୍ତୁ ନା କାହିଁକି ନିରାଶ ମନରେ ଫେରି ନ ଆସନ୍ତୁ । ଯେଉଁ କାମ ନେଇ ଆସିଥିଲେ ତାଙ୍କୁ ଉପଯୁକ୍ତ ଧ୍ୟାନ ଓ ସମ୍ମାନ ମିଳିଲା ବୋଲି ତାଙ୍କର ଅନୁଭବ ହେଉ । ତାଙ୍କ ମନରେ ବିଶ୍ୱାସ ହେଉ କି ସମୁଦାୟ ସରକାରୀ କଳ ଜନସାଧାରଣଙ୍କ କଲ୍ୟାଣ ପାଇଁ ହିଁ କାର୍ଯ୍ୟ କରୁଛି ।
ଜନସାଧାରଣଙ୍କ ପ୍ରତି ସରକାରୀ ଅଧିକାରୀମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପ୍ରାଞ୍ଜଳ ବାର୍ତ୍ତା ଦେଇଛନ୍ତି ।
ଏକ ଗଣତାନ୍ତ୍ରିକ ବ୍ୟବସ୍ଥାର ଜୀବନ ବଳ ହେଉଛନ୍ତି ଜନସାଧାରଣ । ଜନସାଧାରଣଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିବାର ଦାୟିତ୍ୱବୋଧ ହେଉଛି ସରକାରଙ୍କର । ସୁତରାଂ ଜନସାଧାରଣଙ୍କ ସେବାରେ ନିୟୋଜିତ ସରକାରୀ ଅଧିକାରୀମାନେ ଏହାକୁ ଧ୍ୟାନରେ ରଖି ଲୋକଙ୍କ ଇଚ୍ଛା ଓ ମର୍ଯ୍ୟାଦାର ଟେକ ରଖିବା ଉଚିତ । ଲୋକଙ୍କ ସେବା କେବଳ ଏକ ସ୍ଲୋଗାନ୍ ନୁହେଁ । ବରଂ ସରକାରୀ ଚାକିରିଆ ମାନଙ୍କ ପାଇଁ ଏହା ନିହାତି ଭାବେ ‘ସଂସ୍କୃତି’ ହେଉ ।
ମୁଖ୍ୟମନ୍ତ୍ରୀ କହିଛନ୍ତି- “ମୋର ବିଶ୍ୱାସ ଏହି ବାର୍ତ୍ତାକୁ ସମସ୍ତେ ଠିକ୍ ଭାବେ ବୁଝିପାରିଥିବେ । ମୋ ରାଜ୍ୟର ପ୍ରତ୍ୟେକ ନାଗରିକ ନିଜ ହୃଦୟରୁ ଯେଭଳି କଥା କହିପାରିବେ ସେହି ଦାୟିତ୍ୱ ହେଉଛି ସରକାରୀ ବାବୁମାନଙ୍କର । ତାହା ହିଁ ବାସ୍ତବରେ ‘ମୋ ସରକାର’ ।”
‘ମୋ ସରକାର’ ରେ ଆଉ ୫ଟି ବିଭାଗର ସାମିଲ ପର୍ବରେ ମୁଖ୍ୟମନ୍ତ୍ରୀ ଆଜି ପରାମର୍ଶ ଛଳରେ ଏଭଳି ତାଗିଦ୍ କରିଛନ୍ତି । ‘ମୋ ସରକାର’ ପରିଧିକୁ ଆଜି ଆସିଛି ଜଳସମ୍ପଦ, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ, ସାମାଜିକ ସୁରକ୍ଷା ଏବଂ ବୟନ ଓ ହସ୍ତଶିଳ୍ପ ବିଭାଗ । ଏହାକୁ ମିଶାଇ ୨୨ଟି ବିଭାଗ ‘ମୋ ସରକାର’ ରେ ସାମିଲ ହେଲାଣି । ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ୫ଟି ବିଭାଗକୁ ‘ମୋ ସରକାର’ ରେ ସାମିଲ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ରଘୁନନ୍ଦନ ଦାସ, ଅଶୋକ ପଣ୍ଡା, ଅରୁଣ ସାହୁ, ରଣେନ୍ଦ୍ର ପ୍ରସାଦ ସ୍ୱାଇଁ, ଶ୍ରୀମତୀ ପଦ୍ମିନୀ ଦିଆନ୍ ଭାଷଣ ଦେଇଥିଲେ । ମୁଖ୍ୟଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲା ବେଳେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଭିଡ଼ିଓ କନଫରେନ୍ସିଂ ଯୋଗେ କେନ୍ଦୁଝର, ଜଗତସିଂହପୁର, ବୌଦ୍ଧ, ବଲାଙ୍ଗୀର ଏବଂ ନବରଙ୍ଗପୁର ଜିଲ୍ଲାର ୫-ଟି ଅଧିକାରୀମାନଙ୍କ ସହ ଆଲୋଚନା କରି ବିଭାଗର କାର୍ଯ୍ୟାନ୍ୱୟ ସମ୍ପର୍କରେ ପଚାରି ବୁଝିଥିଲେ ।
‘ମୋ ସରକାର’ କାର୍ଯ୍ୟକ୍ରମ ନେଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ସଚେତନତା ଉପରେ ଶ୍ରୀ ପାଣ୍ଡିଆନ୍ ସନ୍ତୋଷ ପ୍ରକାଶ କରିଥିଲେ । ସୋସିଆଲ୍ ମିଡ଼ିଆରେ ହେଉଥିବା ଯୋଗାଯୋଗକୁ ଅଫିସିଆଲ୍ ଯୋଗାଯୋଗ କିମ୍ବା ନିର୍ଦ୍ଦେଶ ଭାବେ ବିଚାର କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ ।