ନୂଆଦିଲ୍ଲୀ: ସିବିଆଇ ଆଭ୍ୟନ୍ତରୀଣ କନ୍ଦଳ ସାଂଘାତିକ ମୋଡ଼ ନେଇଛି । ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାଜେଶ ଅସ୍ଥାନାଙ୍କୁ କେନ୍ଦ୍ର ସରକାର ଛୁଟିରେ ପଠାଇ ଦେଇଛନ୍ତି । ବର୍ମାଙ୍କ ସ୍ଥାନରେ ଯୁଗ୍ମ ନିର୍ଦ୍ଦେଶକ ଏମ୍.ନାଗେଶ୍ୱର ରାଓଙ୍କୁ ଅବସ୍ଥାପିତ କରାଯାଇଛି । ସେ ଅସ୍ଥାୟୀ ଭାବେ ଏହି ଦାୟିତ୍ୱ ସମ୍ଭାଳିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ନିଯୁକ୍ତି କମିଟି ଗତକାଲି ବିଳମ୍ବିତ ରାତିରେ ଏହି ନିର୍ଦ୍ଦେଶନାମା ଜାରି କରିଥିଲେ । ଶ୍ରୀ ବର୍ମାଙ୍କ ଅଫିସରେ କାର୍ଯ୍ୟ କରୁଥିବା ସମସ୍ତ ଅଫିସରଙ୍କୁ ମଧ୍ୟ ଛୁଟିରେ ପଠାଇ ଦିଆଯାଇଛି । ଏଥିସହ ଶ୍ରୀ ବର୍ମା ଓ ଶ୍ରୀ ଅସ୍ଥାନାଙ୍କ ଅଫିସକୁ ସିଲ୍ କରିଦିଆଯାଇଛି ।
କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇର ଏହି ଆଭ୍ୟନ୍ତରୀଣ କନ୍ଦଳକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ କହିଛନ୍ତି, ସିଭିସିଙ୍କ ସୁପାରିଶ କ୍ରମେ ଶ୍ରୀ ବର୍ମା ଓ ଶ୍ରୀ ଅସ୍ଥାନାଙ୍କୁ ସେମାନଙ୍କ ଦାୟିତ୍ୱରୁ କାର୍ଯ୍ୟାନ୍ତର କରାଯାଇଛି । ସିଭିସିଙ୍କ ତତ୍ୱାବଧାନରେ ଏସଆଇଟି ମାମଲାର ତଦନ୍ତ କରିବ । ତଦନ୍ତ ଶେଷ ପର୍ଯ୍ୟନ୍ତ ସିବିଆଇର ଏହି ଦୁଇ ସର୍ବୋଚ୍ଚ ଅଧିକାରୀଙ୍କୁ ସେମାନଙ୍କ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।
ସିବିଆଇ ଅସ୍ଥାୟୀ ନିର୍ଦ୍ଦେଶକ ଦାୟିତ୍ୱ ପାଇଥିବା ଏମ.ନାଗେଶ୍ୱର ରାଓ ୧୯୮୬ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର । ତେଲେଙ୍ଗାନାର ୱାରାଙ୍ଗଲ୍ ରେ ଜନ୍ମିତ ଶ୍ରୀ ରାଓ ଓସମାନିଆ ବିଶ୍ୱବିଦ୍ୟାଳୟରୁ ରୟାୟନ ବିଜ୍ଞାନରେ ଏମଏସସି କରିଛନ୍ତି । ଆଇପିଏସ୍ ରେ ଯୋଗଦେବା ପୂର୍ବରୁ ସେ ମାଡ୍ରାସ ଆଇଆଇଟିରେ ଗବେଷଣା କରୁଥିଲେ । ଜଣେ ଦକ୍ଷ ଅଫିସର ଭାବେ ତାଙ୍କର ସୁନାମ ରହିଛି । ୨୦୧୬ରେ ସେ ସିବିଆଇରେ ଯୋଗଦେବା ପୂର୍ବରୁ ଓଡ଼ିଶାରେ ରେଳବାଇ ବିଭାଗର ଅତିରିକ୍ତ ଡିଜି ପଦରେ ଥିଲେ ।