‘୮୦୦ କୋଟି ଟଙ୍କାର ବିଜୁଳି ବିଲ୍ ସୁଝି ଦଉନାହାନ୍ତି’
ତାଳଚେର: ଅତୀତରେ ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କା ବିଜୁଳି ବିଲ୍ ଫାଙ୍କିବା ଅଭିଯୋଗ ଏବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ମହଙ୍ଗା ହୋଇଛି । ତିନି ଦିନ ତଳେ ବାରିପଦାରେ ଭ୍ରଷ୍ଟାଚାର ବିରୋଧୀ ସମାବେଶରେ ଏହି ପ୍ରସଙ୍ଗ ଉଠିବାର ଆଭାସ ପାଇ ବୈଜୟନ୍ତ ପଣ୍ଡା ଅଧାବାଟରୁ ଫେରି ଆସିଥିଲେ ମଧ୍ୟ ଆଜି ତାଳଚେରରେ ତାଙ୍କୁ ସାମନା କରିବାକୁ ପଡ଼ିଛି । କିଛି ଯୁବକ ସମ୍ବର୍ଦ୍ଧନା ଦେବା ଆଳରେ ତାଙ୍କର ବକେୟା ବିଜୁଳି ବିଲ୍ ପ୍ରସଙ୍ଗ ଉଠାଇ ବୈଜୟନ୍ତଙ୍କୁ ଭୀଷଣ ଅପମାନିତ କରିଛନ୍ତି ।
ତାଳଚେର କିଶୋର କ୍ଳବ୍ ଦଶହରା ଉତ୍ସବକୁ ଆଜି ନିମନ୍ତ୍ରିତ ହୋଇଥିଲେ ବୈଜୟନ୍ତ ପଣ୍ଡା । ବୈଜୟନ୍ତ ତାଳଚେରରେ ପହଞ୍ଚି ଏକ ଖୋଲା ଜିପ୍ ରେ ସଭା ମଞ୍ଚ ଯିବା ବେଳେ ତାଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । କିଛି ସ୍ଥାନୀୟ ଯୁବକ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ସେମାନେ ବୈଜୟନ୍ତଙ୍କ ହାତକୁ ଫୁଲତୋଡ଼ା ବଢ଼ାଇବା ପରେ ବୈଜୟନ୍ତ ସାଦରେ ଗ୍ରହଣ କରିଥିଲେ । ତେବେ ଫୁଲତୋଡ଼ା ଦେଇସାରି ଜଣେ ଯୁବକ ବୈଜୟନ୍ତଙ୍କ ହାତରେ ହାତ ମିଳାଇ ଅତ୍ୟନ୍ତ ଭଦ୍ର ଭାବରେ ପଚାରିଥିଲେ, ଆପଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଶୁଣାଯାଉଛି । ହେଲେ ସରକାରଙ୍କ ଉପରେ ୮୦୦ କୋଟି ଟଙ୍କା ବିଜୁଳି ବିଲ୍ କାହିଁକି ବାକି ରଖିଛନ୍ତି? ସୁଝି ଦଉନାହାନ୍ତି? ସଂପୃକ୍ତ ଯୁବକଙ୍କୁ ଅନ୍ୟମାନେ ସମର୍ଥନ କରି ହୋ ହଲ୍ଲା ଆରମ୍ଭ କରିଦେଇଥିଲେ । ତା ଭିତରେ ଅପ୍ରସ୍ତୁତ ବୈଜୟନ୍ତ ସେଠାରୁ ଖସି ପଳାଇ ଆସିଥିଲେ ।
ଏହି ଘଟଣାକୁ ନେଇ ବୈଜୟନ୍ତ ଭୀଷଣ ଅପମାନିତ ହୋଇଛନ୍ତି । ବକେୟା ବିଜୁଳି ବିଲ୍ ପ୍ରସଙ୍ଗରେ ନିଜେ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଛନ୍ତି । ତାଙ୍କ ପରିବାର କମ୍ପାନୀ ଉପରେ ୮୦୦ କୋଟି ଟଙ୍କାର ବିଜୁଳି ନାହିଁ ବୋଲି ସଫେଇ ଦେଇଛନ୍ତି । ତାଙ୍କୁ ପ୍ରଶ୍ନବାଣରେ ଘେରିଥିବା ଯୁବକମାନଙ୍କୁ ସେ ବିଜୁ ଯୁବ ଗୁଣ୍ଡା ବାହିନୀ ବୋଲି ଆକ୍ଷେପ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ବାରିପଦା ସଭାରେ ଡାକ୍ତର ଦାମୋଦର ରାଉତଙ୍କୁ ଜଣେ ଯୁବକ ବୈଜୟନ୍ତ ପଣ୍ଡାଙ୍କ ବକେୟା ବିଜୁଳି ବିଲ୍ ପ୍ରସଙ୍ଗ ଉଠାଇଥିଲେ । ଏହା ଭ୍ରଷ୍ଟାଚାର ନୁହେଁ କି ବୋଲି ପ୍ରଶ୍ନ ପଚାରି ସେ ଦାମଙ୍କୁ ଘାଇଲା କରିଥିଲେ ।