ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ଭାବେ ବିଧାୟକ ଅନନ୍ତ ନାରାୟଣ(ବୁନୁ) ଜେନାଙ୍କୁ ନିଯୁକ୍ତି ମିଳିଛି । ନିର୍ବାଚନ ବେଳେ ଦାୟିତ୍ୱ ନେଇଥିବା ଅମରେଶ(ବାଇଁଆ) ଜେନାଙ୍କୁ ହଟାଇ ଦିଆଯାଇଛି । ଭୁବନେଶ୍ୱର ଜିଲ୍ଲା ସଂଗଠନର ରାତିଅଧିଆ ଏଭଳି ନେତୃତ୍ୱ ପରିବର୍ତ୍ତନ ବିଜେଡ଼ି ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ଗତ ସାଧାରଣ ନିର୍ବାଚନ ବେଳେ ଭୁବନେଶ୍ୱର ଜିଲ୍ଲା ବିଜେଡ଼ି ସଂଗଠନକୁ ସମ୍ଭାଳିବା ପାଇଁ ଦକ୍ଷ ଯୁବ ସଂଗଠକ ବାଇଁଆଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଜୟଦେବ ଆସନକୁ ମିଶାଇ ଭୁବନେଶ୍ୱରର ତିନୋଟି ଯାକ ଆସନରେ ଦଳ ଜିତିଥିଲେ ମଧ୍ୟ ସାଂସଦ ପ୍ରାର୍ଥୀଙ୍କୁ ଆଶାନୁରୂପକ ଭୋଟ ମିଳି ନ ଥିଲା । ତାଙ୍କୁ ପରାଜିତ କରିବା ପାଇଁ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ(ବୁନୁ) ଷଡ଼ଯନ୍ତ୍ର କରିଥିଲେ ବୋଲି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ନିଜେ ଦଳୀୟ ଫୋରମ୍ ରେ ସିଧାସଳଖ ଅଭିଯୋଗ ଆଣିଥିଲେ । ତେବେ ଯାହାରି ବିରୋଧରେ ଦଳୀୟ ଷଡ଼ଯନ୍ତ୍ରର ଅଭିଯୋଗ ଆସିଥିଲା ତାଙ୍କ ହାତରେ ସଂଗଠନର ନେତୃତ୍ୱ ଦିଆଯାଇଛି ।
ସୂଚନାଥାଉକି, ଭୁବନେଶ୍ୱରର ଦୁଇ ଦୁଇଥର ମେୟର ହୋଇଥିବା ବୁନୁଙ୍କୁ ହାଇକମାଣ୍ଡଙ୍କର ଅନ୍ଧ ସମର୍ଥନ ରହି ଆସିଛି । ମେୟର ଥିବା ବେଳେ ତାଙ୍କ ବିରୋଧରେ ହତ୍ୟା ଓ ସେକ୍ସ ସ୍କାଣ୍ଡାଲ୍ ଅଭିଯୋଗକୁ ନେଇ ଦଳ ବଦନାମ ହୋଇଥିଲେ ମଧ୍ୟ ତାଙ୍କ ଆସନ ସୁରକ୍ଷିତ ରହିଥିଲା । ମେୟର ପଦରୁ ଯିବା ପରେ ତାଙ୍କୁ ବିଡ଼ିଏ ଅଧ୍ୟକ୍ଷ ପଦ ଦିଆଯାଇଥିଲେ ମଧ୍ୟ ସେ ବିଧାୟକ ହେବାକୁ ଜିଦ୍(ବ୍ଲାକ୍ ମେଲିଂ) ଧରି ବିଡ଼ିଏ ପଦ ଗ୍ରହଣ କରି ନ ଥିଲେ । ପରେ ତାଙ୍କୁ ଖୁସି କରିବା ପାଇଁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ଦିଆଗଲା । ଶେଷରେ ବିଧାୟକ ଟିକେଟ୍ ପାଇଁ ତାଙ୍କର ଜିଦ୍ ଆଗରେ ହାଇକମାଣ୍ଡ ମୁଣ୍ଡ ନୁଆଁଇଥିଲେ । ବର୍ତ୍ତମାନ ବିଧାୟକ ସାଙ୍ଗକୁ ଦଳର ସାଧାରଣ ସମ୍ପାଦକ ଭାବେ ସେ କାର୍ଯ୍ୟ କରୁଛନ୍ତି ।
ଏବେ ବୁନୁଙ୍କୁ ଭୁବନେଶ୍ୱର ସଂଗଠନ ଦାୟିତ୍ୱ ଦିଆଯାଇଥିବାରୁ ତାଙ୍କ ନେତୃତ୍ୱରେ ଦଳ ଆଗାମୀ ବିଏମସି ନିର୍ବାଚନ ଲଢ଼ିବ । ବିଜେଡ଼ି ରାଜନୀତିରେ ଏହି ବିସ୍ମୟ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।