ଭୁବନେଶ୍ୱର: ଯାହାର ଯାହା ବିଦ୍ୟୁତ ବିଲ୍ ବାକି ଅଛି, ତାହାକୁ ମାସେ ଭିତରେ କ୍ଲିୟର୍ କରିବାକୁ ପଡ଼ିବ । ନ ଦେଲେ ଜାନୁଆରୀ ୧୫ ରୁ ବିଜୁଳି ଲାଇନ୍ କାଟି ଦିଆଯିବ । ଘରୋଇ, ଶିଳ୍ପସଂସ୍ଥା କେହି ଛାଡ଼ ପାଇବେନି । ସେସୁ ପକ୍ଷରୁ ଏହି ଡେଡଲାଇନ୍ ଦିଆଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେସୁ ସିଇଓ ଅରୁଣ ବୋଥ୍ରା ଏହି ଜରୁରୀ ସୂଚନା ଦେଇଛନ୍ତି ।
ଶ୍ରୀ ବୋଥ୍ରାଙ୍କ ସୂଚନା ଅନୁଯାୟୀ ଉପଭୋକ୍ତାମାନେ ବର୍ଷ ବର୍ଷ ଧରି ବିଦ୍ୟୁତ ବିଲ୍ ନ ଦେବା କାରଣରୁ ସେସୁର ୧୯୭୧ କୋଟି ଟଙ୍କା ବାକି ପଡ଼ିଛି । ପ୍ରାୟ ୭ ଲକ୍ଷ ଉପଭୋକ୍ତାଙ୍କ ଉପରେ ବକେୟା ବିଲ୍ ଗଡୁଛି । ସେଥିମଧ୍ୟରୁ ୯୨ ପ୍ରତିଶତ ହେଉଛନ୍ତି ଘରୋଇ ଉପଭୋକ୍ତା । ଏହିସବୁ ଘରୋଇ ଉପଭୋକ୍ତାଙ୍କ ଉପରେ ୧୦୨୩ କୋଟି ଟଙ୍କା ବାକି ପଡ଼ିଛି । ୫୮ ହଜାର ଉପଭୋକ୍ତାଙ୍କ ଉପରେ ୫୦ ହଜାରରୁ ଅଧିକ ଟଙ୍କା ବକେୟା ପଡ଼ିଛି । ୧ ଲକ୍ଷ ୪ ହଜାର ଲୋକ ଦୁଇବର୍ଷ ହେଲା ବକେୟା ଟଙ୍କା ଦେଇନାହାନ୍ତି ।
ଅନ୍ୟପକ୍ଷରେ ମୋଟ ବକେୟାରୁ ୨୦୯ କୋଟି ଉପରେ ଲିଗାଲ୍ ଡିସପୁଟ୍ ବା ଆପତ୍ତି ଅଭିଯୋଗ ରହିଛି । ସେଥିମଧ୍ୟରୁ ୧୦୮ କୋଟି ଟଙ୍କା ହେଉଛି ଶିଳ୍ପସଂସ୍ଥାଗୁଡ଼ିକର ବକେୟା ବିଲ୍ । ଏହି ବାକି ଟଙ୍କା ଆଦାୟ ପାଇଁ ସ୍ପେଶାଲ୍ ଡ୍ରାଇଭ ଆରମ୍ଭ କରାଯିବ ବୋଲି ସେସୁ ସିଇଓ କହିଛନ୍ତି ।
ଉପଭୋକ୍ତାମାନେ ୬ଟି କିସ୍ତିରେ ବକେୟା ବିଜୁଳି ବିଲ୍ ପୈଠ କରିବାକୁ ସୁଯୋଗ ଦିଆଯାଇଛି । ଚେକ୍, ଅନଲାଇନ୍ କିମ୍ବା ନଗଦ ଟଙ୍କାରେ ଦେଇପାରିବେ । ଉପଭୋକ୍ତା ଚାହିଁଲେ, ସେସୁ କର୍ମଚାରୀ ତାଙ୍କ ଘରକୁ ଯାଇ ଟଙ୍କା ଆଣିବେ । ସେସୁର ଆର୍ଥିକ ଅବସ୍ଥା ଭଲ ନାହିଁ । ତେଣୁ ସମସ୍ତଙ୍କୁ ନିରନ୍ତର ଏବଂ ଗୁଣାତ୍ମକଯୁକ୍ତ ବିଜୁଳି ଯୋଗାଇବା ପାଇଁ ଉପଭୋକ୍ତାମାନେ ସହଯୋଗ କରିବାକୁ ଶ୍ରୀ ବୋଥ୍ରା ନିବେଦନ କରିଛନ୍ତି ।