ଭୁବନେଶ୍ୱର: ଦିଲ୍ଲୀରେ ସାଂସଦମାନଙ୍କ ପାଇଁ ଯେଉଁଭଳି ରହଣୀ ସୁବିଧା ରହିଛି, ଏଠି ଆମ ବିଧାୟକମାନଙ୍କୁ ସେଇ ସୁବିଧା ଯୋଗାଇ ଦିଆଯିବ । ପୁରୁଣା ବିଧାୟକ କଲୋନୀର ୧୨ ଏକର ଜାଗାରେ ଗଢ଼ି ଉଠିବ ୧୦ ମହଲାର ଅତ୍ୟାଧୁନିକ ଆପାର୍ଟମେଣ୍ଟ । ଏହି ଯୋଜନା ସାକାର କରିବାକୁ ଯାଇ ଏବେକାର ବିଧାୟକ କଲୋନୀକୁ ମାଟିରେ ମିଶାଇବା କାର୍ଯ୍ୟ ଆରମ୍ଭ ହୋଇଛି ।
ଆଜି ଅପରାହ୍ନରେ ଗୋଟିଏ କ୍ୱାର୍ଟର୍ସର କିଛି ଅଂଶକୁ ବୁଲ୍ ଡୋଜର ଯୋଗେ ଭଙ୍ଗାଯାଇଛି । କାଲି ସକାଳୁ ଏହି ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ୪୨ ଟି କ୍ୱାର୍ଟର୍ସ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଛି । ଏ ପର୍ଯ୍ୟନ୍ତ ୨୩ ଜଣ ବିଧାୟକ ଘର ଖାଲି କରି ସାରିଥିଲା ବେଳେ ୨୪ ଜଣ ବିଧାୟକ ଘର ଛାଡ଼ିନାହାନ୍ତି । ଶେଷଥର ପାଇଁ ସେମାନଙ୍କୁ ଗୋଟିଏ ସପ୍ତାହର ମହଲତ ଦିଆଯାଇଛି । ୭ ଦିନ ଭିତରେ ବିଧାୟକମାନେ କ୍ୱାର୍ଟର୍ସ ଖାଲି ନକଲେ ଜବରଦସ୍ତ ଖାଲି କରାଯିବ ବୋଲି ବାଚସ୍ପତି ଜଣାଇ ଦେଇଛନ୍ତି ।
ବିଧାୟକମାନଙ୍କ ପାଇଁ ବିକଳ୍ପ ଆବାସିକସ୍ଥଳର ବ୍ଲୁ ପ୍ରିଣ୍ଟ ଇତିମଧ୍ୟରେ ପ୍ରସ୍ତୁତ ହୋଇସାରିଛି । ଗତକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହାର ସବିଶେଷ ରୂପରେଖ ଚୂଡ଼ାନ୍ତ ହୋଇଥିଲା । ନିଷ୍ପତ୍ତି ଅନୁଯାୟୀ, ପୁରୁଣା ଏମଏଲଏ କଲୋନୀ ଜାଗା ଅର୍ଥାତ୍ ଓଡ଼ିଶା ଖଣି ନିଗମ ସାମନାରୁ ୧୨୦ ବାଟାଲିୟନ ଛକ ପର୍ଯ୍ୟନ୍ତ ଲମ୍ବିଥିବା ଏଫ୍ ଓ ଆର୍ ଟାଇପ୍ ବିଧାୟକ କଲୋନୀ ଜାଗାରେ ୧୦ ମହଲା ଓ ୯ ମହଲା ବିଶିଷ୍ଟ ଅତ୍ୟାଧୁନିକ ବହୁତଳ ପ୍ରାସାଦ ଓ ବ୍ଲକ୍ ନିର୍ମାଣ କରାଯିବ ।
ଉପର ମହଲାଗୁଡ଼ିକରେ ବିଧାୟକମାନଙ୍କ ପାଇଁ ୭ ଟି କୋଠରୀ ବିଶିଷ୍ଟ ଫ୍ଲାଟ୍ ଏବଂ ସବୁ ବ୍ଲକ୍ ର ଅଣ୍ଡର ଗ୍ରାଉଣ୍ଡରେ ସୁଇମିଂ ପୁଲ୍, ଜିମ୍, କାର ପାର୍କିଂ ଓ ଡ୍ରାଇଭର ରେଷ୍ଟ ସେଡ୍ ରହିବ । ଡାକ୍ତରଖାନା, ଖେଳ ପଡ଼ିଆ, ସପିଂ ମଲ୍, ଚିଲେଡ୍ରନସ୍ ପାର୍କ, ମର୍ଣ୍ଣଂ ୱାକ୍ ଗ୍ରାଉଣ୍ଡ ମଧ୍ୟ ସେଠାରେ ରହିବ ।
ସମୁଦାୟ ୧୫୦ ଟି କ୍ୱାର୍ଟସ୍ ନିର୍ମାଣ ହେବାକୁ ଥିବା ବେଳେ ସେଥିମଧ୍ୟରୁ ୧୦୫ ଟି କ୍ୱାର୍ଟର୍ସ ବିଧାୟକମାନଙ୍କୁ ଯୋଗାଇ ଦିଆଯିବ । ଅବଶିଷ୍ଟ ୪୫ଟି କ୍ୱାର୍ଟର୍ସ ଅତିଥିମାନଙ୍କ ପାଇଁ ସଂରକ୍ଷିତ ରଖାଯିବ । ପୂର୍ତ୍ତ ବିଭାଗ ଅଧୀନରେ ଥିବା ଓଡ଼ିଶା ବ୍ରିଜ୍ ଆଣ୍ଡ୍ କନଷ୍ଟ୍ରକସନ୍ ନିଗମ ଲିମିଟେଡ଼(ଓବିସିସି) ଏହାର ନିର୍ମାଣ କରିବ । ବର୍ଷକ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ଡେଡଲାଇନ୍ ଦିଆଯାଇଛି ।
ସୂଚନାଯୋଗ୍ୟ, ବିଧାୟକମାନଙ୍କ ପାଇଁ ନୂଆ ପ୍ରାସାଦ ଯୋଜନା ଠିକଣା ଭାବେ କାର୍ଯ୍ୟକାରୀ କରିବାକୁ ବାଚସ୍ପତି ଅଣ୍ଟା ଭିଡ଼ିଛନ୍ତି । ବାଚସ୍ପତିଙ୍କ ନିର୍ଦ୍ଦେଶ ମତେ ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଏବଂ ଯୋଜନା ସାକାର କରିବାକୁ ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର ପ୍ରମୁଖ ଭୂମିକା ନେଇଛନ୍ତି ।