ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ଓଡ଼ିଶା ବନ୍ଦ । ରାସ୍ତାରେ ଗଡ଼ିବନି ଅଖଚକ । ବସ, ଟାକ୍ସି, ଅଟୋ, ଟ୍ରେନ୍ ସବୁ ବନ୍ଦ । ଚାଷୀ ସଂଗଠନର ଏହି ଆନେ୍ଦାଳନରେ କମାଲ୍ ଦେଖାଇବେ ବିଜେପି ଓ କଂଗ୍ରେସ । ରାସ୍ତାଘାଟ, ଦୋକାନବଜାର ଶୂନଶାନ ହୋଇଯିବ । ପିଟାପିଟି, ଜଳାଜଳି ବି ହୋଇପାରେ । କୌଣସି ସଂଗଠନର ବନ୍ଦ ଆନ୍ଦୋଳନରେ ରାଜନୈତିକ ଦଳର ସମର୍ଥନ ରହିଲେ ଏୟା ହବ ହିଁ ହବ । ସହଜେ ଆଗକୁ ନିର୍ବାଚନ ଅଛି । ତେଣୁ ବନ୍ଦ ଆନ୍ଦୋଳନ ଯେ ଜମିବ ସେଥିରେ ତିଳେମାତ୍ର ସନେ୍ଦହ ନାହିଁ ।
ପ୍ରସ୍ତାବିତ ବନ୍ଦ ପାଳନର ପରଦିନ ଅର୍ଥାତ୍ ୨୨ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ୬ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଅଧିକାଂଶ ଅଞ୍ଚଳରେ ୨୧ ତାରିଖରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଜାଗାକୁ ବାହାରିଯିବେ । ସେପଟେ ପରୀକ୍ଷା ପ୍ରଶ୍ନପତ୍ର ଓ ଉତ୍ତର ଖାତା ବି ଯିବ ବିଭିନ୍ନ କେନ୍ଦ୍ରକୁ । ଆନ୍ଦୋଳନ ଡାକରା ଦେଇଥିବା ନବ ନିର୍ମାଣ କୃଷକ ସଂଗଠନର ମୁଖିଆମାନେ ଏହା ଯେ ଅବଗତ ନ ଥିଲେ ତାହା ନୁହେଁ । ମାଟ୍ରିକ୍ ପରୀକ୍ଷା ବ୍ୟବସ୍ଥାରେ ବିଭ୍ରାଟ ଓ ଛାତ୍ରଛାତ୍ରୀଙ୍କର ନିଶ୍ଚିତ ଅସୁବିଧା ଜାଣି ମଧ୍ୟ ସଂଗଠନ ଆନ୍ଦୋଳନ ଡାକରା ଦେଇଛି ଏବଂ ବିଜେପି, କଂଗ୍ରେସ ତାକୁ ସମର୍ଥନ ଦେଉଛନ୍ତି ।
ନବ ନିର୍ମାଣ କୃଷକ ସଂଗଠନ ଚାଷୀଙ୍କ ସମସ୍ୟା ନେଇ ଓଡ଼ିଶା ବନ୍ଦ ଡାକରା ଦେବାରେ ମନା ନ ଥିଲା । ମାତ୍ର ଠିକ୍ ମାଟ୍ରିକ୍ ପରୀକ୍ଷା ପୂର୍ବଦିନ ଆନ୍ଦୋଳନ କାହିଁକି? ଅନ୍ୟ ଦିନେ କରିଥିଲେ କ’ଣ ବେଦ ଅଶୁଦ୍ଧି ହୋଇଯାଇଥାଆନ୍ତା । ସେହିଭଳି ନବ ନିର୍ମାଣ କୃଷକ ସଂଗଠନ ନିଜକୁ ବେଶ୍ ଶକ୍ତିଶାଳୀ ବୋଲି ଦାବି କରି ଆସୁଛି । ମାତ୍ର ଏତେ ବଡ଼ ସଂଗଠନ ହୋଇ ନିଜର ଶକ୍ତି ଓ ସାମର୍ଥ ଉପରେ ଭରସା ପାଇଲାନି କାହିଁକି? କ’ଣ ପାଇଁ ବିଜେପି ଓ କଂଗ୍ରେସର ସମର୍ଥନ ଦରକାର ପଡ଼ିଲା? ଏହି ଆନ୍ଦୋଳନ ନବ ନିର୍ମାଣ କୃଷକ ସଂଗଠନର ବୁଦ୍ଧି ନା ଆନ୍ଦୋଳନକୁ ସମର୍ଥନ କରୁଥିବା ଦଳର ବୁଦ୍ଧି? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।
ତେବେ ଏତିକି ସ୍ପଷ୍ଟ ବୁଝାପଡୁଛି କି ଆନ୍ଦୋଳନର ତାରିଖ ପଛରେ ରହିଛି ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାର କୌଶଳ । ୬ ଲକ୍ଷ ମାଟ୍ରିକ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକ ଅସୁବିଧାରେ ପଡ଼ିଲେ ରାଜ୍ୟ ସରକାରଙ୍କୁ ଗାଳି ଦେବେ । ଦାବି ହାସଲ ହେବ ନ ହେବ ଅଲଗା କଥା, ମାତ୍ର ରାଜ୍ୟ ସରକାରଙ୍କୁ ଏହା ବଦନାମ କରିଦେବ । ୨୧ ତାରିଖ ଓଡ଼ିଶା ବନ୍ଦ ଆନ୍ଦୋଳନ ଡାକରାର ଏହା ହୋଇପାରେ ଅସଲ ଚାଲ୍ । ତେବେ ଏହି ଚାଲ୍ ନବ ନିର୍ମାଣର କୃଷକ ସଂଗଠନର ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଶ୍ୱାସ କରୁନାହାନ୍ତି । ସଂଗଠନ ନିଜର ଫାଇଦା ଚାହିଁଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସ ତାହାକୁ ଢ଼ାଲ କରିଦେଇଛନ୍ତି । ଉଭୟ ଦଳ ଯେଝାର ଫାଇଦା ପାଇଁ ଏଭଳି ବୁଦ୍ଧି ଖଟାଇ ଥାଇପାରନ୍ତି ବୋଲି କୁହାଯାଇଛି ।
ସେପଟେ ବିଜେପି, କଂଗ୍ରେସ ସମର୍ଥନରେ ଏହି ଆନ୍ଦୋଳନ ବିଜେଡ଼ିର ମୁଣ୍ଡବ୍ୟଥା ବଢ଼ାଇଛି । ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ନବ ନିର୍ମାଣ କୃଷକ ସଂଗଠନର ୨୧ ତାରିଖର ଆନ୍ଦୋଳନକୁ ନିନ୍ଦା କରାଯିବା ସହ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହା ପ୍ରତ୍ୟାହାର କରିନେବାକୁ ଅନୁରୋଧ କରାଯାଇଛି । କଂଗ୍ରେସ ଓ ବିଜେପି ଛାଇରେ ନବ ନିର୍ମାଣ କୃଷକ ସଂଗଠନର ରାଜନୀତିକରଣ ହୋଇଛି ବୋଲି ଦଳର ମୁଖପାତ୍ର ପ୍ରତାପ ଦେବ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ, ସ୍ୱାମୀନାଥନ୍ ରିପୋର୍ଟ କାର୍ଯ୍ୟକାରୀ ନ ହେବା ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି ନ ହେବା ଉପରେ ନବ ନିର୍ମାଣ କୃଷକ ସଂଗଠନ ବିଜେପିକୁ ପ୍ରଶ୍ନ ପଚାରିବା ପରିବର୍ତ୍ତେ ସେହି ବିଜେପିର ସମର୍ଥନ କାହିଁକି ନେଉଛନ୍ତି ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ ପ୍ରସ୍ତାବିତ ଆନ୍ଦୋଳନକୁ ଯଥାର୍ଥ ବୋଲି କହିଛନ୍ତି ସଂଗଠନର ନେତା ଶେଷଦେବ ନନ୍ଦ । ତାଙ୍କର ଯୁକ୍ତି, ଆନ୍ଦୋଳନ ଯୋଗୁଁ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କର କିଛି ଅସୁବିଧା ହେବନି । ପରୀକ୍ଷା ଆରମ୍ଭ ଦିନ ସକାଳୁ ବିଭିନ୍ନ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ ବୋଲି ସଚିବ କହିଛନ୍ତି । ତେଣୁ ଅସୁବିଧା ନାହିଁ । ସେହିଭଳି ଆଗରୁ ପିଲାମାନେ ଦୂରଦୂରାନ୍ତ କେନ୍ଦ୍ରରେ ପରୀକ୍ଷା ଦେଉଥିବାରୁ ପୂର୍ବ ଦିନଠାରୁ ଯାଇ ରହୁଥିଲେ । ମାତ୍ର ଏବେ ପାଖରେ ପରୀକ୍ଷା କେନ୍ଦ୍ର ରହୁଥିବାରୁ ପିଲାମାନେ ପରୀକ୍ଷା ଦିନ ସକାଳୁ ଘରୁ ବାହାରିବେ । ତେଣୁ ବନ୍ଦ ସହ ମାଟ୍ରିକ ପରୀକ୍ଷାର କୌଣସି ସମ୍ପର୍କ ନାହିଁ । ବନ୍ଦକୁ ବିଜେପି ଓ କଂଗ୍ରେସର ସମର୍ଥନ ପ୍ରସଙ୍ଗରେ ସେ କହିଛନ୍ତି, ଆମେ ସବୁ ଦଳଠାରୁ ସମର୍ଥନ ଲୋଡିଥିଲୁ । ତେଣୁ ସେମାନେ ସମର୍ଥନ ଦେଇଛନ୍ତି । ଏଥିରେ ରାଜନୀତି ନାହିଁ ।
ଶେଷ ଖବର ଅନୁଯାୟୀ, ପ୍ରସ୍ତାବିତ ବନ୍ଦ ଯୋଗୁଁ ୬ ଲକ୍ଷ ପରୀକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ ଓ କର୍ମଚାରୀ ପ୍ରଭାବିତ ହେବାର ଆଶଙ୍କା କରି ରାଜ୍ୟ ସରକାର କଠୋର ଆଭିମୁଖ୍ୟ ନେଇଛନ୍ତି । ଆଜି ସଂଧ୍ୟାରେ ରାଜ୍ୟ ସରକାର ଏକ ପ୍ରେସ୍ ନୋଟ୍ ଜାରି କରିଛନ୍ତି । ନବ ନିର୍ମାଣ କୃଷକ ସଂଗଠନ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଦୃଷ୍ଟିରୁ ଆନ୍ଦୋଳନରୁ ଓହରିଯିବାକୁ ଅନୁରୋଧ କରାଯାଇଛି । ଯଦି ସଂଗଠନ ତା ଯୋଜନାରେ ଅଟଳ ରୁହେ, ତେବେ ମାଟ୍ରିକ୍ ପରୀକ୍ଷା ସୁଚାରୁରୂପେ ସମ୍ପାଦନ କରିବା ପାଇଁ ସରକାର ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦିଆଯାଇଛି ।