ଭୁୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି କିଛି ଦିନ ଧରି ଜୋରରେ ଚର୍ଚ୍ଚା ହେଲା । ଖୋଦ୍ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଗଣମାଧ୍ୟମରେ ଏହି ଚର୍ଚ୍ଚାକୁ ବଢ଼ାଇଲେ । ମାତ୍ର ଏହି ଚର୍ଚ୍ଚା ଉଭେଇ ଗଲାଣି । ଖାସ୍ କରି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ପରାଜୟ ତଥା ଦେଶର ରାଜନୈତିକ ପାଣିପାଗ ବିଜେପି ପାଇଁ ସେତେଟା ଅନୁକୂଳ ନ ଥିବାରୁ ମୋଦି ଯେ ପୁରୀକୁ ଆସି ଲଢ଼ିବେ ତାହା ସମ୍ଭବ ମନେ ହେଉନାହିଁ । ତେବେ ପୁରୀକୁ ଫୋକସ୍ ରେ ରଖିଥିବା ବିଜେପି ଏହାର ଜାତୀୟ ମୁଖପାତ୍ର ଡ. ସମ୍ବିତ ପାତ୍ରଙ୍କୁ ଏହି ଆସନରୁ ପ୍ରାର୍ଥୀ କରିବାକୁ ଯୋଜନା କରିଥିବା ଦିଲ୍ଲୀ ସୂତ୍ରରୁ ଖବର ମିଳିଛି । ଦିଲ୍ଲୀରେ ଭଲ ନାଁ କମେଇଥିବା ୪୪ ବର୍ଷୀୟ ଓଡ଼ିଆ ପୁଅ ଡ. ପାତ୍ର ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ବୋଲି ଏହି ସୂତ୍ର କହିଛି ।
ପୁରୀରୁ ଡ. ପାତ୍ରଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ୱର ସୂଚନା ମିଳିବା ପରେ ରାଜ୍ୟ ବିଜେପିରେ ନୂଆ ସମୀକରଣର ସୂତ୍ରପାତ ହେବାକୁ ଯାଉଛି । ପ୍ରଥମ ଥର ନିର୍ବାଚନ ରଣାଙ୍ଗନରେ ପାଦ ଦେଉଥିବା ସମ୍ବିତଙ୍କ ଦିଲ୍ଲୀ କାଟତି ଓଡ଼ିଶାରେ କେଉଁ ରୂପ ନେବ ତାହାକୁ ଅପେକ୍ଷା କରାଯାଉଛି । ତେବେ ଓଡ଼ିଶା ନ ଆସୁଣୁ, ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ଯୋଡି ଚର୍ଚ୍ଚା ହେଲାଣି । ବିଗତ ୪ ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସାଧାରଣରେ ବିଚାର କରାଯାଉଥିଲା । ମାତ୍ର କିଛି ମାସ ତଳେ ଆଇଏଏସ ଚାକିରି ଛାଡ଼ି ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ମିଶିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାଲିକାରେ ଯୋଡାଯାଇଛି । ଏବେ ଚର୍ଚ୍ଚିତ ତାଲିକାର ତିନି ନମ୍ବରରେ ଆସିଛନ୍ତି ଡ. ସମ୍ବିତ ପାତ୍ର ।
ତେବେ ସେ ଯାହା ହେଉ, ପୁରୀରୁ ସମ୍ବିତଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ୱର ଆଭାସ ପାଇଲା ପରେ ଦଳର ଏକ ଗୋଷ୍ଠୀ ଉତ୍ସାହିତ ହୋଇଛନ୍ତି । ବିଜେଡ଼ିରୁ ପିନାକୀ ମିଶ୍ର କିମ୍ବା ଅରୂପ ପଟ୍ଟନାୟକଙ୍କ ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା ହେଉଥିବାରୁ ଲଢ଼େଇ ଜମିବ ବୋଲି କୁହାଯାଉଛି ।