ଭୁବନେଶ୍ୱର: ମନ୍ତ୍ରୀ ପ୍ରଫୁଲ୍ଳ କୁମାର ମଲ୍ଲିକଙ୍କ ସାଂଗଠନିକ ଦକ୍ଷତା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ହୋଇଛନ୍ତି । ଦଳୀୟ ପର୍ଯ୍ୟବେକ୍ଷକ ଭାବେ ବରଗଡ଼ ଜିଲ୍ଲାରେ ସେ ବିଜେଡ଼ିକୁ ଅଧିକ ଶକ୍ତିଶାଳୀ କରିଥିବା ମୁଖିଆଙ୍କର ବୋଧହୁଏ ଅନୁଭବ ହୋଇଛି । ତେଣୁ ତାଙ୍କୁ ଦେବଗଡ଼ ଜିଲ୍ଲାର ଦାୟିତ୍ୱ ବି ଦିଆଯାଇଛି । ବରଗଡ଼ ଜିଲ୍ଲା ସହିତ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ମଲ୍ଲିକ ଦାୟିତ୍ୱ ସମ୍ଭାଳିବେ । ସେହିଭଳି ପୂର୍ବତନ ମୁଖ୍ୟ ସଚେତକ ତଥା ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ରବି ପାଣିଙ୍କ ସାଂଗଠନିକ ଦକ୍ଷତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ୱୀକୃତି ଦେଇଛନ୍ତି । ତାଙ୍କୁ ଝାରସୁଗୁଡ଼ା ସହ ସମ୍ବଲପୁର ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦିଆଯାଇଛି ।
ଦେବାଶିଷ ମଲ୍ଲିକ ଓ ସିଦ୍ଧାର୍ଥ ଦାସଙ୍କୁ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ଡ. ହରିଶ ଚୌଧୁରୀଙ୍କୁ ମୋରଡ଼ା ଓ ସାରସକଣା ବିଧାନସଭା କ୍ଷେତ୍ରର ସହ ପର୍ଯ୍ୟବେକ୍ଷକ ଭାବରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି । ଦଳର ରାଜ୍ୟ ସମ୍ପାଦକ ଡ. ସସ୍ମିତ ପାତ୍ର ଏକ ପ୍ରେସ୍ ଇସ୍ତାହାରରେ ଏହା ଜଣାଇଛନ୍ତି ।